ଭୁବନେଶ୍ୱର: ସାଧାରଣତଃ ଜଣେ ଅସହାୟ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଦେଖିଲେ ମନରେ ସ୍ୱତଃ ଭାବନା ଆସେ ଆମ ଜୀବନଠାରୁ ତାଙ୍କ ଜୀବନରେ ବୋଧେ ବେଶି ଦୁଃଖ ଅଛି। ମନରେ ପ୍ରଶ୍ନ ଉଠେ, ଭଗବାନ କାହିଁକି ଏପରି ଲୋକଙ୍କୁ ଏତେ ଦୁଃଖ କଷ୍ଟ ଦେଉଛନ୍ତି? ଏମିତି ଜଣେ ଦୁଃଖୀ ମଣିଷ ହେଲେ ଜ୍ୟୋତିବ୍ରତ ମହାପାତ୍ର। ମୟୂରଭଂଜ ଜିଲ୍ଲାର ହୁଣ୍ଡରିଆ ଗ୍ରାମରେ ତାଙ୍କର ଘର। ବୟସ ୨୯। ନିଜ ସମସ୍ୟାର ସମାଧାନ ପାଇଁ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନିରାଶ ହୋଇ ଯାଇଥିବା ଜ୍ୟୋତିଙ୍କ ଶେଷ ଭରସା ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ସେ ସୁଦୂର ମୟୂରଭଞ୍ଜରୁ ବାରମ୍ବାର ଛୁଟି ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ। କାଳେ ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣିବେ ଏବଂ ତାଙ୍କ ସମସ୍ୟାର ସମାଧାନ କରିଦେବେ।

Advertisment

ଜ୍ୟୋତି ହେଉଛନ୍ତି ବାପାଙ୍କର ବଡ଼ ପୁଅ। ମା’ ଅନେକ ଦିନରୁ ମରିଯାଇଛିନ୍ତି ଏବଂ ଛୋଟ ବେଳୁ ମାଉସୀ ତାଙ୍କୁ ପାଳି ପୋଷି ବଡ଼ କରିଛନ୍ତି। ଭଲରେ କଥା କହିପାରନ୍ତିନି ଜ୍ୟୋତି। ତଥାପି କେବେ ଜୀବନରୁ ଆଶା ଛାଡ଼ି ନାହାନ୍ତି। ସରକାର ଭିନ୍ନକ୍ଷମଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଏହା ଠିକ୍‌ ଭାବରେ ଲୋକଙ୍କ ନିକଟକୁ ପହଞ୍ଚିପାରି ନାହିଁ। କେଉଁଠି କ୍ଷମତାଶାଳୀ ସମସ୍ତ ସୁବିଧା ସୁଯୋଗ ନିଜ ହାତମୁଠାରେ ରଖିଛନ୍ତି ତ ଆଉ କେଉଁଠି ଲୋକ ଲାଞ୍ଚ ମାଗୁଛନ୍ତି ତ କେଉଁଠି ସରକାରୀ କର୍ମଚାରୀ ସୁବିଧା ଯେଗାଇବା ଲାଞ୍ଚ ମାଗୁଛନ୍ତି। ଏମିତି ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜ୍ୟୋତି।

ନିଜ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅନେକ ଥର ଜ୍ୟୋତି ଭୁବନେଶ୍ୱର ଆସିଛନ୍ତି । ତାଙ୍କର ବିଶ୍ୱାସ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ କଥା ଶୁଣୁଛନ୍ତି, ମୋ କଥା ମଧ୍ୟ ଶୁଣିବେ। କିନ୍ତୁ ତାଙ୍କର ମନ ବେଳେ ବେଳେ ଭାଙ୍ଗି ଯାଉଛି। ୨୦୧୩ରେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ହଜାର ଟଙ୍କା ପାଇଥିଲେ। ହେଲେ ସେହି ଗ୍ରାମର ଦେବେନ୍ଦ୍ର ମଲ୍ଲିକ ନାଏବ ସରପଞ୍ଚ ଥିବାବେଳେ ତାଙ୍କଠାରୁ ଏହି ଟଙ୍କା ନେବା ପାଇଁ ଆସିଥିଲେ। ଜ୍ୟୋତି ମନା କରିବାରୁ ସେ କହିଥିଲେ ଯେ ଯଦି ମତେ ଟଙ୍କା ଦବ ତାହେଲେ ମୁଁ ତୁମକୁ ‘ମୋ କୁଡ଼ିଆ’ କରାଇଦେବି। ନହେଲେ ତୁମକୁ ଘର ପାଇଁ କେବେ ସରକାରଙ୍କଠାରୁ ପଇସା ମିଳିବ ନାହିଁ । ଏମିତି ଧମକଚମକ କରି ସେ ତାଙ୍କଠାରୁ ୧୩ହଜାର ଟଙ୍କା ମୋ କୁଡ଼ିଆ ବାବଦରେ ଆଉ ୨ହଜାର ଟଙ୍କା ଅନ୍ତୋଦୟ ଯୋଜନା କରାଇ ଦେବା ପାଇଁ ନେଇ ଯାଇଥିଲେ। ଏହାପରେ ଶ୍ରୀ ମଲ୍ଲିକ ମୋ କୁଡ଼ିଆ ବାବଦରେ ତାଙ୍କୁ ୪୦,୦୦୦ ଟଙ୍କା ଦେଇଥିଲେ ସତ, କିନ୍ତୁ ଏହି ଟଙ୍କାରେ ତାଙ୍କର ଘର ସଂପୂର୍ଣ୍ଣ ହୋଇ ପାରି ନଥିଲା। ଘର ଅଧା ନିର୍ମାଣ କରି ବାରମ୍ବାର ସରକାରଙ୍କ ପାଖକୁ ଯାଇ ନିରାଶ ହେଉଛନ୍ତି ଜ୍ୟୋତି। ସେ ଘର ଓ ନିଜେ ବ୍ୟବସାୟ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଚାହୁଁଛନ୍ତି। ଯଦି ସରକାରଙ୍କ ଦୃଷ୍ଟି ତାଙ୍କ ଉପରେ ନପଡ଼େ ସେ ବିଧାନସଭା ଆଗରେ ଆମରଣ ଅନଶନ କରିବେ ଏବଂ ଶେଷରେ ଆତ୍ମହତ୍ୟା କରିବେ ବୋଲି ସ୍ଥିର କରିଛନ୍ତି। ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ବରଂ ଭଲ ବୋଲି କହିଛନ୍ତି ଜ୍ୟୋତି।