ଶତାବ୍ଦୀର କଳାକାର ନାଟ୍ୟଚକ୍ରରେ ‘ଦେବଦାସୀ’

ଭୁବନେଶ୍ବର: ଦେବଦାସୀ ଲାବଣ୍ୟ। ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ବ କାଳରେ ଶ୍ରୀମନ୍ଦିରରେ ନିୟୋଜିତ ଶ୍ରେଷ୍ଠ ଦେବଦାସୀ। ତାଙ୍କ ରୂପ ଲାବଣ୍ୟରେ ଆକୃଷ୍ଟ କିଛି ସମ୍ଭ୍ରାନ୍ତ ବର୍ଗର କାମୁକ କାପୁରୁଷ ତାଙ୍କୁ ପ୍ରେମ ନିବେଦନ କରି ତିରସ୍କୃତ ହେବା ପରେ ରଚନା କରିଥିଲେ ଷଡ଼୍‌ଯନ୍ତ୍ର। ଫଳରେ ଗଜପତିଙ୍କ ଦୃଷ୍ଟିରେ ଦେବଦାସୀ ଲବଣ୍ୟ ପାଲଟି ଯାଇଥିଲେ ଗଣିକା। ତାଙ୍କ ବିରୋଧରେ ଆସେ ଶ୍ରୀମନ୍ଦିରକୁ କଳୁଷିତ କରିବା ଭଳି ମହା ଅଭିଯୋଗ। ତେଣୁ ତାଙ୍କୁ ମହାବାହୁଙ୍କ ନିକଟରେ ନୃତ୍ୟ କରିବାର ସୁଯୋଗରୁ ବଞ୍ଚିତ କରାଯାଏ। ଶେଷରେ ରାଜ ଦରବାରରେ ବିଚାର ହୁଏ ଓ ଗଜପତି ତାଙ୍କୁ ଦିଅନ୍ତି ପ୍ରାଣଦଣ୍ଡ। ମାତ୍ର ପ୍ରାଣଦଣ୍ଡ ପୂର୍ବରୁ ସ୍ବୟଂ ମହାବାହୁ ଓ ଗଜପତିଙ୍କ ଆଗରେ ନୃତ୍ୟ କରିବାର ଲାବଣ୍ୟଙ୍କ ଶେଷଇଚ୍ଛାକୁ ପୂରଣ କରାଯାଏ ଓ ନୃତ୍ୟ କରିବା ଅବସରରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଏ। ସଙ୍ଗେ ସଙ୍ଗେ ଶୂନ୍ୟବାଣୀ ହୁଏ ଓ ସ୍ବୟଂ ଜଗନ୍ନାଥ ଲାବଣ୍ୟଙ୍କ ଭକ୍ତି ଓ ନିଷ୍କଳଙ୍କର ପ୍ରମାଣ ଦିଅନ୍ତି। ଏହି କିମ୍ବଦନ୍ତୀମୂଳକ ନାଟକକୁ ନେଇ ଆଜି ଶତାବ୍ଦୀର କଳାକାର ପକ୍ଷରୁ ନାଟ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି। ପୂର୍ଣଚନ୍ଦ୍ର କାନୁନଗୋଙ୍କ ରଚିତ ଡ. ଆଲୋକ ଅଗ୍ନିବେଶଙ୍କ ନିର୍ଦେଶିତ ଏହି ନାଟକ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ନାଟ୍ୟକାର ଧୀର ମଲ୍ଲିକ, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଆଞ୍ଚଳିକ ପ୍ରବନ୍ଧକ ପିକେ ଜେନା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର