ଖଣ୍ଡଗିରି : ଗତ ଫେବ୍ରୁଆରି ମାସରେ ଜମିଥିଲା ରାସ୍ତା ଉପରେ ନର୍ଦମା ପାଣି। ଲୋକେ ରାଜରାସ୍ତାକୁ ଓହ୍ଲାଇବା ପରେ ଚେତିଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଅସ୍ଥାୟୀ ସମାଧାନ କରି ହାତ ଝାଡ଼ି ଦେଇଥିଲା। କିନ୍ତୁ ପୁଣି ସେହି ରାସ୍ତାରେ ଲହଡ଼ି ମାରିଲା ନର୍ଦମା ପାଣି। ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି। ଖଣ୍ଡଗିରିରୁ ଡୁମୁଡୁମାକୁ ଲମ୍ବିଥିବା ଜାତୀୟ ରାଜପଥ ସର୍ଭିସ୍ ରୋଡ୍ରେ ୧୦୦ ମିଟରରୁ ଅଧିକ ଲମ୍ବରେ ଜମି ରହିଛି ପଚା ପାଣି। ଫଳରେ ଖଣ୍ଡଗିରି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାତାୟାତରେ ହଜାର ହଜାର ସ୍ଥାନୀୟ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖଣ୍ଡଗିରିରୁ ଡୁମୁଡୁମାକୁ ଲମ୍ବିଥିବା ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡ୍ରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। କସ୍ମୋପଲି ଛକ ଓ ଆଇଗିଣିଆ କଲଭର୍ଟ ମଧ୍ୟରେ ଉକ୍ତ ରାସ୍ତା ଉପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ପଚା ପାଣି ଜମି ରହିଛି। ତେଣୁ ଡୁମୁଡୁମା, ଯଦୁପୁର, ହାଉସିଂ ବୋର୍ଡ କଲୋନି, ରଘୁନାଥନଗର ଓ ଜାଗମରା ଆଦି ଅଞ୍ଚଳର ହଜାର ହଜାର ଲୋକ ଯାତାୟାତରେ ବଡ଼ ହିନସ୍ତା ହେଉଛନ୍ତି। ବିଶେଷକରି ରାତିରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ଫେବ୍ରୁଆରି ମାସରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେଣୁ ବିଏମ୍ସି ପକ୍ଷରୁ ଏହି ଅଂଶରେ ଏକ ଅସ୍ଥାୟୀ ଡ୍ରେନ୍ କରାଯାଇଥିଲା। ରାସ୍ତା କଡ଼ରେ ପାଇପ୍ ପୋତା ଯାଇ ନର୍ଦମା ପାଣିକୁ ବାହାରକୁ ଛଡ଼ା ଯାଉଥିଲା। କିନ୍ତୁ ଏବେ ପୁଣି ଉକ୍ତ ଡ୍ରେନ୍ ପୋତି ହୋଇଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ କିଛି ବ୍ୟବସାୟୀ ସେମାନଙ୍କ ପ୍ରତିଷ୍ଠାନକୁ ରାସ୍ତା କରିବାକୁ ଯାଇ ମୋରମ୍ ଗଦା କରିବାରୁ ଡ୍ରେନ୍ ପୋତି ହୋଇପଡ଼ିଛି। ଏ ନେଇ ସ୍ଥାନୀୟ କର୍ପୋରେଟରମାନଙ୍କ କହିବା କଥା ସେମାନେ ବିଏମ୍ସିକୁ ଏ ନେଇ ଜଣାଇଛନ୍ତି ଓ ଖୁବ୍ ଶୀଘ୍ର ପୁଣି ଡ୍ରେନ୍ ଖୋଳାଯିବ।
ପୁଣି ସର୍ଭିସ୍ ରୋଡ୍ରେ ନର୍ଦମା ପାଣିର ବନ୍ୟା : ଡୁମୁଡୁମାରେ ଜନ ଅସନ୍ତୋଷ
/sambad/media/post_attachments/wp-content/uploads/2018/06/arjuna-road-story.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)