ଭୁବନେଶ୍ୱର : ଖଣ୍ଡଗିରି ଥାନା ପୁଲିସ୍ ଆଜି ସକାଳେ ବରମୁଣ୍ଡା ବ୍ରିଜ୍ ତଳ ନାଳରୁ ଜଣେ ଯୁବକଙ୍କ ମୃତଦେହ ଓ ଏକ ବାଇକ୍ ଉଦ୍ଧାର କରିଛି। ମୃତକ ହେଲେ, ଭଦ୍ରକ ବାସୁଦେବପୁରର କମଳାକାନ୍ତ ନାୟକ। ସେ ନୂଆପଲ୍ଲୀରେ ଭଡ଼ାଘରେ ରହି ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ଆଜି ସକାଳେ ନାଳ ଭିତରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସ୍ ଏହାକୁ ଦୁର୍ଘଟଣା କହୁଥିଲେ ହେଁ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଛି। ମୃତକଙ୍କ ବେକରେ ଏକ କଟାଦାଗ ଥିବାରୁ କେହି ତାଙ୍କୁ ହତ୍ୟା କରି ନାଳକୁ ଫିଙ୍ଗି ଦେଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରାହ୍ଣରେ ମୃତକଙ୍କ ପରିବାରଲୋକ ଭୁବନେଶ୍ୱରରେ ପହଞ୍ଚିଥିବା ଜଣାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ହତ୍ୟା କି ଦୁର୍ଘଟଣା, ତାହା ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
/sambad/media/post_attachments/wp-content/uploads/2020/10/t-15-1-270x300.png)
ସୂଚନାଯୋଗ୍ୟ, ନିକଟ ଅତୀତରେ ଏହି ନାଳରୁ ଏକ କଟା ଗୋଡ଼ ମିଳିଥିଲା। ଯାହାକୁ ନେଇ ତନାଘନା ହୋଇଥିଲେ ମଧ୍ୟ ଏହାର ରହସ୍ୟ ଉନ୍ମୋଚନ ହୋଇ ପାରିନଥିଲା। ଆଜି ନାଳ ଭିତରୁ ମୃତଦେହ ମିଳିବା ପରେ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। କେହି ହତ୍ୟା କରି ଫିଙ୍ଗି ଦେଇଥିବା ଚର୍ଚ୍ଚା ହୋଇଥିଲା।
/sambad/media/post_attachments/wp-content/uploads/2020/10/baramunda-murder-300x182.jpg)
ବରମୁଣ୍ଡା ଫ୍ଲାଏ-ଓଭରବ୍ରିଜ୍ ସର୍ଭିସ ରୋଡ଼କୁ ଲାଗି ଏହି ନାଳ ରହିଛି। ଟିକେ ଅନ୍ୟମନସ୍କ ହେଲେ ଚାଳକ ନାଳ ଭିତରେ ଗଳି ପଡ଼ିବା ସମ୍ଭାବନା ରହିଛି। ଏହି ଆଧାରରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅଧିକ ତଦନ୍ତ ହେଉଛି। ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣ୍ଡଗିରି ଆଇଆଇସି ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/baramunda-murder-ff.jpg)