ମେଣ୍ଢାଶାଳ: ଚନ୍ଦକା ଥାନା କୁଜୁମହଲ ନିକଟ ଜଙ୍ଗଲରୁ ଆଜି ପୁଲିସ ଜଣେ ଯୁବକଙ୍କ ଗଳିତ ଶବ ଜବତ କରିଛି। ପ୍ରାୟ ୭/୮ ଦିନର ତଳର ମୃତଦେହ ପଚି ନଷ୍ଟ ହୋଇଯାଇଥିବା ବେଳେ ପାଖରୁ କିଛି ଜିନିଷପତ୍ର ମିଳିନଥିବାରୁ ତାଙ୍କ ପରିଚୟ ଜାଣିବା ସମ୍ଭବ ହୋଇନାହିଁ। ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବାରୁ କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଣି ଶବ ପଡ଼ିଥିବା ନିକଟସ୍ଥ ଗଛ ଡାଳରୁ ବନ୍ଧା ଯାଇଥିବା ଅବସ୍ଥାରେ ଏକ ବେଡ୍‌ସିଟ୍‌ ମିଳିଥିବାରୁ ଯୁବକଜଣଙ୍କ ଆତ୍ମହତ୍ୟା କରିଥିବା ବି ଅନୁମାନ କରାଯାଉଛି।

Advertisment

ଗତ ଦୁଇ ଦିନ ତଳେ ହୋଇଥିବା ବର୍ଷାରେ ଶବଟି ଅଧିକ ପଚିସଢ଼ି ବେକରୁ ଛିଡ଼ି ଯାଇଥିବା କୁହାଯାଉଛି। ଚନ୍ଦକା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲ୍‌କୁ ପଠାଇଛି। ପୁଲିସ ସ୍ଥାନୀୟ ଲୋକମାନଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଥାନାରୁ ନି‌ଖୋଜ ମାମଲାର ବିବରଣୀ ମଗାଇଛି।

ଆଜି କୁଜୁମହଲ ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲ ଭିତରେ ଅବସ୍ଥାନ କରୁଥିବା ବର ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ। ପ୍ରାୟ ସବୁ ମଙ୍ଗଳବାର ସ୍ଥାନୀୟ ଲୋକେ ଏହି ଠାକୁରାଣୀଙ୍କୁ ପୂଜା କରିବାକୁ ଯାଆନ୍ତି। ଆଜି ମା’ ପୀଠରେ ପ୍ରବଳ ଗନ୍ଧ ହେବାରୁ ସେଠାରେ ରହିବା ସମ୍ଭବ ହେଲାନାହିଁ। ତେଣୁ ପାଖରେ କେଉଁଠି କ’ଣ ମରିପଡ଼ିଛି ବୋଲି ସେମାନେ ଖୋଜଖବର ନେଉନେଉ ମୃତଦେହକୁ ଦେଖିଥିଲେ। ମୃତଦେହଟି ପୂରା ପଚିସଢ଼ି ଯାଇଥିବା ବେଳେ ବେଳେ ମୁଣ୍ଡଟି ଅଲଗା ହୋଇ ଗୋଡ଼ ନିକଟରେ ପଡ଼ିଥିଲା। ତେଣୁ କେହି ଦୁର୍ବୃତ୍ତ ଯୁବକଙ୍କ ଗଳା କାଟି ହତ୍ୟା କରିଛି ବୋଲି ପ୍ରଚାର ହୋଇଗଲା। ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ମାତ୍ରେ ଶହଶହ ଲୋକ ଘଟଣାସ୍ଥଳକୁ ଛୁଟି ଆସିଥିଲେ।

ଖବର ପାଇ ଚନ୍ଦକା ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ସେଠାରେ ପହଞ୍ଚିଥିଲା। ଶବ ପଞ୍ଚନାମା ଅବସ୍ଥାରେ ନଥିବାରୁ ପ୍ରଥମେ ତାକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଖୋଜାଖୋଜି କରିବା ପରେ କିଛି ବି ଜିନିଷପତ୍ର ମିଳିନଥିଲା। ତେବେ କିଛି ସମୟ ପରେ ଗଛ ଡାଳରେ ଏକ ବେଡ୍‌ସିଟ୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ପୁଲିସ ଉକ୍ତ ବେଡ୍‌ସିଟ୍‌କୁ ଜବତ କରିଛି। ସେଥିରେ ଦୁଇ ମୁଣ୍ଡରେ ଦୁଇଟି ଗଣ୍ଠି ଥିବା ପୁଲିସ ସୂଚନା ଦେଇଛି। ତେଣୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା କେହି ହତ୍ୟା କରିବା ପରେ ଗଛ ଡାଳରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି। ତେବେ ମୁଣ୍ଡ ଓ ଗଣ୍ଡି କିଭଳି ଅଲଗା ହୋଇଛି, ତାହା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ ବୋଲି ପୁଲିସ କହିଛି। କୌଣସି ହତିଆରରେ ଗଳା କଟାଯାଇଥିଲେ, ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। ସେହିଭଳି ପଚି ଯାଇଥିବା ଶବରୁ ମୁଣ୍ଡଟି ଛିଡ଼ି ଆପେଆପେ ଅଲଗା ହୋଇଥିଲେ ବି ଜଣାପଡ଼ିବ। କିନ୍ତୁ ପ୍ରଥମେ ମୃତକଙ୍କ ପରିଚୟ ମିଳିବା ମୁଖ୍ୟ କଥା ହୋଇଥିବାରୁ ପୁଲିସ ସେଦିଗରେ ତଦନ୍ତ ଚଳାଇଛି। ଘଟଣାସ୍ଥଳକୁ ଶିଳ୍ପାଞ୍ଚଳକୁ ଲାଗି ଥିବାରୁ ପୁଲିସ ଟିମ୍‌ ବିଭିନ୍ନ କାରଖାନାକୁ ଯାଇ ପଚରାଉଚରା କରୁଛି। ମୃତଦେହରେ ଥିବା କଳା ହାଫ୍‌ ପ୍ୟାଣ୍ଟ ଓ ଟି-ସାର୍ଟକୁ ନେଇ ପୁଲିସ ସ୍ଥାନୀୟ କାରଖାନାଗୁଡ଼ିକର ଶ୍ରମିକମାନଙ୍କୁ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ଫେବ୍ରୁଆରି ୨୪ରେ ଠିକ୍‌ ଏହି ସ୍ଥାନରୁ ଏକ ଗଳିତ ଶବ ଜବତ କରିଥିଲା ଚନ୍ଦକା ପୁଲିସ। ମୃତକ ଥିଲେ ପୁରୀ ଜିଲ୍ଲା ଗୋପ ଥାନା ଦେଶଥାଳି ଗାଁର ମିଥୁନ ଭୋଇ। ପରେ ଜଣାପଡ଼ିଲା ଯେ ସେ ଆତ୍ମହତ୍ୟା କରିଥିଲେ।