ପୋଷ୍ୟ ନକରିବାରୁ ବିଲୁପ୍ତ ହୋଇଗଲା ଦେବଦାସୀ ସେବା

୯୦ ଦଶକରେ ୫ ଝିଅ ଦେବଦାସୀ ହେବାକୁ ଦରଖାସ୍ତ ଦେଇଥିଲେ

ଭୁବନେଶ୍ବର: ସତୁରି ବର୍ଷ ତଳୁ ଶ୍ରୀମନ୍ଦିରରେ ଦେବଦାସୀଙ୍କ ଦ୍ବାରା ନୃତ୍ୟ ସେବା ବନ୍ଦ ହୋଇଯାଇଥିଲା। ମାତ୍ର ଦେବଦାସୀଙ୍କ ଦ୍ବାରା ଗୀତଗୋବିନ୍ଦ ଗାୟନ ସେବା ଚାଲିଥିଲା। ଏହି ସେବାକୁ ପ୍ରଚଳନ ପାଇଁ ୯୦ ଦଶକରେ ଉଦ୍ୟମ ହୋଇଥିଲା। ୫ ଜଣ ଝିଅ ‌ଶ୍ରୀମନ୍ଦିରରେ ଦେବଦାସୀ ହେବେ ବୋଲି ଦରଖାସ୍ତ ଦେଇଥିଲେ। ସେବା ସର୍ତ ଅନୁଯାୟୀ ସେମାନେ ସାରା ଜୀବନ ଅବିବାହିତ ରହିବେ‌ ବୋଲି ନିଷ୍ପତ୍ତି ହୋଇଥିଲା। ୧୯୯୬ ନବକଳେବର ବର୍ଷ ସେଇ ଝିଅମାନଙ୍କୁ ଡକାଯାଇଥିଲା। ରେକର୍ଡ ଅଫ୍‌ ରାଇଟ୍ସ ମୁତାବକ ଜଣେ ପାଣି ଛୁଆଁ ଜାତିର ଝିଅକୁ ଦେବଦାସୀଟିଏ ପୋଷ୍ୟ କଲେ ହିଁ ସେ ଦେବଦାସୀ ହୋଇପାରିଥାଆନ୍ତା। ମାତ୍ର ତତ୍କାଳୀନ ସମୟରେ ଜୀବିତ ୨ ଦେବଦାସୀ ଶଶିମଣି ଓ ପରଶମଣି ୫ ଜଣଙ୍କ ମଧ୍ୟରୁ ଜଣକୁ ବି ପୋଷ୍ୟ ଭାବେ ଗ୍ରହଣ କଲେନାହିଁ। ଗଜପତି ମହାରାଜଙ୍କ ଦ୍ବାରା ସେମାନଙ୍କୁ ଶ୍ରୀମନ୍ଦିର‌କୁ ଡକାଯାଇ ବୁଝାଯାଇଥିଲେ ବି ଏହା ସଫଳ ହୋଇନଥିଲା। ଫଳରେ ଦେବଦାସୀ ସେବା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଗଲା ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ମହୀମୋହନ ତ୍ରିପାଠୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ୩୩ତମ ସମ୍ପାନରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଶ୍ରୀଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ୍ୟ’ ଉପରେ ସେ ଆଲୋକପାତ କରିଥିଲେ। ସେହି ସମୟରେ ସେ ପ୍ରଶାସକ ଭାବେ ଏହି ଉଦ୍ୟମ କରିଥିଲେ ବି ମାନବାଧିକାର କମିସନ ତାଙ୍କୁ ନୋଟିସ୍‌ ପଠାଇବା, ତତ୍କାଳୀନ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିବା ପର୍ଯ୍ୟନ୍ତ କଥା ଯାଇଥିଲା। ସେ ଏକଥା ବି କହିଥିଲେ, ପଣ୍ଡିତ ନୀଳକଣ୍ଠ ଦାସ ବିଧାନସଭାରେ ଥରେ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୪ ହଜାର ବର୍ଷ ପୂର୍ବର ବେବିଲୋନ୍‌ ସଭ୍ୟତାର ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ସାମଞ୍ଜସ୍ୟ ଥିଲା। ଏଥିସହ ମିଶର, ଇଜିପ୍ଟ, ବାହାରିନ୍‌ ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ସାମଞ୍ଜସ୍ୟ ଥିଲା। ତେଣୁ ପୁରାଣ ଓ ଲୋକକଥା ସହିତ ବସ୍ତୁନିଷ୍ଠ ବିଶ୍ଳେଷଣର ଆବଶ୍ୟକତା ରହିଛି। ମାତ୍ର ଅଧ୍ୟୟନ ହେଉନାହିଁ କି ଗବେଷଣା ନାହିଁ। ଯିଏ ଗବେଷଣା କରୁଛି ତାକୁ ସମାଲୋଚନା କରାଯାଏ ବୋଲି ସେ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଶେଷ ପର୍ଯ୍ୟାୟରେ ସାମିଲ୍ ହୋଇଥିଲେ। ଅତିଥି ବକ୍ତାଙ୍କ ବାବଦରେ ସୂଚନା ଦେଇଥିଲେ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ। ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର