ନିର୍ମାଣାଧୀନ ବ୍ରିଜ୍‌ରୁ ପଡ଼ି ଯୁବକଙ୍କ ମୃତ୍ୟୁ ମାମଲା: କ୍ଷତିପୂରଣ ଦାବିରେ କାମ ବନ୍ଦ କଲେ ଗ୍ରାମବାସୀ

ଧଉଳି: କୁମାରଡିହ-ଇଟିପୁରରେ ନିର୍ମାଣାଧୀନ ଦୟା ରିଂରୋଡ୍‌ ବ୍ରିଜ୍‌ରୁ ଖସିପଡ଼ି ମୃତ୍ୟୁବରଣ କରିଥିବା ଇଟିପୁର ଗ୍ରାମର ପ୍ରଦ୍ୟୁମ୍ନ ସ୍ବାଇଁ(୩୫)ଙ୍କ ପରିବାରକୁ କ୍ଷତିପୂରଣ ମିଳିପାରୁନାହିଁ। ଏହା ଭିତରେ ୬ ମାସ ବିତିସାରିଥିଲେ ମଧ୍ୟ ମୃତକଙ୍କ ପରିବାରକୁ ମିଳିଥିବା ପ୍ରତିଶ୍ରୁତି ଅନୁସାରେ କ୍ଷତିପୂରଣ ଦିଆଯାଉନାହିଁ। ତେଣୁ ଆଜି ଗ୍ରାମବାସୀମା‌ନେ ନିର୍ମାଣସ୍ଥଳରେ ପହଞ୍ଚି ଧାରଣା ଦେବା ସହ କାମ ବନ୍ଦ କରାଇଥିଲେ। ଗ୍ରାମବାସୀମାନଙ୍କ ଦାବି ଅନୁସାରେ ମୃତ ପ୍ରଦ୍ୟୁମ୍ନଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ନଦେବା ପର୍ଯ୍ୟନ୍ତ ସେମାନେ ନିର୍ମାଣ କାର୍ଯ୍ୟ କରାଇଦେବେ ନାହିଁ।

କାରଣ ଘଟଣା ଦିନ ପୁଲିସ, ଗ୍ରାମର ମୁରବି ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ବୁଝାମଣା ହୋଇଥିଲା। ହେଲେ ମୃତକଙ୍କ ପରିବାରକୁ ଏହି ସହାୟତା ଅର୍ଥ ନଦେଇ ଠିକା ସଂସ୍ଥା କାମ ଆରମ୍ଭ କରିଛି। ବିଭାଗୀୟ କର୍ତ୍ତୃପକ୍ଷ ଚୁକ୍ତି ଖିଲାପ କରିବାରୁ ଆଜି ଏହି ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଉତ୍ତ୍ୟକ୍ତ ଲୋକେ ଆଜି ନିର୍ମାଣସ୍ଥଳକୁ ଆସିଥିବା ହାଇୱା ଓ ଜେସିବି ଆଦି ମେସିନ୍‌କୁ ଅଟକ ରଖିଥିଲେ। ଶେଷରେ ବିଭାଗୀୟ କର୍ତ୍ତୃପକ୍ଷ ପୁଣି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ ଯେ ୨୦୨୦ ମସିହା ସୁଦ୍ଧା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥାକୁ କଣ୍ଟ ଦିଆଯାଇଥିବା ବେଳେ ଏବେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି।

ସମ୍ବନ୍ଧିତ ଖବର