ଦେବାଙ୍ଗନା ନୃତ୍ୟ ସମାଗମ-୨୦୧୭

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ୮୫ତମ ଜନ୍ମବାର୍ଷିକୀ ଅବସରରେ ସଙ୍ଗୀତ ମହାବିଦ୍ୟାଳୟରେ ‘ଦେବାଙ୍ଗନା ନୃତ୍ୟ ସମାଗମ ୨୦୧୭’ ଆଜି ଅନୁଷ୍ଠିତ ହୋଇଯାଇଛି। ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଟ୍ରଷ୍ଟ୍‍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶ୍ରୀ ଡାନ୍ସ ଏକାଡେମିର ‘ମହିଷାମର୍ଦ୍ଦିନୀ’ ଓ ପରେ ପରେ ଭାରତୀ ନୃତ୍ୟ ମନ୍ଦିରର ‘ଦୁର୍ଗା ସ୍ତୁତି’ରୁ ଆରମ୍ଭ ହୋଇଥିଲା। ଏହା ପରେ ନୃତ୍ୟ ଉପାସନା ପୀଠ ପକ୍ଷରୁ ‘କେଡ଼େ ଛାନ୍ଦ ଜାଣେଲୋ ସହି’, ସୁରଭି ଡ୍ୟାନ୍ସ ଗ୍ରୁପ୍‌ ପକ୍ଷରୁ ବିଭିନ୍ନ ନୃତ୍ୟ ପରିବେଷିତ ହୋଇଥିଲା। ଏହି ଅବସରରେ ଗୁରୁ ଦେବପ୍ରସାଦ ଦାସଙ୍କ ନିର୍ଦ୍ଦେଶିତ ମୁହ ମୁହିଁ କିଶୋର….କୁ ଗୁରୁ ଅନୀତା ସିଂହଦେଓ ଭେଟି ଦେଇଥିଲେ।

କାର୍ଯ୍ୟକ୍ରମରେ ଗୁରୁ ଦାମୋଦର ହୋତା, ପଣ୍ଡିତ ଉମେଶ ଚନ୍ଦ୍ର କର ଏବଂ ନିତା ବହିଦାରଙ୍କୁ ‘ଗୁରୁ ଦେବପ୍ରସାଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପୁଣି ନୃତ୍ୟଶିଳ୍ପୀ ଅନିଶ ରାଘବନ ଓ ଅଞ୍ଜଳିଙ୍କୁ ‘ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ଗବାକ୍ଷ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ସାଂସଦ ସରୋଜିନୀ ହେମ୍ବ୍ରମ୍‌ ଓ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ବିପଞ୍ଚି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର