ନିଶା ନିବାରଣ କେନ୍ଦ୍ରରେ ସେକ୍ସନ୍‌ ଅଫିସର୍‌ଙ୍କ ମୃତ୍ୟୁ ମାମଲା: ଅନ୍ତେବାସୀଙ୍କ ବୟାନ ରେକର୍ଡରୁ ଛାନ୍‌ଭିନ୍‌ ଆରମ୍ଭ

ଭୁବନେଶ୍ବର: କୋଳଥିଆସ୍ଥିତ ନିଶା ନିବାରଣ କେନ୍ଦ୍ର ନିଷ୍ଠାର ଅନ୍ତେବାସୀ ତଥା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସେକ୍ସନ ଅଫିସର ରାଜୀବ କୁମାର ଶ୍ରୀଚନ୍ଦନଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୁଲିସ। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଓ ଚର୍ଚ୍ଚା ହେଉଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ତେବେ ଆଜି ପୁଲିସ ପକ୍ଷରୁ କିଛି ଅନ୍ତେବାସୀଙ୍କ ବୟାନ୍‌ ରେକର୍ଡ କରାଯାଇଛି। ତେଣୁ ପୁଲିସ ହତ୍ୟା ମାମଲା ରୁଜୁ କରିନଥିଲେ ମଧ୍ୟ ତଦନ୍ତର ଦିଗ ସେଇଆଡ଼କୁ ମୁହାଁଇଛି ବୋଲି କୁହାଯାଉଛି। ଖଣ୍ଡଗିରି ଥାନା ପୁଲିସ ସୂଚନାନୁସାରେ କେନ୍ଦ୍ରର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବ। ଏଥିସହିତ ଆଉ କେତେଜଣ ଅନ୍ତେବାସୀଙ୍କ ବୟାନ ରେକର୍ଡ କରାଯିବ।

ଏହାବାଦ୍‌ ଶବ ବ୍ୟବଚ୍ଛେଦ ‌ରିପୋର୍ଟ ଆସିବା ପରେ ଆଇନ ଅନୁସାରେ ତଦନ୍ତ ଚାଲିବ। ଆଜି ବ୍ୟବଚ୍ଛେଦ ପରେ ରାଜୀବଙ୍କ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଏକ ଶୋକାକୂଳ ପରିବେଶରେ ସମ୍ପର୍କୀୟମାନେ ରାଜୀବଙ୍କ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରାଇଛନ୍ତି। ଏବେ ତାଙ୍କ ଘରେ କେବଳ ଦୁଇ ଜଣ ବୃଦ୍ଧା ରୋଗ ଶଯ୍ୟାରେ ପଡ଼ିଛନ୍ତି। ରାଜୀବଙ୍କ ବିଧବା ମା’ ଓ ଜେଜେମା ବଡ଼ ଦୟନୀୟ ଅବସ୍ଥାରେ ଅଛନ୍ତି। ରାଜବୀଙ୍କ ମୃତ୍ୟୁ ସେମାନଙ୍କୁ ବେସାହାର କରିଦେଇଛି।

ସୂଚନାଯୋଗ୍ୟ ଯେ ରାଜୀବ କୁସଙ୍ଗରେ ପଡ଼ି ନିଶାସକ୍ତ ହୋଇଯାଇଥିଲେ। ତେବେ କିଛି ଦିନ ହେଲା ସେ ନିଶା ଛାଡ଼ିବା ପାଇଁ ମନ ବଳାଇଥିଲେ ଓ ନିଜ ଆଡ଼ୁ ତାଙ୍କ ସାଙ୍ଗ ମାନସଙ୍କୁ ଏକ ନିଶା ନିବାରଣ କେନ୍ଦ୍ର ଖୋଜିବାକୁ କହିଥିଲେ। ଦୀପାବଳି ଦିନ ମାନସ ତାଙ୍କୁ ନେଇ କୋଳଥିଆସ୍ଥିତ ନିଶା ନିବାରଣ କେନ୍ଦ୍ର ‘ନିଷ୍ଠା’ରେ ଛାଡ଼ିଥିଲେ। କିନ୍ତୁ ହଠାତ୍ ମଙ୍ଗଳବାର ଘଟିଲା ଅଘଟଣ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ସଂଜୀବ ପଣ୍ଡା ନାମକ ଜଣେ ବ୍ୟକ୍ତି ମାନସଙ୍କୁ ଫୋନ୍‌ କରି କ୍ୟାପିଟାଲ ହସ୍ପିଟାଲକୁ ଆସିବା ପାଇଁ କହିଥିଲେ। ରାଜୀବ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି କହିଥିଲେ। ମାନସ ଓ ତାଙ୍କର କିଛି ବନ୍ଧୁ ହସ୍ପିଟାଲରେ ପହଞ୍ଚିବା ବେଳକୁ ରାଜୀବଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ତେବେ ରାଜୀବଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ସନ୍ଦେହ କରି ମାନସ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର