ଭୁବନେଶ୍ବର: ମୃତ୍ୟୁଯନ୍ତା ପଳାସୁଣି ଛକ ପୁଣି ନେଇଛି ଏକ ମୁଣ୍ଡ। ଆଜି ପୂର୍ବାହ୍ଣରେ ଏହି ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଭଦ୍ରକର ପ୍ରଶାନ୍ତ କୁମାର ବେଜ(୫୫)ଙ୍କ ମୃତ୍ୟୁ ଘଟିଛି। ପ୍ରଶାନ୍ତ ରାସ୍ତା ପାର୍ ହେଉଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା ଏବଂ ସେ ପଡ଼ିଯିବା ପରେ ଏକ ଟ୍ରକ୍ ତାଙ୍କ ମୁଣ୍ଡରେ ମାଡ଼ିଯାଇଥିଲା। ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବାରୁ ପ୍ରାୟ ୩ଘଣ୍ଟା କାଳ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ଫୁଟ୍ ଓଭରବ୍ରିଜ୍ ନିର୍ମାଣ ବିଳମ୍ବ ହେଉଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ଏବଂ ଜୀବନହାନି ହେଉଛି ବୋଲି ଅଭିଯୋଗ କରି ଲୋକେ ରାସ୍ତାରୋକ୍ କରିଥିଲେ। ପୁଲିସ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
୪ ମାସରେ ସରିବ ଫୁଟ୍ ଓଭରବ୍ରିଜ୍ ନିର୍ମାଣ
ଏହି ଛକରେ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ଜୁନ୍ ମାସରେ ଟେଣ୍ଡର ହୋଇଥିଲା। ଦଶହରା ପୂର୍ବରୁ କାମ ମଧ୍ୟ ଆରମ୍ଭ ହୋଇଛି। ଏବେ ଷ୍ଟିଲ୍ କାମ ଚାଲିଛି। ଖୁବ୍ଶୀଘ୍ର ସାରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ଆସନ୍ତା ୪ ମାସ ମଧ୍ୟରେ କାମ ସରିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି। ବିଳମ୍ବ ଉପରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଦଶହରା ପାଇଁ କାମ ବନ୍ଦ ରହିଥିଲା।
ଉଚ୍ଚା ହେବ ଡିଭାଇଡର୍
ଏହି ଛକରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ରୋକିବାକୁ ଆଉ ଏକ ଅସ୍ଥାୟୀ ତଥା ସାମୟିକ ପଦକ୍ଷେପ ନିଆଯିବ। ଏହି ଛକରେ ବିପଜ୍ଜନକ ଭାବେ ରାସ୍ତା ପାର୍ ନ ହେବାକୁ ଡିଭାଇଡର୍ରେ ଲୁହା ରେଲିଂ ଲାଗିଛି। କିନ୍ତୁ ଲୋକମାନେ ଏହାକୁ ମାନୁ ନାହାନ୍ତି। ରେଲିଂ କାଟି ଦେଉଛନ୍ତି ଏବଂ ବିପଜ୍ଜନକ ଭାବେ ରାସ୍ତା ପାର୍ ହେଉଛନ୍ତି। ତେଣୁ ଏଠାରେ ରାସ୍ତା ଡିଭାଇଡର୍କୁ ଅଧିକ ଉଚ୍ଚ କରାଯିବ। ଏକ ସପ୍ତାହ ମଧ୍ୟରେ ରାସ୍ତା ଡିଭାଇଡର୍କୁ ମରାମତି କରାଯାଇ ଅଧିକ ଉଚ୍ଚା କରାଯିବ। ଫଳରେ ଲୋକମାନେ ଆଉ ଏଠାରେ ରାସ୍ତା ପାର୍ ହୋଇପାରିବେ ନାହିଁ।
ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ପ୍ରଶାନ୍ତ ପଳାସୁଣି ଛକରେ ବସ୍ରୁ ଓହ୍ଲାଇଥିଲେ। ସେ ଭଦ୍ରକ ଧୁଷୁରୀରୁ କୌଣସି କାମରେ ରାଜଧାନୀ ଆସିଥିଲେ। ପଳାସୁଣି ଛକରେ ସେ କିଛି ସମୟ ଅପେକ୍ଷା କରିବା ପରେ ରାସ୍ତା ପାର୍ ହେଉଥିଲେ। ସେ ରାସ୍ତା ମଝିରେ ପହଞ୍ଚିଥିବା ସମୟରେ କଟକ ପଟୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ବାଇକ୍ ଚାଳକ ଓ ପ୍ରଶାନ୍ତ ରାସ୍ତା ଉପରେ ପଡ଼ିଯାଇଥିଲେ। ଠିକ୍ ସେତିକିବେଳେ ସେହି ଦିଗରୁ ଆସୁଥିବା ଏକ ଟ୍ରକ୍ ପ୍ରଶାନ୍ତଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣା ପରେ ଟ୍ରକ୍ଟି ସେଠାରୁ ପଳାଇଥିଲା। କିନ୍ତୁ ବାଇକ୍ ଚାଳକ ଆହତ ଅବସ୍ଥାରେ ପଡ଼ିରହିଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକମାନେ ରାସ୍ତା ଉପରକୁ ମାଡ଼ିଆସିଥିଲେ। ଛକର ଦୁଇ ପଟ ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚିଥିଲା। ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇବାକୁ ବାହାରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ଛାଡ଼ିନଥିଲେ। ଫୁଟ୍ ଓଭରବ୍ରିଜ୍ ନିର୍ମାଣ ବିଳମ୍ବ ହେଉଥିବା ଅଭିଯୋଗ କରି ନାରାବାଜି କରିଥିଲେ। ୨ବର୍ଷ ଭିତରେ ଏଠାରେ ୬୦ଜଣଙ୍କ ଜୀବନ ଗଲାଣି ବୋଲି ସେମାନେ ଅଭିଯୋଗ କରିଥିଲେ। ଆଉ କେତେ ମୁଣ୍ଡ ଗଡ଼ିବା ପରେ ଏହି ଛକର ସମସ୍ୟା ସୁଧୁରିବ ବୋଲି ସେମାନେ ପ୍ରଶ୍ନ କରି ରାସ୍ତାରେ ଧାରଣା ଦେଇଥିଲେ। ଘଟଣାସ୍ଥଳକୁ ଏନ୍ଏଚ୍ଆଇ ଅଧିକାରୀ ଓ ମନ୍ତ୍ରୀ ନ ଆସିବା ଯାଏ ସେମାନେ ଶବ ଉଠାଇବାକୁ ଦେବେ ନାହିଁ ବୋଲି ଅଡ଼ି ବସିଥିଲେ। ଏମିତିରେ ୩ଘଣ୍ଟା ବିତିଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଥିଲା। ସୂଚନାଯୋଗ୍ୟ ଯେ ଗତ ମାସ ୭ ତାରିଖରେ ଏହି ଛକରେ ଗଞ୍ଜାମ ପାଟପୁରର ବୁଲା ସେଠୀଙ୍କ ଉପରେ ଟ୍ରକ ଚଢ଼ିଯାଇଥିଲା। ଜୁଲାଇ ୧୪ ତାରିଖ ଦିନ ଏଠାରେ ଘଟିଥିବା ଏକ ସିରିଜ୍ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ସେହିଭଳି ମେ’ ୮ ତାରିଖ ଦିନ ଏହି ଛକରେ ଏକ ଦମ୍ପତିଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/22/PYgMKoajJ3eJBcnJhvz4.jpg)