କଣ୍ଟ ପୂରିଲା, ଲାଇନ୍‌ ଆସୁନି

ଭୁବନେଶ୍ବର : ବିଜୁଳି ସଂଯୋଗ ଆଜି ଦବୁ, କାଲି ଦବୁ କହି ଅନେକ ସମୟ ସୀମା ଧାର୍ଯ୍ୟ କଲେ। ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଚାଲିଲା। ଆଜି ତାରିଖରେ ସମଗ୍ର ଭୁବନେଶ୍ବରରେ ବିଜୁଳି ପହଞ୍ଚିବ ବୋଲି ଶେଷ ଘୋଷଣା ହୋଇଥିଲା। ହେଲେ ଭୁବନେଶ୍ବରର ଅଧା ବି ଆଲୁଅ ଜଳିଲାନି। ପ୍ରମୁଖ ଜାଗାମାନଙ୍କରେ ଷ୍ଟ୍ରିଟ ଲାଇଟ୍‌ ଜଳୁଥିବା ବେଳେ ଉପଭୋକ୍ତା ସଂଯୋଗ ପାଇଲେନି। ଏବେ ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି। କର୍ମଚାରୀ ମାଡ଼ ଖାଇ ମଧ୍ୟ ଚାକିରି ଜଗି ପଡ଼ି ରହିଥିବା ବେଳେ କେତେକ ଶ୍ରମିକ ମାଡ଼ ଖାଇ ତେଲେଙ୍ଗାନା ଫେରିଗଲେଣି। ସେସୁ ନିୟନ୍ତ୍ରଣ କକ୍ଷରେ ସବୁ ଦିନ ଅଧିକାରୀଙ୍କୁ ନାଲି ଆଖି ଦେଖାଉଛନ୍ତି ଉପଭୋକ୍ତା। ନିତିଦିନିଆ ଝଗଡ଼ାରେ ପୁଲିସ ବି ନୟାନ୍ତ ହେଲାଣି। ହେଲେ ଲୋକଙ୍କର ଦୁଃଖ ଯାଉନି। ଦିନକୁ ୨୦ ମିନିଟ୍‌ ପାଇଁ ହେଉ ପଛେ ପାଣି ପହଞ୍ଚୁଥିବା ବେଳେ ରାତିର ବିଜୁଳି ଜନିତ କଷ୍ଟ ସହି ହେଉନି। ଅଫିସର ଘନ ଘନ ବୈଠକ କରୁଛନ୍ତି, ଠିକାଦାରଙ୍କୁ ବି ଡାକିଛନ୍ତି। ରାଜ୍ୟ ବାହାରୁ ବି ଶ୍ରମିକ ଡେରା ପକାଇଛନ୍ତି। ପୁନରୁଦ୍ଧାର କାମ ପାଇଁ କର୍ମଚାରୀ ଓ ଶ୍ରମିକ ଯଥେଷ୍ଟ ବୋଲି ଅଫିସର କହୁଛନ୍ତି। ହେଲେ ଲୋକଙ୍କ ପାଖରେ ବିଜୁଳି ପହଞ୍ଚୁନି। ରାସ୍ତା ଅନ୍ଧାର ପଡ଼ିଛି। କେବେ ପୂରା ରାଜଧାନୀରେ ବିଜୁଳି ପହଞ୍ଚିବ ସେ ନେଇ କେହି ଉତ୍ତର ଦେଉନାହାନ୍ତି। ପୂର୍ବରୁ ବଡ଼ ବଡ଼ କଥା କହୁଥିବା ଅଫିସର୍‌ଙ୍କ ଦେଖା ନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପଚାର ବୋଲି ସେସୁ ଅଧିକାରୀ କହୁଛନ୍ତି। ଏଭଳି ଏକ ବିଚିତ୍ର ପରିସ୍ଥିତିକୁ ନେଇ ରାଜଧାନୀରେ କୋଣ ଅନୁକୋଣରେ ଉତ୍ତେଜନା ବଢ଼ିବାରେ ଲାଗିଛି।

ବାଟ ଓଗାଳିଛି ଠିକାଦାରି: ୧୯୯୯ ମହାବାତ୍ୟାରେ ଭୁବନେଶ୍ବରରେ ଏଭଳି କ୍ଷୟକ୍ଷତି ହୋଇଥିଲା। ରାଜ୍ୟରେ ପାଖାପାଖି ୧୦ ହଜାର ଲାଇନ୍‌ମ୍ୟାନ୍‌ ଥିଲେ। ସେତେବେଳେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ସେମାନେ ଖେଦି ଯାଇଥିଲେ। ଏମାନଙ୍କର ସ୍ବତନ୍ତ୍ରତା ହେଲା ବଙ୍କା ଖୁଣ୍ଟିକୁ କୌଶଳରେ ସିଧା କରିବା ଏବଂ ଖୁଣ୍ଟିର ଖୋଲୁନଥିବା ନଟ୍‌କୁ ପୋଡ଼ା ମୋବିଲ ଦେଇ ଖୋଲିବା। ଜଣେ କ୍ରମାନ୍ବୟରେ ମୋବିଲ ଦେଇ ଦେଇ ଯାଉଥିବା ବେଳେ ଆଉ ଜଣେ ଖୋଲି ଖୋଲି ଯାଉଥିଲା। ଏଭଳି ଏକ ଭାଇଚାରାରେ କାମ ହୋଇ କମ୍‌ ଦିନ ଭିତରେ ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ ସଂଯୋଗ ପହଞ୍ଚାଇବା ସହଜ ହୋଇଥିଲା। ବ୍ୟବସ୍ଥାକୁ ସହଜ କରିବା ଆଳରେ ୧୯୯୯ପରେ ଠିକାଦାରି ବ୍ୟବସ୍ଥା ଆରମ୍ଭ ହେଲା। ଲାଇନ୍‌ମ୍ୟାନ୍‌ ନିଯୁକ୍ତି ଦିଆଗଲା ନାହିଁ। ଅବସର ପରେ ସ୍ଥାନ ପୂରଣ ହେଲାନି। ଏବେ ୩ ହଜାର ବିଭାଗୀୟ ଲାଇନ୍‌ମ୍ୟାନ୍‌ ଥିବା ବେଳେ ଠିକାଦାରି ସଂସ୍ଥାରୁ ବାକି କର୍ମଚାରୀ ରହିଛନ୍ତି। ଆଖଣ୍ଡଳମଣି, ଏସ୍‌ଆର୍‌ ଆସୋସିଏଟ୍‌ସ୍‌, ପବିତ୍ର ଇଲେକ୍ଟ୍ରିକାଲ, ଚନ୍ଦନ ଇଲେକ୍ଟ୍ରିକାଲ, ଉର୍ଜା ପ୍ରଭୃତି ସଂସ୍ଥା ଠିକା ନେଲେ। କେବଳ ନୂଆ କାମରେ ଏମାନଙ୍କର କର୍ମଚାରୀ ଅଭିଜ୍ଞ ହୋଇଥିବାରୁ ପୁରୁଣା କାମ ଉପଯୁକ୍ତ ଢଙ୍ଗରେ ହୋଇପାରିଲା ନାହିଁ। ଅଧିକାଂଶ ଏଲ୍‌ଟି ଲାଇନ୍‌ରେ ଏହି ପୁରୁଣା କାମ ରହିଥିବାରୁ ଏବେ ସମସ୍ୟା ହୋଇଛି। ପୁନରୁଦ୍ଧାର କାମରେ ଏହି ଠିକାଦାରି ବ୍ୟବସ୍ଥା ବାଟ ଓଗାଳିଛି।

ବଦଳିବେ ଅଧିକାରୀ!: ପୁନରୁଦ୍ଧାର କାମରେ ପରିଚାଳନାଗତ ତ୍ରୁଟି ପ୍ରମାଣିତ ହୋଇଛି। ବାତ୍ୟାର କିଛି ଦିନ ପରେ ଆଇଏଏସ୍‌ ଅଧିକାରୀମାନଙ୍କୁ ତଦାରଖ ଦାୟିତ୍ବ ଦିଆଯାଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ଭଳି ଦକ୍ଷତା ମଧ୍ୟ ଅଧିକାରୀଙ୍କର ନଥିବାରୁ କେଉଁଠି କର୍ମଚାରୀଙ୍କୁ ଲୋକେ ଟେକି ନେଇଥିବା ବେଳେ କେଉଁଠି ଅଧିକାରୀ ଘଣ୍ଟା ଘଣ୍ଟା କାଳ ନଜରବନ୍ଦୀ ରହିଛନ୍ତି। ଅଧିକାରୀଙ୍କ ଅପାରଗତା ଯୋଗୁଁ ରାଜଧାନୀକୁ ବିଜୁଳି ସଂଯୋଗ ବିଳମ୍ବିତ ହୋଇଛି ବୋଲି ମଧ୍ୟ ସରକାରଙ୍କ ପାଖରେ ରିପୋର୍ଟ ପହଞ୍ଚିଛି। ଏଣୁ ପୁନରୁଦ୍ଧାର କାମ ପରେ ପରେ ହିଁ ତଳଠୁ ଉପର ଯାଏଁ କେତେକ ଅଧିକାରୀଙ୍କ ବଦଳି ହେବା ନେଇ ଚର୍ଚ୍ଚା ହେଉଛି।

ଚାର୍ଜ ହୋଇପାରୁନି କେସୁରା ସବ୍‌ଷ୍ଟେସନ

ରାଜଧାନୀର ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ପହଞ୍ଚିନଥିଲେ ମଧ୍ୟ ୯୦ ପ୍ରତିଶତ ୩୩ ଓ ୧୧କେଭି ଚାର୍ଜ ହୋଇସାରିଛି। କେବଳ ଏଲ୍‌ଟି ଲାଇନ୍‌ କାମ ସରିଗଲେ ପ୍ରତ୍ୟେକଙ୍କ ଘରେ ବିଜୁଳି ପହଞ୍ଚିବ। ତେବେ ଭୁବନେଶ୍ବରର ଅନ୍ୟତମ ପ୍ରମୁଖ ସବ୍‌ଷ୍ଟେସନ କେସୁରାରେ ବିଜୁଳି ପହଞ୍ଚି ପାରୁନି। ଏଯାବତ୍‌ ସମ୍ପୃକ୍ତ ସବ୍‌‌ଷ୍ଟେସନରେ ସଂଯୋଗ ପହଞ୍ଚି ପାରୁନି। ଅଧିକାରୀମାନେ ଯଥା ସମ୍ଭବ ଏହି ସୂଚନାକୁ ଗୋପନୀୟ ରଖିଛନ୍ତି। କେଉଁଠି ସମସ୍ୟା ମଧ୍ୟ ତାହା ଜଣାପଡ଼ୁନାହିଁ। ଏହି ସବ୍‌ଷ୍ଟେସନ ଅଧୀନରେ ପାଖାପାଖି ୧୦ ହଜାର ଉପଭୋକ୍ତା ଅଛନ୍ତି। ‘ଚାରିଆଡ଼େ ଆସିଲାଣି, ତୁମର ବି ଆସିଯିବ’ ବୋଲି ଉତ୍ତ୍ୟକ୍ତ ଉପଭୋକ୍ତାଙ୍କୁ ଅଧିକାରୀ ବୁଝାଇ ଦେଇଛନ୍ତି। ଏହି ଅଞ୍ଚଳକୁ କେବେ ଲାଇନ୍‌ ଆସିବ ସେ ନେଇ କେହି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ତେବେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଖୁବ୍‌ ଶୀଘ୍ର ଲାଇନ୍‌ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସରଞ୍ଜାମ ନାହିଁ, ବୁଲୁଛନ୍ତି କୁଶଳୀ

ବିଦ୍ୟୁତ୍‌ ପୁନରୁଦ୍ଧାର କାମ ତ୍ବରାନ୍ବିତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲାଇନମ୍ୟାନ୍‌ ତଥା ଅନ୍ୟାନ୍ୟ କୁଶଳୀ କାରିଗରମାନଙ୍କୁ ଡକାଯାଇଛି। ସ୍ବତନ୍ତ୍ର ଗାଡ଼ି ଜରିଆରେ ସେମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ହେଲେ ସାଙ୍ଗରେ ସରଞ୍ଜାମ ଯଥା ପ୍ଲାସ୍‌, ଶିଡ଼ି, ଟାଇଫର ମେସିନ୍‌, ଡିସ୍‌ଚାର୍ଜ ରଡ୍‌, ଗ୍ଲୋବ୍‌ସ୍‌ ଏ ସବୁ ନ ଆଣି ଖାଲି ଆସିଛନ୍ତି। ଯଦିଓ ସେମାନଙ୍କ ପାଖରେ ଏ ସବୁ ଉପଲବ୍ଧ ଅଛି ଓ ସେମାନେ ପ୍ରତ୍ୟେକ ଦିନ ଏହି ସବୁ ସରଞ୍ଜାମର ବ୍ୟବହାର କରନ୍ତି। ଏ ସବୁ ଆଣି ନଥିବାରୁ ଆଜି ଏକ ଟିମ୍‌ ହଟହଟା ହୋଇଛି। ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରୁ ଆସିଥିବା ଏକ ଟିମ୍‌ ପ୍ରଥମେ ଲକ୍ଷ୍ମୀସାଗର, ଖଣ୍ଡଗିରି, ପରେ ଭରତପୁର ଯାଇ ବସିଛନ୍ତି। ହେଲେ କୌଣସି ପୁନରୁଦ୍ଧାର କାମରେ ଲାଗି ପାରିନାହାନ୍ତି। ‘ସରଞ୍ଜାମ ପାଇଁ କୁହାଯାଇନି’ ବୋଲି ଏହି କର୍ମଚାରୀ କହିଥିବା ବେଳେ ‘ଯୁଦ୍ଧ କ୍ଷେତ୍ରକୁ ଆସିଲେ କେହି ଖାଲି ହାତରେ ଆସେ କି’ ବୋଲି ଜଣେ ଅଧିକାରୀ ବିରକ୍ତ ହୋଇ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର