ଭୁବନେଶ୍ବର: ଜଣକ ପରେ ଜଣକ ମୁଣ୍ଡ ନେବାରେ ଲାଗିଛି ରାଜଧାନୀର ପ୍ରାଣଘାତକ ମୁକୁଳା ନାଳ। ପ୍ରତିବର୍ଷ କେହି ନା କେହି ନାଳରେ ପଡ଼ି ଅବା ଭାସି ମରୁଛନ୍ତି। କେତେବେଳେ ଶିଶୁ ତ କେତେବେଳେ ଯୁବକ, ବୟସ୍କଙ୍କ ମୁଣ୍ଡ ଗଡ଼ୁଛି। ଗତବର୍ଷ ଜୁନ୍ରେ ୟୁନିଟ୍-୩ ମସ୍ଜିଦ୍ କଲୋନିରେ ନାଳରେ ଭାସିଯାଇ ଛାତ୍ର ଏସ୍ କେ ରାଜେଶ(୯)ଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତମ୍ବିତୋଫାନ ପରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ତତ୍କାଳ ରାଜଧାନୀର ସ୍ଥିତି ଅନୁଧ୍ୟାନ କରିଥିଲେ। ରାଜଧାନୀର କୌଣସିଠାରେ ମୁକୁଳା ନାଳ ରହିବନି ଓ ଦୁଇମାସ ଭିତରେ ସବୁ ମୁକୁଳା ନାଳ ବନ୍ଦ ହେବ ବୋଲି ଘୋଷଣା କଲେ। କିନ୍ତୁ ଏହା କେବଳ ଭାଷଣବାଜିରେ ସୀମିତ ରହିଛି। ଘୋଷଣାକୁ ବର୍ଷେ ବିତିଥିଲେ ବି ନାଳ ପୂର୍ବଭଳି ମୁକୁଳା ପଡ଼ିଛି ଓ ଚଳିତ ବର୍ଷାରେ ପ୍ରାଣ ନେବାକୁ ଅନାଇ ବସିଛି। ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ବିବେକାନନ୍ଦ ମାର୍ଗ, ବ୍ଲୁ ହସ୍ପିଟାଲ୍ ରାସ୍ତା, ୟୁନିଟ୍-୯ କ୍ୟାପିଟାଲ୍ ଫୁଟ୍ବଲ୍ ଏରେନା, ଚକେଇସିଆଣି ରାସ୍ତା, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରାସ୍ତା, ଖାରବେଳନଗର ପାର୍କ ରାସ୍ତା, ନଳିନୀ ଦେବୀ କଲେଜ ରାସ୍ତା, ଉତ୍କଳ ବିପନ୍ନ ସହାୟତା ସମିତି ସମ୍ମୁଖ ରାସ୍ତା, ୟୁନିଟ୍-୨ ପେଟ୍ରୋଲ ପମ୍ପ ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ। କେଉଁଠି ନାଳ ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି ତ କେଉଁଠି ନାଳ ଉପରେ ସ୍ଲାବ ନାହିଁ। ପୁଣି କେଉଁଠି ନାଳକୁ ତାଡ଼ି ସେହିଭଳି ଛାଡ଼ି ଦିଆଯାଇଛି। ସାମାନ୍ୟ ଅନ୍ୟମନସ୍କ ହେଲେ, ଜୀବନ ଯିବାର ଭୟ ରହିଛି।
ବେଫିକର୍ ବିଏମ୍ସି
ମରାମତି ଘୋଷଣା କରି ଭୁଲିଗଲେ ମନ୍ତ୍ରୀ
ସେପଟେ ପ୍ରତିବର୍ଷ ଖୋଲା ନାଳ ଅନୁଧ୍ୟାନ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସ୍ବତନ୍ତ୍ର ଅନୁଧ୍ୟାନ କମିଟି ଗଠନ କରାଯାଉଛି। ଖୋଲା ନାଳରେ ସ୍ଲାବ୍ ପକାଇବାକୁ ଯୋଜନା କରାଯାଉଛି। କିନ୍ତୁ ଏହା କେବଳ କାଗଜକଲମରେ ସୀମିତ ରହୁଛି। ସେ ମୁଖ୍ୟ ନାଳ ହେଉ କି ଶାଖା ନାଳ, ଆଜି ସୁଦ୍ଧା ପୂର୍ଣ୍ଣମାତ୍ରାରେ ସୁରକ୍ଷିତ ହୋଇପାରିନି। ରାଜଧାନୀର ମୁକୁଳା ଡ୍ରେନ୍ର ଡର ଆଜିକାର ନୁହେଁ। ବିଗତ ୧୦ ବର୍ଷ ଭିତରେ ୧୦ରୁ ଅଧିକ ଜଣଙ୍କ ନାଳରେ ପଡ଼ି ମୃତ୍ୟୁ ହୋଇଛି। ନିକଟରେ ଖୋଲା ଡ୍ରେନ୍ରେ ପଡ଼ି ଖଣ୍ଡୁଆ ବସ୍ତିର ଶାନ୍ତନୁ ରାଉତ(୩୫)ଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ଜୁନ୍ ମାସରେ ରାଜେଶଙ୍କ ମୃତ୍ୟୁ ପରେ ଭୁବନେଶ୍ବର ମହାନଗର ନିଗମର ଜଣେ ଆସିଷ୍ଟାଣ୍ଟ୍ ଇଂଜିନିୟରଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ଘଟଣାକୁ ନେଇ ସେପ୍ଟେମ୍ବର ବିଧାନସଭା ଅଧିବେଶନରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ଅନ୍ୟମାନେ ଗୃହରେ ତମ୍ବିତୋଫାନ କରିଥିଲେ। ସେ ସମୟରେ ମନ୍ତ୍ରୀ ଡ. ମହାପାତ୍ର ସମାନ କଥା ଦୋହରାଇଥିଲେ। ସରକାର ଖୋଲା ନାଳର ବ୍ୟାରିକେଡିଂ ଓ ସ୍ଲାବ୍ ପକାଇବା ଉପରେ ଯୋଜନା କରି ସାରିଛନ୍ତି ବୋଲି କହିଥିଲେ। କିନ୍ତୁ ଯଥାପୂର୍ବଂ ତଥା ପରଂ।
ସୂଚନାଯୋଗ୍ୟ, ଭୁବନେଶ୍ବରର ନାଳ ହିସାବ ଦେଖିଲେ, ଭୁବନେଶ୍ବର ମହାନଗର ନିଗମ ଅଧୀନରେ ୧୪୦୦ କିଲୋମିଟର, ପୂର୍ତ୍ତ ବିଭାଗ ଅଧୀନରେ ୩୬୦ କିଲୋମିଟର, ଇଡ୍କୋ ଅଧୀନରେ ୬୫ କିଲୋମିଟର ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅଧୀନରେ ୩୪.୫ କିଲୋମିଟର ନାଳ ରହିଛି। ୧୧ଟି ମୁଖ୍ୟ ନାଳ ରହିଛି, ଯାହାର ଲମ୍ବ ୭୭ କିଲୋମିଟର। ୨୦୨୨ରେ ପତିତପାବନନଗରରେ ଗୌତମ ରେଡ୍ଡି(୪), ୨୦୨୧ରେ ଶିରିପୁର ଶତାଦ୍ଦୀନଗରରେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା(୧୫), ୨୦୧୯ରେ ଏକାମ୍ର ଭିଲ୍ଲା ରୋଡ୍ରେ ଏ. ଆପଲାମା, ୨୦୧୮ରେ ୟୁନିଟ୍-୬ ଅଞ୍ଚଳରେ ହରି ପଟ୍ଟନାୟକ, ୨୦୧୭ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଜଣ, ୨୦୧୫ରେ ନୟାପଲ୍ଲୀ ମମ୍ତାଜ୍ ଅଲ୍ଲୀ ହାଇସ୍କୁଲ ନିକଟରେ ଜଣେ ୯ ବର୍ଷର ବାଳକଙ୍କର ନାଳରେ ପଡ଼ି ମୃତ୍ୟୁ ହୋଇଥିଲା।