ଚନ୍ଦକାରେ ବଢ଼ିବେ କୃଷ୍ଣସାର

ପରୀକ୍ଷାମୂଳକ ଭାବେ ୫୦ଟି ଛାଡ଼ିବାକୁ ଯୋଜନା, ରାଜ୍ୟରେ କୃଷ୍ଣସାରଙ୍କ ସଂଖ୍ୟା ୪ ହଜାର ଟପିଲା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଦେଖିବାକୁ ମିଳିବେ କୃଷ୍ଣସାର ମୃଗ। ପର୍ଯ୍ୟଟକ ଜଙ୍ଗଲ ଭିତରେ ବୁଲିବା ସମୟରେ ଦୂରରେ ରହି ସେମାନଙ୍କ ଚଳପ୍ରଚଳ ଦେଖିପାରିବେ। ଚଳିତବର୍ଷ ରାଜ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚନ୍ଦକାରେ କୃଷ୍ଣସାର ମୃଗ ଛାଡ଼ି ବଂଶବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଚନ୍ଦକା ପରିବେଶ ସହ କୃଷ୍ଣସାର ମୃଗ କିଭଳି ଖାପଖୁଆଇ ରହିପାରିବେ ତାହା ଉପରେ ତର୍ଜମା ଚାଲିଛି। ଅନୁଧ୍ୟାନ ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କୃଷ୍ଣସାର ମୃଗଙ୍କ ବାସସ୍ଥାନ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ବାଲିପଦର-ଭେଟନୋଇ ଅଞ୍ଚଳରେ ଚଳିତବର୍ଷ ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୧-୧୨ରେ ଏହି ଅଞ୍ଚଳରେ ପ୍ରାୟ ୨୧୦୦ କୃଷ୍ଣସାର ମୃଗ ଥିବା ବେଳେ ତାହା ବୃଦ୍ଧି ପାଇ ୨୦୧୪-୧୫ରେ ୩୮୦୬ରେ ପହଞ୍ଚିଥିଲା। ଏବେ ତାହା ବୃଦ୍ଧି ପାଇ ୪୦୮୦ରେ ପହଞ୍ଚିଛି। ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟାରେ ମୃଗ ରହିବା ଦ୍ୱାରା ମଣିଷ ଓ ମୃଗଙ୍କ ମଧ୍ୟରେ ଲଢ଼େଇ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କୃଷ୍ଣସାର ମୃଗ ସ୍ଥାନାନ୍ତର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଗଞ୍ଜାମ ଜିଲ୍ଲାର ଘୁମୁସର ଓ ବ୍ରହ୍ମପୁର ବନଖଣ୍ଡରେ ଥିବା ଏହି ମୃଗଙ୍କ ମଧ୍ୟରୁ ଅଳ୍ପ କିଛି ପୁରୀ ବନଖଣ୍ଡରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। କୋଣାର୍କ-ପୁରୀ ବାଲୁଖଣ୍ଡରେ ଏମାନଙ୍କୁ ଛଡ଼ାଯିବ। ୨୦୧୨-୧୩ରେ ଏହି ବାଲୁଖଣ୍ଡରେ ପ୍ରାୟ ୨୨ଟି ମୃଗ ଥିବା ଗଣନା ବେଳେ ଜଣାପଡ଼ିଥିଲା। ହେଲେ ଏବେ ଆଉ କୃଷ୍ଣସାର ମୃଗ ଦେଖିବାକୁ ମିଳୁ ନାହାନ୍ତି। ସେଥିପାଇଁ ଏହି ଅଞ୍ଚଳରେ ମୃଗ ବଂଶ ବୃଦ୍ଧି କରିବାକୁ ସ୍ଥିର ହୋଇଛି।

ଅନ୍ୟପକ୍ଷରେ କିଛି ମୃଗଙ୍କୁ ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଛାଡ଼ିବାକୁ ବି ନିଷ୍ପତ୍ତି ନେଇଛି ଜଙ୍ଗଲ ଓ ପରିବେଶ ବିଭାଗ। ପିସିସିଏଫ୍‌ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ ନିକଟରେ କହିଥିଲେ, ପୁରୀ ଓ ଚନ୍ଦକା ବନଖଣ୍ଡରେ କୃଷ୍ଣସାର ମୃଗଙ୍କୁ ଛଡ଼ାଯିବ। କୋଣାର୍କ-ପୁରୀ ବାଲୁଖଣ୍ଡରେ ଛାଡ଼ିବାକୁ ଏକପ୍ରକାର ନିଷ୍ପତ୍ତି ହୋଇସାରିଛି। ଚନ୍ଦକାରେ ପରୀକ୍ଷାମୂଳକ ଭାବେ ଅଳ୍ପ କିଛି ଛଡ଼ାଯିବ। ଯଦି ତାହା ସଫଳ ହୁଏ ତେବେ ଅଧିକ ସଂଖ୍ୟାରେ ମୃଗଙ୍କୁ ଛଡ଼ାଯିବ। ବିଭାଗର ଜଣେ ଅଧିକାରୀ କହିଛନ୍ତି ଚନ୍ଦକାରେ କୃଷ୍ଣସାର ଛାଡ଼ିବା ପୂର୍ବରୁ ବିଚାରବିମର୍ଶ କରାଯାଉଛି। କେଉଁ ପରିବେଶ ଓ କିଭଳି ପରିସ୍ଥିତିରେ କୃଷ୍ଣସାର ମୃଗ ତିଷ୍ଠି ରହିବେ ସେନେଇ ଆଲୋଚନା ଚାଲିଛି। ଏ ନେଇ ବିଶେଷଜ୍ଞଙ୍କ ମତ ନିଆଯାଉଛି। ପରୀକ୍ଷାମୂଳକ ଭାବେ ୫୦ରୁ ୧୦୦କୃଷ୍ଣସାରଙ୍କୁ ଚନ୍ଦକାରେ ଛଡ଼ାଯିବ। ସେମାନେ ଏହି ପରିବେଶ ସହ ଖାପଖୁଆଇ ଚଳିବା ସହ ବଂଶ ବୃଦ୍ଧି ପାଇବ। ପରୀକ୍ଷାମୂଳକ ସଫଳତା ମିଳିଲେ ପରବର୍ତୀ ସମୟରେ ଅଧିକ କୃଷ୍ଣସାର ଅଣାଯିବ ବୋଲି ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର