ଭୁବନେଶ୍ୱର : ରାସ୍ତାକଡ଼ରେ ମୃତ୍ୟୁର ଜାଲ ବିଛା ଯାଇଛି। ଟିକେ ଅସାବଧାନତା ହିଁ ଜୀବନ ନେଇଯାଉଛି। ମୁକୁଳା ଡ୍ରେନ୍ ଏବେ ମୃତ୍ୟୁଯନ୍ତା ପାଲଟିଛି। ଯାହା ରାଜଧାନୀବାସୀଙ୍କୁ ଅକାଳ ମୃତ୍ୟୁ ଭେଟି ଦେଉଛି। ଗତ ଚାରି ବର୍ଷରେ ୬ଜଣ ଏହି ମୁକୁଳା ଡ୍ରେନ୍ରେ ପଡ଼ି ମଲେଣି। ଶତାଧିକ ବି ଆହତ ହେଲେଣି। ହେଲେ ପ୍ରଶାସନ ଚେତୁନି। ଲୋକ ମୁକୁଳା ଡ୍ରେନ୍ରେ ପଡ଼ି ମରିବା ପରେ ଆଶ୍ୱାସନା ଜଣାଇବାକୁ ନେତା ଓ ଅଧିକାରୀଙ୍କ ସୁଅ ଛୁଟୁଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧି ଜୁଟୁନି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ଯେତିକି ରାସ୍ତା ଅଛି ତା’ର ଚାରି ଭାଗରୁ ଭାଗେ ରାସ୍ତାରେ ଡ୍ରେନ୍ ନିର୍ମାଣ ହୋଇଛି। ସେଥିରୁ ପୁଣି ଅଧାରୁ ଅଧିକ ମୁକୁଳା। କେଉଁଠି ଡ୍ରେନ୍ ତିନି ଫୁଟ ତ କେଉଁଠି ଦୁଇ ଫୁଟ ଗଭୀର। ଏମିତି ଢାଞ୍ଚାରେ କେତୋଟି ଡ୍ରେନ୍ ନିର୍ମାଣ ହୋଇଛି, ଯେଉଁଥିରେ ପଡ଼ିଲେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏହି ଡ୍ରେନ୍ ଉପରେ ଘୋଡ଼ଣୀ ପକାଇବାକୁ ପଦକ୍ଷେପ ନିଆଯାଉନି।
ମୁକୁଳା ଡ୍ରେନ୍ରେ ପଡ଼ି ଗୋଟେ ପରେ ଗୋଟେ ଜୀବନ ଯାଉଛି। ବର୍ଷା ଦିନେ ଡ୍ରେନ୍ରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି। ହେଲେ ବିଏମ୍ସି, ପୂର୍ତ୍ତ କି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏଥି ପ୍ରତି ନିଘା ନାହିଁ।
କୌଣସି ଡ୍ରେନ୍ ମୁକୁଳା ପଡ଼ିବନି, ଡ୍ରେନ୍ ନିର୍ମାଣ ହେବା ପରେ ଏହା ଉପରେ ସ୍ଲାବ୍ ପକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି। ହେଲେ ରାଜଧାନୀରେ ଯେଉଁଠିକୁ ଚାହିଁବ ସେଠି ଡ୍ରେନ୍ ମୁକୁଳା। ନିୟମ ଅନୁଯାୟୀ ଯେଉଁଠି ରାସ୍ତା ହେବ, ତାହା କଡ଼ରେ ଡ୍ରେନ୍ ହେବ। ହେଲେ ଏବେ ବି ବହୁ ରାସ୍ତା ଅଛି ଯେଉଁଠି ଡ୍ରେନ୍ ନାହିଁ। ରାଜଧାନୀରେ ଜାତୀୟ ରାଜପଥ, ପୂର୍ତ୍ତ ଓ ବିଏମ୍ସିର ୧୬୫୭କିମି ରାସ୍ତା ଥିବା ବେଳେ ପ୍ରାୟ ୪୧୦କିମି ଡ୍ରେନ୍ ହୋଇଛି। ଯେଉଁଥିରୁ ପ୍ରାୟ ୨୫୦କିମି ଡ୍ରେନ୍ ମୁକୁଳା ପଡ଼ିଛି। ହେଲେ ବିଏମ୍ସି ଅଧିକାରୀ କହୁଛନ୍ତି ଆମର ବଜେଟ୍ ଅନୁଯାୟୀ ଡ୍ରେନ୍ ନିର୍ମାଣ କରୁଛୁ। ଆଗରୁ ଡ୍ରେନ୍ ଉପରେ ସ୍ଲାବ୍ ପକାଇବାକୁ ନିୟମ ନ ଥିଲା। ଗତ ଦୁଇବର୍ଷ ହେଲା ନିୟମ ହୋଇଛି। ଯେଉଁ ଡ୍ରେନ୍ ନିର୍ମାଣ ହେବ, ତାହା ଉପରେ ସ୍ଲାବ୍ ପଡ଼ିବ। ତେଣୁ ଏବେ ନୂଆ ଡ୍ରେନ୍ ନିର୍ମାଣ ସହ ପୁରୁଣା ଡ୍ରେନ୍ର ମରାମତି ହେଉଛି ଏବଂ ସ୍ଲାବ୍ ପଡ଼ୁଛି। ସବୁ ଡ୍ରେନ୍ରେ ସ୍ଲାବ୍ ପକାଇବାକୁ ସମୟ ଲାଗିବ। ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତ ଗାଇଡଲାଇନ୍ ଅଛି ଯେ ଯେଉଁଠି ରାସ୍ତା ନିର୍ମାଣ କରିବେ ତାହା କଡ଼ରେ ଘୋଡ଼ଣୀ ଥିବା ଡ୍ରେନ୍ ନିର୍ମାଣ କରିବେ। କିନ୍ତୁ ବହୁ ସ୍ଥାନରେ ଡ୍ରେନ୍ ମୁକୁଳା ଛାଡ଼ି ଦିଆଯାଉଛି।
ପୁପୁନ୍ରୁ ହରିହର
୨୦୧୫ ମସିହାରେ ନୂଆପଲ୍ଲୀରେ ପୁପୁନ୍ ନାମକ ଜଣେ ଛାତ୍ରଙ୍କର ଡ୍ରେନ୍ରେ ପଡ଼ି ମୃତ୍ୟୁ ହୋଇଥିବା ବେଳେ, ୨୦୧୬ ନଭେମ୍ବରରେ ସଚିବାଳୟ ପଛପାର୍ଶ୍ୱରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ଏହି ବର୍ଷା ଦିନେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ନିକଟରେ ମେ’ ମାସରେ ସିଆର୍ପି ଛକ ନିକଟରେ ଜଣେ ବୃଦ୍ଧାଙ୍କର ରାସ୍ତା କଡ଼ ଡ୍ରେନ୍ରେ ପଡ଼ି ମୃତ୍ୟୁ ହୋଇଥିଲା। ଆଉ ସୋମବାର ୟୁନିଟ-୭ ଅଞ୍ଚଳରେ ହରିହର ପଟ୍ଟନାୟକଙ୍କ ମୃତ୍ୟୁ ହୋଇଛି। ତିନି ବର୍ଷରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଧିକାରୀଙ୍କ ପାଖରେ ସୂଚନା ଥିଲେ ହେଁ ଏହାଠାରୁ ଅଧିକ ଲୋକ ମରିଛନ୍ତି। ଏପରିକି କେବଳ ବର୍ଷା ଋତୁ ନୁହେଁ, ବର୍ଷତମାମ୍ ପ୍ରତ୍ୟେକ ଦିନ ମୁକୁଳା ଡ୍ରେନ୍ରେ ପଡ଼ି ଲୋକ ଗୁରୁତର ହେଉଛନ୍ତି।
ଡ୍ରେନ୍ ଓ ରାସ୍ତା ନିର୍ମାଣରେ ବ୍ୟାପକ ତ୍ରୁଟି ଯୋଗୁଁ ଏଥିରେ ସହଜରେ ଜଳ ନିଷ୍କାସନ ହୋଇପାରୁନି। ଯେଉଁଥିପାଇଁ ବର୍ଷା ଦିନେ ରାସ୍ତାରେ କି ଡ୍ରେନ୍ରେ ପାଣି ଚାଲୁଛି ଜଣାପଡ଼ୁନି। ରାସ୍ତାରେ ଯାଉଥିବା ଲୋକ ହଠାତ୍ ଡ୍ରେନ୍ରେ ଗଳି ପଡ଼ୁଛନ୍ତି। ଭାଗ୍ୟ ଭଲ ଥିଲେ ଖଣ୍ଡିଆ ଖାବରା ହୋଇ ବାହାରୁଛନ୍ତି। ନଚେତ୍ ପଙ୍ଗୁ ପାଲଟି ଯାଉଛନ୍ତି କି ମରୁଛନ୍ତି।
ପୂର୍ତ୍ତ ବିଭାଗର ୬୭କିମି ଡ୍ରେନ୍ ଉପରେ ସ୍ଲାବ୍ ନାହିଁ
ରାଜଧାନୀରେ ପୂର୍ତ୍ତ ବିଭାଗର ମୋଟ୍ ୫୧୮.୧୮୩କିମି ରାସ୍ତା ଥିବା ବେଳେ ସବୁ ରାସ୍ତା କଡ଼ରେ ଡ୍ରେନ୍ କରିବାର ନିୟମ ଅଛି। ହେଲେ ୨୨୮.୮୩କିମିର ଡ୍ରେନ୍ ଅଛି। ୧୬୨.୮୪କିମି ଡ୍ରେନ୍ ଉପରେ ସ୍ଲାବ୍ ଅଛି। ବିନା ସ୍ଲାବ୍ରେ ୬୬.୭୮୩ କିମି ଡ୍ରେନ୍ ଅଛି। ଏଥିରୁ ଭୁବେନଶ୍ୱରରେ ଆର୍ଆଣ୍ଡ୍ବି ଡିଭିଜନ-୧ ଅଧୀନରେ ୯୧.୩୮କିମି ରାସ୍ତା ଥିବା ବେଳେ ୨୯.୨୮ କିମିର ଡ୍ରେନ୍ ଅଛି। ୨୪.୨୧୦କିମି ଡ୍ରେନ୍ ଉପରେ ସ୍ଲାବ୍ ଅଛି। ବିନା ସ୍ଲାବରେ ୫.୨୧୦କିମି ଡ୍ରେନ୍ ଅଛି। ସେହିପରି ଆର୍ଆଣ୍ଡ୍ବି ଡିଭିଜନ-୨ ଅଧୀନରେ ୧୧୯.୯୮କିମି ରାସ୍ତା ଥିବାବେଳେ ୫୭.୨୬ କିମିର ଡ୍ରେନ୍ ଅଛି। ୩୮.୦୮୦କିମି ଡ୍ରେନ୍ ଉପରେ ସ୍ଲାବ୍ ଅଛି। ବିନା ସ୍ଲାବରେ ୧୯.୧୮୦କିମି ଡ୍ରେନ୍ ଅଛି। ଆର୍ଆଣ୍ଡ୍ବି ଡିଭିଜନ-୩ ଅଧୀନରେ ୨୦୬.୮୫୯କିମି ରାସ୍ତା ଥିବା ବେଳେ ୯୦.୧୮୦ କିମିର ଡ୍ରେନ୍ ଅଛି। ୭୨.୮୫୫ କିମି ଡ୍ରେନ୍ ଉପରେ ସ୍ଲାବ୍ ଅଛି। ବିନା ସ୍ଲାବରେ ୧୭.୩୨୫ କିମି ଡ୍ରେନ୍ ଅଛି। ଆର୍ଆଣ୍ଡ୍ବି ଡିଭିଜନ-୪ ଅଧୀନରେ ୯୯.୯୬୪କିମି ରାସ୍ତା ଥିବା ବେଳେ ୫୨.୧୦୫ କିମିର ଡ୍ରେନ୍ ଅଛି। ୨୭.୬୯୩ କିମି ଡ୍ରେନ୍ ଉପରେ ସ୍ଲାବ୍ ଅଛି। ବିନା ସ୍ଲାବରେ ୨୫.୦୬୮କିମି ଡ୍ରେନ୍ ଅଛି।
ବର୍ଷତମାମ ଡ୍ରେନ୍ ମରାମତି ହେଉଛି। ନୂଆ ଡ୍ରେନ୍ କଲେ ଠିକାଦାରଙ୍କ ଅଧିକ ଖର୍ଚ୍ଚ ହେଉଥିବାରୁ ପୁରୁଣା ଡ୍ରେନ୍ ମରାମତି କରି ନୂଆ ଡ୍ରେନ୍ର ହିସାବ ଦେଖାଉଛନ୍ତି। କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ପ୍ରିୟାପ୍ରୀତି ଯୋଗୁଁ ଲୋକ ଏବେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।
କେତେ ଡ୍ରେନ୍ରେ ସ୍ଲାବ୍ ପଡ଼ିଛି, ବିଏମ୍ସି ପାଖରେ ହିସାବ ନାହିଁ
ଗତ ତିନିବର୍ଷରେ ବିଏମ୍ସି ଡ୍ରେନ୍ ପାଇଁ ୪୫କୋଟି ୬୬ଲକ୍ଷ ୭ହଜାର ୮୭୦ଟଙ୍କା ଖର୍ଚ୍ଚ କଲାଣି। ୨୦୧୫-୧୬ରେ ୯,୬୩,୭୭,୦୭୨ଟଙ୍କା, ୨୦୧୬-୧୭ରେ ୧୧,୩୫,୧୫,୮୫୮ଟଙ୍କା, ୨୦୧୭-୧୮ରେ ଡ୍ରେନ୍ ନିର୍ମାଣ ପାଇଁ ୨୪,୬୭,୧୪,୯୪୦ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ କେତେ କିଲୋମିଟର ଡ୍ରେନ୍ ନିର୍ମାଣ ହୋଇଛି, କେତେ ସ୍ଲାବ୍ ପଡ଼ିଛି ତା’ର ହିସାବ ଇଞ୍ଜିନିୟରଙ୍କ ପାଖରେ ନାହିଁ।