ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ଚିକିତ୍ସା ଅଭାବରୁ ପ୍ରାଣ ହରାଇବା ଘଟଣାରେ ତଦନ୍ତ କରି ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି) ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ନିର୍ଦେଶ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ଭିତରେ କ୍ଷତିପୂରଣ ରାଶି ପ୍ରଦାନ ସହିତ ଏହାର ପ୍ରମାଣ ନକଲ କମିସନଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି। ଏଥିରେ ଅବହେଳା ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଧାରା ୧୩ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନ ନିର୍ଦେଶ ଦେଇଛନ୍ତି।

Advertisment

୨୦୧୫ ମସିହା ନଭେମ୍ବର ୧୨ତାରିଖରେ ଜଳେଶ୍ବର ଥାନା ବଳାଙ୍ଗା ବଡ଼ିଆ ଗାଁର ତପନ ଦଲେଇଙ୍କ ଗର୍ଭବତୀ ସ୍ତ୍ରୀ ଝରଣା ‌ଦଳେଇ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ହେଲେ ଏଥିପାଇଁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍‌ସର ବ୍ୟବସ୍ଥା ନ କରି ଚୁପ୍ ହୋଇ ବସିଯାଇଥିଲେ। ଫଳରେ ରାତି ପ୍ରାୟ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହ୍ୟୁମାନ ରାଇଟ୍‌ସ ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନାଙ୍କ ନିରୀକ୍ଷଣରେ ସରଫରାଜ ନୱାଜ ଜାତୀୟ ମାନବାଧିକାର କମିସନରେ ଏକ ଅଭିଯୋଗ ଦାୟର କରିଥିଲେ। ଏହି ଘଟଣାରେ ଏନ୍‌ଏଚ୍‌ଆରସି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ମାଗିଥିଲେ ଓ ବିଭାଗର ଅତିରିକ୍ତ ସଚିବ ଏହି ଅବହେଳାକୁ ସ୍ବୀକାର କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ କମିସନ କ୍ଷତିପୂରଣ ନିର୍ଦେଶ ଦେବା ସହିତ ଚିକିତ୍ସାରେ ହସ୍ପିଟାଲର ଯେଉଁ କର୍ମଚାରୀମାନେ ଅବହେଳା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ ନିର୍ଦେଶ ଦେଇଛନ୍ତି।