ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ: ହତ୍ୟା ନା କରୋନା ଜନିତ ମୃତ୍ୟୁ

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପଦକ୍ଷେପ

ଧଉଳି : ଉତ୍ତରା ଫାଣ୍ଡି ଅଧୀନ କାଇରି ଗ୍ରାମର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ, ଉକ୍ତ ଗ୍ରାମର ବ୍ରହ୍ମାନନ୍ଦ ମଲ୍ଲିକ(୬୦)। ଦୁଇ ଦିନ ତଳେ ବ୍ରହ୍ମାନନ୍ଦ ଏକ ଗଣ୍ଡଗୋଳରେ ଗୁରୁତର ଆହତ ହୋଇ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। କରୋନା ସଂକ୍ରମିତ ଜଣାପଡ଼ିବା ପରେ ବ୍ରହ୍ମାନନ୍ଦ ସେଠାରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗଣ୍ଡଗୋଳରେ ଆହତ ହୋଇ ବ୍ରହ୍ମାନନ୍ଦଙ୍କର ପ୍ରଚୁର ରକ୍ତସ୍ରାବ ହେବା କାରଣରୁ ମୃତ୍ୟୁ ଘଟିଛି ନା କୋଭିଡ୍‌ ସଂକ୍ରମଣ ଯୋଗୁଁ, ତାହା ସ୍ପଷ୍ଟ ହୋଇପାରିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଗଣ୍ଡଗୋଳ ମାମଲାରେ ପୁଲିସ ଆଲୋକ ସାମଲ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଅନ୍ୟ ସହଯୋଗୀ ଯୁବକଙ୍କୁ ପୁଲିସ ଏଯାଏ ଗିରଫ କରିପାରି ନାହିଁ। ଏନେଇ ପିପିଲି ଥାନାରେ ନଂ ୨୭୫/୦୬ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ପୁଲିସ ସୂଚନା ମୁତାବକ, ଗତ ୧୬ ତାରିଖରେ ଗୋଚର ଜମି ଦଖଲକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଆକ୍ରମଣରେ ବ୍ରହ୍ମାନନ୍ଦଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ପରିବାରଲୋକ ତାଙ୍କୁ ଚିକିତ୍ସା ଲାଗି ଏମ୍‌ସ ହସ୍ପିଟାଲକୁ ନେଇଥିଲେ।

ସମ୍ବନ୍ଧିତ ଖବର