ଭୁବନେଶ୍ବର: ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଗିରଫ ହୋଇ ଜେଲ୍‌ରେ ଥିବା ସ୍ବାମୀ ଶ୍ରୀଧରର ଚରିତ୍ରପେଡ଼ି ଖୋଲିବାରେ ଲାଗିଛି ଏବଂ ବହୁ ଅଳିଆ ଆବର୍ଜନା ଭରି ରହିଛି। ତା’ ପାଇଁ ସବୁବେଳେ ପ୍ରେମିକା ଆଗ ଓ ସ୍ତ୍ରୀ ପଛ ବୋଲି ଜଣାପଡ଼ିଛି। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ସେ ଦ୍ବିତୀୟ ବିବାହ କରିଥିଲେ ବି ପ୍ରେମ କରିବାକୁ ଭୁଲି ନଥିଲା। ଭଲ ପାଇ ବାହା ହୋଇଥିବା ଦ୍ବିତୀୟ ପତ୍ନୀ ମଧୁମିତାଙ୍କୁ ପଛ କରି ସେ ଅନ୍ୟ ଦୁଇ ଦୁଇ ପ୍ରେମିକାଙ୍କୁ ଫସାଇଥିବାର ଗୁମର ପଦାକୁ ଆସିଛି। ଏଥିପାଇଁ ହିଁ ମଧୁମିତା ଜୀବନ ହାରିଥିବା ଜଣାପଡ଼ିଛି।

Advertisment

ଶ୍ରୀଧର ୧୦ ତାରିଖରେ ୧୪ଦିନ ପାଇଁ ଛୁଟି ନେଇ ରାଜସ୍ଥାନରୁ ଭୁବନେଶ୍ବର ଆସିଥିଲା। କିନ୍ତୁ ଭୁବନେଶ୍ବରରେ ନ ଓହ୍ଲାଇ ସେ ସିଧା ଗଞ୍ଜାମ ପଳାଇଥିଲା। ସେଠାରେ ଦୁଇ ଦିନ ରହିବା ପରେ ସେ ଭୁବନେଶ୍ବର ଫେରିଥିଲା। ଏନେଇ ମଧୁମିତା ତାଙ୍କୁ ପ୍ରଶ୍ନ କରିଥିଲେ। ଭୁବନେଶ୍ବର ଫେରିବା ବିଳମ୍ବର କାରଣ ପଚାରିବାରୁ ଶ୍ରୀଧର ଏଣୁ‌‌ତେଣୁ କହି ତାଙ୍କୁ ଭୂଆଁ ବୁଲାଇଥିଲା।‌ କିନ୍ତୁ ଶ୍ରୀଧରଙ୍କୁ ସନ୍ଦେହ କରୁଥିବା ମଧୁମିତା ମିଛ ଗପ ଶୁଣି ଅଟକି ନଥିଲେ। ସତ କ’ଣ ଜାଣିବା ପାଇଁ ମଧୁମିତା ଲାଗିପଡ଼ିଥିଲେ। ଶ୍ରୀଧରର ବ୍ୟାଗ୍‌ ଚେକ୍‌ କଲା ବେଳେ ତାଙ୍କୁ ଟ୍ରେନ୍‌ ଟିକଟ ମିଳିଥିଲା। ରାଜସ୍ଥାନରୁ ବ୍ରହ୍ମପୁରକୁ ଟିକଟ କଟା ଯାଇଥିଲା। ଏହା ଜାଣିବା‌ ପରେ ମଧୁମିତା ସ୍ବାମୀଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚ କରିଥିଲେ। ସେଥିରୁ ସେ ଜାଣି ପାରିଥିଲେ ଯେ ଗଞ୍ଜାମରେ ଶ୍ରୀଧର ଦୁଇ ଦିନ କାଳ ଜଣେ ଯୁବତୀଙ୍କ ସହ କଟାଇଛି। କେବଳ ସେତିକି ନୁହେଁ, ଶ୍ରୀଧର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଥିବା ଏକ ଚାଟ୍‌ରୁ ଜାଣିପାରିଥିଲେ। ବଡ଼ କଥା ହେଉଛି ଯେଉଁ ଯୁବତୀଙ୍କ ସହ ଶ୍ରୀଧର ଗଞ୍ଜାମରେ ଦୁଇ ଦିନ କାଟିଥିଲା, ସେ ମଧୁମିତାଙ୍କର ବାନ୍ଧବୀ ଥିଲା। ପୂର୍ବରୁ ମଧୁମିତା ଏହାକୁ ନେଇ ସନ୍ଦେହ କରିଥିଲେ। କିନ୍ତୁ ମୋବାଇଲ୍‌ ଚାଟିଂ ସେହି ସନ୍ଦେହକୁ ସତ ବୋଲି ପ୍ରମାଣିତ କରିଥିଲା। ଆଉ ସମ୍ଭାଳି ପାରି ନଥିଲେ ମଧୁମିତା। ରୋକ୍‌ଠୋକ ଜବାବ ମାଗିଥିଲେ ଶ୍ରୀଧରକୁ। ସେମାନଙ୍କ ମଧ୍ୟରେ ଜୋର୍‌ଦାର କଥା କଟାକଟି ହୋଇଥିଲା।

ମଧୁମିତା ଫୋନ୍‌ କରି ମା’ଙ୍କୁ ସବୁ କଥା ଜଣାଇଥିଲେ। ୨୨ ତାରିଖ ରାତି ୧୨ଟାରେ ମଧୁମିତାଙ୍କ ମା’ ଧଉଳି ଥାନାକୁ ଯାଇ ଅଭିଯୋଗ କରିଥିଲେ। ପରଦିନ ପୁଲିସ ଶ୍ରୀଧରଙ୍କୁ ଥାନାକୁ ଡାକିଥିଲା। ସେଠାରେ ଆପୋସ ବୁଝାମଣା ହୋଇଥିଲା ଏବଂ ପୁଲିସ ଶ୍ରୀଧରଠାରୁ ସ୍ବୀକାରୋକ୍ତି(ଅଣ୍ଟରଟେକିଂ) ରଖି ଛାଡ଼ିଥିଲା। ସେମାନେ ଘରକୁ ଫେରିଥିଲେ। କିନ୍ତୁ ଘରେ ପୁଣି ଏକ ବଡ଼ଧରଣର ଅଘଟଣ ଘଟିଲା। କୌଣସି କାରଣରୁ ମଧୁମିତା ପୁଣି ଶ୍ରୀଧରଙ୍କ ବ୍ୟାଗ୍‌ ଖେଳାଇଥିଲେ। ବ୍ୟାଗ୍‌ରୁ ଯାହା ପାଇଲେ, ତାହା ତାଙ୍କ ମୁଣ୍ଡରେ ବଜ୍ରପାତ କଲା। ଶ୍ରୀଧର ତାଙ୍କୁ ଛାଡ଼ପତ୍ର ଦେବା ପାଇଁ କାଗଜପତ୍ର ପ୍ରସ୍ତୁତ କରିସାରିଥିଲେ। ଏହାପରେ ପୁଣି ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଏହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇଥିଲେ ଏବଂ ଶେଷରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଯାଇଥିଲେ।

ମୃତ୍ୟୁ ପୂର୍ବ ଜମାନବନ୍ଦୀ ନିୟମ କ’ଣ କହୁଛି
ମୃତ୍ୟୁ ପୂର୍ବରୁ ଭାଇରାଲ୍‌ ହୋଇଥିବା ମଧୁମିତାଙ୍କ ଭିଡିଓ ରେକଡିଂକୁ ମୃତ୍ୟୁ ପୂର୍ବ ଜମାନବନ୍ଦୀ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ମୃତ୍ୟୁ ପୂର୍ବ ଜମାନବନ୍ଦୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ ମୃତ୍ୟୁପୂର୍ବ ଜମାନବନ୍ଦୀ ପାଇଁ ପ୍ରଥମେ ତାଙ୍କ ମାନସିକ ସ୍ଥିତିର ଯାଞ୍ଚ କରାଯିବ। ସେ ସୁସ୍ଥ ମସ୍ତିସ୍କରେ ଏହା ଲେଖିଛନ୍ତି ନା ନାହିଁ, ଦେଖିବାକୁ ପଡ଼ିବ। ସେଥିରେ ତାଙ୍କର ଦସ୍ତଖତ ମଧ୍ୟ ରହିବ। ଏହି ପ୍ରକ୍ରିୟା ପାଇଁ ଜଣେ ଡାକ୍ତର, ମାଜିଷ୍ଟ୍ରେଟ୍‌ ଓ ପୁଲିସ ଉପସ୍ଥିତି ଜରୁରୀ।

ନିଲମ୍ବିତ ‌ହେବ ଶ୍ରୀଧର
ଗିରଫ ହେବା ପରେ ଶ୍ରୀଧରଙ୍କ ଚାକିରିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ଦୃଷ୍ଟିରୁ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ବିଭାଗୀୟ ଉପରିସ୍ଥ ଅଧିକାରୀ ଚାକିରିରୁ ନିଲମ୍ବନ କରିପାରନ୍ତି। ସେହିପରି ବିଭାଗୀୟ ତଦନ୍ତ ମଧ୍ୟ କରାଯିବ। ବାୟୁସେନାର ଏକ ଟିମ୍‌ କମିସନରେଟ୍‌ ପୁଲିସ ସହ‌ ଯୋଗାଯୋଗ କରିଥିବା ଜଣାପଡ଼ିଛି।

ଛାଡ଼ପତ୍ର ପିଲାଖେଳ
ଶ୍ରୀଧର ପାଇଁ ବାହାଘର ଭଳି ସମ୍ପର୍କର ମାନେ କିଛି ନଥିଲା। ୨୦୨୩ରେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲା। ଏ‌ହାପରେ ସେ ମଧୁମିତାଙ୍କ ସହ ୫ବର୍ଷ ଧରି ଲିଭ୍‌ ଇନ୍‌ରେ ଥିଲା ଏବଂ ଗତ ମାର୍ଚ୍ଚ ମାସରେ ସେମାନେ ବିବାହ କରିଥିଲେ। ସେମାନଙ୍କ ବିବାହକୁ ୬ମାସ ବିତିନାହିଁ। ଏହା ଭିତରେ ଶ୍ରୀଧର ପୁଣି ଅନ୍ୟ ଦୁଇ ଯୁବତୀଙ୍କୁ ଭଲ ପାଇ ବସିଥ‌ିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାହା ହେବ ବୋଲି ସେ ମଧୁମିତାଙ୍କୁ ଛାଡ଼ପତ୍ର ଦେବାକୁ କାଗଜପତ୍ର ପ୍ରସ୍ତୁତ କରିଥିଲା।

ପୂର୍ବରୁ ଫିନାଇଲ୍‌ ପିଇଥିଲେ ମଧୁମିତା
ପୂର୍ବରୁ ମଧ୍ୟ ମଧୁମିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ବାମୀଙ୍କ ନିର୍ଯାତନା ସହି ନପାରି ସେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଠିକ୍‌ ସମୟରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିବାରୁ ସେ ବର୍ତ୍ତି ଯାଇଥିଲେ। ଏହା ସତ୍ତ୍ବେ ଶ୍ରୀଧରର ସ୍ବଭାବରେ କିଛି ପରିବର୍ତ୍ତନ ହୋଇ ନଥିଲା।
ମୋବାଇଲ୍‌, ସୋସିଆଲ୍‌ ମିଡିଆ ଖୋଲିବ ଗୁମର
ଶ୍ରୀଧରଙ୍କ ଅନୈତିକ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାରେ ନାଁ ଧରୁନାହିଁ। ଏବେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଶ୍ରୀଧର କେଉଁ ଯୁବତୀଙ୍କ ସହ ଅଧିକ କଥା ହେଉଥିଲେ? କେଉଁ ନମ୍ବରରୁ ବାରମ୍ବାର ତାଙ୍କୁ କଲ୍‌ ଆସୁଥିଲା? ସେ କେଉଁ ନମ୍ବରକୁ ଅଧିକ କଲ୍‌ କରୁଥିଲେ? ଏସବୁ ପ୍ରଶ୍ନକୁ ଗୁରୁତ୍ବ ଦେଇ ପୁଲିସ ସିଡିଆର୍‌ ରିପୋର୍ଟ ଯାଞ୍ଚ କରି କେତେକ ନମ୍ବରକୁ ଠାବ କରିଛି। ସେହିଭଳି ଶ୍ରୀଧରର ଫେସ୍‌ବୁକ, ଇନ୍‌‌‌ଷ୍ଟା, ହ୍ବାଟସ୍‌ଆପ୍‌ ଭଳି ସୋସିଆଲ୍‌ ମିଡିଆରେ ମଧ୍ୟ ଅନେକ ଯୁବତୀଙ୍କ ସହ ତା’ର ସମ୍ପର୍କ ଥିବା ଜଣାପଡ଼ିଲାଣି। ଅଧିକ ତଦନ୍ତ ପାଇଁ ଶ୍ରୀଧରଙ୍କ ମୋବାଇଲ୍‌କୁ ପୁଲିସ ଏସ୍‌ଏଫ୍‌ଏସ୍‌ଏଲ୍‌ ପଠାଇବାକୁ ଯୋଜନା କରିଛି। ସେହିଭଳି ଯେଉଁ ଯୁବତୀଙ୍କ ସହ ଶ୍ରୀଧରର ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଛି, ସେମାନଙ୍କୁ ଜେରା କରିବାକୁ ପୁଲିସ ଯୋଜନା କରିଛି।