ଭୁବନେଶ୍ବର: ରାଜଧାନୀରେ ରାସ୍ତାକୁ ବାହାରିବା ମାତ୍ରେ ଜୀବନପ୍ରତି ବିପଦ। କେତେବେଳେ କାହା ଉପରେ ଟ୍ରକ ମାଡ଼ିଗଲାଣି ତ କେତେବେଳେ କାର୍‌ ବାଡ଼େଇ ଦେଲାଣି। ଲୋକମାନେ ପ୍ରାତଃଭ୍ରମଣ କି କିଣାକିଣି ଅଥବା ଅନ୍ୟ କିଛି କାମରେ ଘରୁ ବାହାରୁଛନ୍ତି, କିନ୍ତୁ ଆଉ ଫେରୁ ନାହାନ୍ତି। କେବେ ଜୀବନ ପଳାଉଛି ତ କେବେ ପଙ୍ଗୁ ହୋଇଯାଉଛି। ଛକଛକରେ ପୁଲିସ ମୁତୟନ, ପିସିଆର୍‌ ଓ ସିସିଟିଭିର ୨୪ ଘଣ୍ଟିଆ ସତର୍କ ନଜର କଥା ଦାବି କରା ଯାଉଥିଲେ ହେଁ ଏପ୍ରକାର ଘଟଣା ବନ୍ଦ ହେବା ବଦଳରେ ବଢ଼ି ଚାଲିଛି। ଆଜି ସକାଳ ସମୟରେ ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଚାଲୁଥିବା ବେଳେ ଟ୍ରକ ମାଡ଼ିଯିବାରୁ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଭୋର ସମୟରେ ପଳାସପଲ୍ଲୀ ନିକଟ ରାସ୍ତାରେ ଅନ୍ୟଜଣେ ବ୍ୟକ୍ତିଙ୍କୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଏୟାରଫିଲ୍ଡ ଥାନା କପିଳପ୍ରସାଦ ଅଞ୍ଚଳର ସଦାନନ୍ଦ ସ୍ବାଇଁ(୭୨)। ଏନେଇ ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁକରି ଟ୍ରକଙ୍କୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ସେହିପରି ପଳାସପଲ୍ଲୀ ଛକ ନିକଟରେ ଅଜଣା କାର୍‌ ଧକ୍କା ଯୋଗୁଁ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ଚରଣ ସାହୁ।

Advertisment

ସୂଚନା ମୁତାବକ, ସବୁଦିନ ଭଳି ଆଜି ସକାଳ ସମୟରେ ବରିଷ୍ଠ ନାଗରିକ ସଦାନନ୍ଦ ପ୍ରାତଃ ଭ୍ରମଣ ପାଇଁ ପୋଖରୀପୁଟ ମଧୁସୂଦନ ପାର୍କକୁ ଯାଇଥିଲେ। ରାସ୍ତା ଅତିକ୍ରମ କରୁଥିବା ବେଳେ ଖଣ୍ଡଗିରି ଛକ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ସଦାନନ୍ଦଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ସେ ଛିଟିକିଯାଇ କିଛିବାଟ ଦୂରରେ ପଡ଼ିଥିଲେ। ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସହିତ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ। ଟ୍ରକଟି ସେଠାରୁ ଆଖି ପିଛୁଳାକେ ଫେରାର୍‌ ହୋଇଯାଇଥିଲା। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚି ସଦାନନ୍ଦଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପରିବାରଲୋକ ହସ୍ପିଟାଲ୍‌ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯାଇ ମୃତହେଦ ହସ୍ତାନ୍ତର କରାଯାଇଥିଲା। ସେହିପରି ସୋମବାର ଭୋର ସମୟରେ ପଳାସପଲ୍ଲୀ ଅଞ୍ଚଳର ଚରଣ ସାହୁ ନିକଟ ଛକରେ ଚଲାବୁଲା କରୁଥିଲେ। ଏହି ସମୟରେ ଓଭରବ୍ରିଜ୍‌ ପଟୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ସେ ସେଠାରେ ପଡ଼ି ରହିଥିବା ବେଳେ କାର୍‌ଟି ସେଠାରୁ ଫେରାର୍‌ ହୋଇଯାଇଥିଲା। ବାଟରେ ଯାଉଥିବା ଲୋକମାନେ ଚରଣଙ୍କୁ ଗୁରୁତର ଅବସ୍ଥାରେ ଦେଖି ପରିବାରଲୋକଙ୍କୁ ଖବର ଦେଇଥିଲେ। ପରିବା‌ରଲୋକ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶରୀରରେ ଗଭୀର ଆଘାତ ଲାଗିଛି। ତେବେ ସିସିଟିଭିରୁ ପୁଲିସ କାର୍‌କୁ ଠାବ କରିଥିଲେ ମଧ୍ୟ ନମ୍ବର ଜଣାପଡ଼ିନଥିବାରୁ ଧରି ପାରିନାହିଁ।

ଜୁନ୍‌ ୨୯ ତାରିଖ ରାତିରେ ଟ୍ରାଫିକ୍‌ କନଷ୍ଟେବଳ ମଧୁସୂଦନ କିର୍ସାନୀ ଡ୍ୟୁଟି ସାରି ଖଣ୍ଡଗିରିସ୍ଥିତ ଘରକୁ ଫେରୁଥିଲେ। ଜୟଦେବିହାର ଓଭରବ୍ରିଜ୍‌ରୁ ତଳକୁ ଖସୁଥିବା ବେଳେ ଏକ ଅଜଣା କାର୍‌ ତାଙ୍କୁ ଧକ୍କା ଦେଇଥିଲା ଚମ୍ପଟ ମାରିଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇଦିନ ପରେ ପୁଲିସ କାର୍‌କୁ ଭଦ୍ରକରୁ ଠାବ କରି ଚାଳକକୁ ଗିରଫ କରିଥିଲା।

ମାର୍ଚ୍ଚ ୩୧ ଅପରାହ୍ଣ ୪ଟା ବେଳେ ପଣ୍ଡାପାର୍କ ଛକରେ ଥିବା ଏକ ଚା’ ଦୋକାନ ଉପରକୁ ମର୍ସିଡିଜ୍‌ କାର୍‌ ମାଡ଼ିଯିବାରୁ ଚା’ ବ୍ୟବସୟୀ ଦିଲ୍ଲୀପ ପରିଡ଼ାଙ୍କ ମୃତ୍ୟୁ ଘଟିଥିଲା। ଦିଲ୍ଲୀପ ଦୋକାନ ସମ୍ମୁଖରେ ଝାଡ଼ୁ କରୁଥିବା ବେଳେ ହଠାତ୍ ମାଡ଼ି ଆସି କାର୍ ଧକ୍କା ଦେଇଥିଲା। ଘଟଣାରେ ପୁଲିସ ଅଭିଯୁକ୍ତ ଚାଳକକୁ ଗିରଫ କରିଥିଲା।

ଏପ୍ରିଲ୍‌ ୮ ରାତି ପ୍ରାୟ ୧୦ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବାଣୀବିହାର ନିକଟ ସତ୍‌ସଙ୍ଗବିହାର ଛକରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ୍‌ ରାସ୍ତାକଡ଼କୁ ମାଡ଼ିଯାଇ ଗୋଟିଏ ପରିବାରର ୪ ଜଣଙ୍କୁ ଧକ୍କା ଦେଇଥିଲା। ଏଥିରେ ମା’, ଝିଅ, ନାତି ଓ ନାତୁଣୀ ଗୁରୁତର ଆହତ ହୋଇଥିଲେ।

୧୫ ଜୁଲାଇ ୧୬ ନମ୍ବର ଜାତୀୟ ରାଜପଥର ସତ୍‌ସଙ୍ଗବିହାର ଛକରେ ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାଲିଆସାହି ଅଞ୍ଚଳରେ ରହୁଥିବା ସୂର୍ଯ୍ୟମଣି ବେହେରା(୫୦)। ବସ୍‌ ମାଡ଼ିଯିବା ପରେ ସୂର୍ଯ୍ୟମଣି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ପଡ଼ିରହିଥିଲେ। ଆମ୍ବୁଲାନ୍‌ସ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ଜୀବନଦୀପ ଲିଭିଯାଇଥିଲା।