ଦେବଦାସୀ ଅନ୍ତରାଷ୍ଟ୍ରୀୟ ନୃତ୍ୟ ସମାରୋହ ଓ ନବ ଉନ୍ମେଷ ନୃତ୍ୟ ପ୍ରତିଭା ଉତ୍ସବ

ଭୁବନେଶ୍ବର : ଲଗାତାର ଶୁଭୁଥିବା ନୂପୁରର ଧ୍ବନିରୁ ଶାସ୍ତ୍ରୀୟ ନୃତ୍ୟର ବାତାବରଣ ସ୍ପଷ୍ଟ ବାରି ହେଉଥିଲା। ହାତର ମୁଦ୍ରା ଓ ପାଦର ଛନ୍ଦ ଦର୍ଶକଙ୍କ ନୟନକୁ ପଲକ ପକାଇବାକୁ ଦେଉ ନ ଥିଲା। ଓଡ଼ିଶାର ପ୍ରାଚୀନ ନୃତ୍ୟ ଓ ଶ୍ରୀଜଗନ୍ନାଥଙ୍କ ପ୍ରିୟ ମାହାରୀରୁ ଆରମ୍ଭ କରି ଓଡ଼ିଶୀ ଓ ଭାରତନାଟ୍ୟମ୍‌ ଆଦି ନୃତ୍ୟ ମନ୍ତ୍ରମୁଗ୍ଧ କରୁଥିଲା। ଅବସର ଥିଲା ଦେବଦାସୀ ନୃତ୍ୟ ମନ୍ଦିର ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ତ୍ରୟୋଦଶ ‘ଦେବଦାସୀ ଅନ୍ତରାଷ୍ଟ୍ରୀୟ ନୃତ୍ୟ ସମାରୋହ’ ଓ ‘ନବ ଉନ୍ମେଷ ନୃତ୍ୟ ପ୍ରତିଭା ଉତ୍ସବ’ର। ଏହି ଅବସରରେ ରୂପଶ୍ରୀ ମହାପାତ୍ର ମାହାରୀ ନୃତ୍ୟ, ଦେବବ୍ରତ ବାରୁଆ, ନନ୍ଦିନୀ ଚୌଧୁରୀ ମହାନ୍ତି, ସୋଫିଆ କୁଖାରେନୋକ୍‌, ସବିତା ମିଶ୍ର, ଦୀପ୍‌ସି ପଟ୍ଟନାୟକ ପ୍ରମୁଖ ଓଡ଼ିଶୀ ନୃତ୍ୟ ଓ ରୂପା କିରନ୍‌, ସୋମା ମଣ୍ଡଳ, ସ୍ମୃଥି ଆନନ୍ଦ ଓ ଶୁଭଶ୍ରୀ ଶଶିଧାରନ୍‌ ପ୍ରମୁଖ ଭାରତନାଟ୍ୟମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀନିବାସ ଘଟୁଆରୀ, ଦେବୀପ୍ରସାଦ ମିଶ୍ର ଓ ଶରତ ଦାସ ପ୍ରମୁଖଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଏସ୍‌ କେ ତାମୋଟିଆ ଓ ପ୍ରଶାସକ ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଜଗବନ୍ଧୁ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର