ଭୁବନେଶ୍ବର : ଠିକାସଂସ୍ଥା ପ୍ରତିବର୍ଷ ୫ କୋଟି ୩୧ ଲକ୍ଷ ୩୩ହଜାର ଟଙ୍କା ସରକାରଙ୍କଠାରୁ ଗଣି ନେଉଛି। କିନ୍ତୁ ଯୋଉ କାମ ପାଇଁ ଏତେଗୁଡ଼ାଏ ଟଙ୍କା ନେଉଛି, ସେ କାମ କରୁନି। ନା ରାସ୍ତାରୁ ବାଲିସଫା କରୁଛି ନା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କ୍ୟାଟ୍ ଆଇ ଓ ରେଡିୟମ୍ ଲାଇଟ୍ ଭଳି ଅତ୍ୟାବଶ୍ୟକ ଜିନିଷ ରାସ୍ତାକଡ଼ରେ ଲଗାଉଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଦୀର୍ଘ ବର୍ଷ ଧରି ଏତେବଡ଼ କେଳେଙ୍କାରୀ ଚାଲିଥିଲେ ହେଁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏ ବାବଦରେ ମୁହଁ ଖୋଲୁନି। ଠିକା ସଂସ୍ଥା ବିରୋଧରେ ପଦକ୍ଷେପ ନେବା ତ ଦୂରର କଥା, ସାମାନ୍ୟ ତାଗିଦ୍ ମଧ୍ୟ କରୁନାହିଁ। ଅପରପକ୍ଷେ ଠିକାସଂସ୍ଥାର ଏହି ଖାମଖିଆଲି ପାଇଁ ଏହି ରାସ୍ତାରେ ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି। ଆହତଙ୍କ ସଂଖ୍ୟା ବି ଢେର୍ ଅଧିକ। ପ୍ରାୟ ପ୍ରତିଦିନ ଏହି ରାସ୍ତାରେ ଏକାଧିକ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏ ହେଉଛି, ରାଜଧାନୀ ଦେଇ ଯାଇଥିବା ପୁରୀ ବାଇପାସ୍ ରାସ୍ତାର ଅବସ୍ଥା।
/sambad/media/post_attachments/wp-content/uploads/2022/06/work-road-300x214.jpg)
ସୂଚନା ଅନୁସାରେ, ୩୧୬ ନମ୍ବର ଜାତୀୟ ରାଜପଥର ଭୁବନଶ୍ବେର ହାଇଟେକ୍ ଛକରୁ ପୁରୀ ପର୍ଯ୍ୟନ୍ତ ୫୩ କିଲୋମିଟର ଜାତୀୟ ରାଜପଥର ରକ୍ଷଣାବେକ୍ଷଣା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ କ୍ରିଷ୍ଣା କନଷ୍ଟ୍ରକସନ୍ ନାମକ ଏକ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ରକ୍ଷଣାବେକ୍ଷଣ, ମରାମତି ଭଳି ବିଭିନ୍ନ କାମ ବାବଦକୁ ଏନ୍ଏଚ୍ଏଆଇ ଉକ୍ତ ସଂସ୍ଥାକୁ ବର୍ଷକୁ ୫ କୋଟି ୩୧ଲକ୍ଷ ୩୩ହଜାର ୬୮୩ଟଙ୍କା ଦେଉଛି। ଏହି ଟଙ୍କାରେ ସେ ମୁଖ୍ୟତଃ ରାସ୍ତାର ଉଭୟ ପାର୍ଶ୍ବରୁ ବାଲି ସଫା କରି ରାସ୍ତାକୁ ପରିଷ୍କାର କରିବା ସହ ସାଇନ୍ ବୋର୍ଡ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ସୁବିଧାର ଉପଲବ୍ଧ କରାଇବାର ନିୟମ ରହିଛି। କିନ୍ତୁ ଠିକା ସଂସ୍ଥା ପକ୍ଷରୁ କୌଣସି ଗୋଟିଏ କାମ ବି ଠିକ୍ ଭାବେ କରାଯାଉନାହିଁ। ରାସ୍ତାର ଦୁଇପାର୍ଶ୍ବରେ ପାଖାପାଖି ଗୋଟିଏ ଲେନ୍ ପର୍ଯ୍ୟନ୍ତ ୩ଇଞ୍ଚ ବହଳର ବାଲି ଜମି ରହି ମରଣଯନ୍ତା ପାଲଟିଛି। ଏହି ବାଲି ପାଇଁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବାଲିରେ ଚକା ଫସି ଯାଉଥିବାରୁ ବାଇକ୍ ଓ ସ୍କୁଟି ଚାଳକ ଅନେକ ସମୟରେ ଏହି ରାସ୍ତାରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ବର୍ଷ ବର୍ଷ ଧରି ରାଜପଥରୁ ବାଲି ସଫା ହେଉ ନଥିଲେ ହେଁ ଏଥିପ୍ରତି ଯେମିତି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ନିଘା ନାହିଁ।
/sambad/media/post_attachments/wp-content/uploads/2022/06/bhubaneswar-bypass-road-ff-300x145.jpg)
ସେହିଭଳି ରାତିରେ ଦୁର୍ଘଟଣା ନ ଘଟିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କ୍ୟାଟ୍ ଆଇ ଓ ରେଡିୟମ୍ ଲାଇଟ୍ ଭଳି ଉପକରଣର ବ୍ୟବହାର କରାଯାଇଥାଏ। ଏ ବାବଦକୁ ଠିକା ସଂସ୍ଥା ଟଙ୍କା ନେଉଥିଲେ ହେଁ ଏହି ରାସ୍ତାରେ ଏଗୁଡ଼ିକ ପ୍ରାୟ ଦେଖିବାକୁ ମିଳୁ ନାହିଁ। ଏଭଳି ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ଏହି ରାସ୍ତା ଥିଲେ ମଧ୍ୟ ଠିକା ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏନ୍ଏଚ୍ଏଆଇର ଓଡ଼ିଶା ମୁ୍ଖ୍ୟ ଆର୍.ପି ପଣ୍ଡାଙ୍କୁ ଏ ସଂପର୍କରେ ଯୋଗାଗଯୋଗ କରିବାରୁ ସେ କହିଛନ୍ତି ଯେ ଏ ବାବଦରେ ସେ କିଛି ଜାଣିନାହାନ୍ତି। ଅଡିଟ୍ କରାଯିବ ଏବଂ ଅନିୟମିତତା ହୋଇଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ରାଜପଥର କେଶୁରା ଛକରୁ ହାଇଟେକ୍ ପର୍ଯ୍ୟନ୍ତ ରାସ୍ତାକଡ଼ରେ ପାଦେ ଉଚ୍ଚର ବାଲି ଜମୁଛି। କୁଆଖାଇରୁ ଦିନରାତି ବାଲି ଚାଲାଣ କରୁଥିବାରୁ ଏଭଳି ପରିସ୍ଥିତି ଦେଖାଯାଉଛି। ଏଥିପାଇଁ ପାଖାପାଖି ୪ କିଲୋମିଟର ଏହି ରାସ୍ତା ବେଶି ବିପଜ୍ଜନକ ପାଲଟୁଛି। ଅଧିକାଂଶ ଦୁର୍ଘଟଣା ଏହି ରାସ୍ତା ମଧ୍ୟରେ ହିଁ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ପୁଲିସ କମିସନରଙ୍କୁ ଏ ବାବଦରେ ଅନେକବାର ଚିଠି କରିଥିବା କହୁଛନ୍ତି। ତା’ ପରେ ବି ଏଥିରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/bhubaneswar-bypass-road.jpg)