ସରିଲା ଦେବସ୍ନାନ: ଅଣସର ଗଲେ ମହାପ୍ରଭୁ, ସ୍ନାନବେଦିରେ ମନ ହରିଲା ହାତୀବେଶ

ଭୁବନେଶ୍ବର: ରତ୍ନବେଦିରେ ସକାଳର ସମସ୍ତ ପୂଜା ନୀତିକାନ୍ତି ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ଧରି ବଡ଼ଠାକୁର ଜଗନ୍ନାଥ ସ୍ନାନ‌ବେଦିକୁ ପହଣ୍ଡି ବିଜେ କରିଥିଲେ। ଶୀତଳ ମନ୍ଦିର ନିକଟ ସୁନାକୂଅକୁ ଯଥାବିଧି ପୂଜା କରାଯିବା ପରେ ସେବାୟତମାନେ ସେଥିରୁ ୧୦୮ ଗରା ଶୀତଳ ଜଳ ବୋହି ଆଣି ଚତୁର୍ଦ୍ଧାମୂର୍ତ୍ତିଙ୍କ (ଶ୍ରୀଜଗନ୍ନାଥ-୩୫ ଗରା, ବଳଭଦ୍ର-୩୩ ଗରା, ସୁଭଦ୍ରା-୨୨ଗରା, ସୁଦର୍ଶନ-୧୮ ଗରା) ଉପରେ ଢ଼ାଳି ଥିଲେ। ଏହି ପବିତ୍ର ଦେବସ୍ନାନ ପରେ ଅନୁଷ୍ଠିତ ହୋଇଥିଲା ଚାରି ଠାକୁରଙ୍କ ମନଲୋଭା ହାତୀବେଶ। ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭା‌ବେ ହାତୀବେଶରେ ସଜାଇଥିଲେ। ଏହା ପରେ ଠାକୁରମାନେ ଜ୍ବର‌ରେ ପୀଡ଼ିତ ହୋଇଥିଲେ। ତେଣୁ ଆଉ ରତ୍ନ‌ବେଦିକୁ ନ ଫେରାଇ ସେବାୟତମାନେ ଫୁଲରି ‌ତେଲ ଚିକିତ୍ସା ସେବା ପାଇଁ ସେମାନଙ୍କୁ ଅଣସର ଘରକୁ ପହଣ୍ଡି କରାଇଥିଲେ। ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ବଡ଼ଠାକୁରଙ୍କ ଏହି ମାନବୀୟ ତଥା ଦିବ୍ୟଲୀଳା ରାଜଧାନୀରେ କରୋନା କଟକଣାରେ ଭକ୍ତଶୂନ୍ୟ ଭାବେ ସମାହିତ ହୋଇଥିଲା। ତେବେ ମହାମାରୀ କରୋନା ପ୍ରଭୁଙ୍କ ଲୀଳାକୁ ଯେମିତି ଅଟକାଇ ପାରିନଥିଲା, ଭକ୍ତମାନଙ୍କୁ ମଧ୍ୟ ସେମିତି ଆଖି ପୂରାଇ ଦେଖିବାରୁ ବଞ୍ଚିତ କରିପାରି ନଥିଲା।

ଇସ୍କନ୍‌ ଓ ଧର୍ମବିହାର ଜଗନ୍ନାଥ ମନ୍ଦିର

ନୂଆପଲ୍ଲୀସ୍ଥିତ ଇସ୍କନ୍ ମନ୍ଦିରରେ କୋଭିଡ୍‌ କଟକଣା ମଧ୍ୟରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନପୂର୍ଣ୍ଣିମା ଯଥାବିଧି ପାଳିତ ହୋଇଛି। ମୁଖ୍ୟ ମନ୍ଦିର ଭିତରେ ସ୍ନାନଯାତ୍ରା କରାଯାଇଥିଲା। ଭୋର୍ ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ପରେ ମଙ୍ଗଳ ଆଳତି, ବାଳଭୋଗ କରାଯାଇ ପ୍ରାୟ ୮ଟା ୪୦ବେଳକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ଅସ୍ଥାୟୀ ସ୍ନାନବେଦିକୁ ଅଣାଯାଇଥିଲା। ସେଠାରେ ତୀର୍ଥଜଳରେ ସ୍ନାନ କରାଯାଇଥିଲା। ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ସ୍ନାନାଭିଷେକ ସମାପନ ପରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯାଇଥିଲା। ରାତି ପ୍ରାୟ ୯ଟା ବେଳେ ଶ୍ରୀବିଗ୍ରହମାନେ ଅଣସରକୁ ପ୍ରବେଶ କରିଥିଲେ। ସେହିପରି ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିରରେ ଯଥାବିଧି ପୂଜା କାର୍ଯ୍ୟ ଦିନ ପ୍ରାୟ ୧୦ଟା ୩୦ରୁ ଆରମ୍ଭ ହୋଇ ସାଢ଼େ ୧ଟାରେ ସମାପନ ହୋଇଥିଲା। ଅପରପକ୍ଷରେ ୮ନଂ ଓୟୁଏଟି ଜଗନ୍ନାଥ ମନ୍ଦିର, କୋଳଥିଆ ଜଗନ୍ନାଥ ମନ୍ଦିରରେ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ଦେବସ୍ନାନ ପର୍ବ ସଂପନ୍ନ ହୋଇଥିଲା।

ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର ଅଞ୍ଚଳର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ କୋଭିଡ୍‌ କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଦେବସ୍ନାନ ପର୍ବ। କିସ୍ ଶ୍ରୀବାଣୀ‌ କ୍ଷେତ୍ର, ପଟିଆ ତୁଳସୀ କ୍ଷେତ୍ର, ‌ଶୈଳଶ୍ରୀବିହାର ବଡ଼ଦେଉଳ ଓ ଚନ୍ଦ୍ରଶେଖରପୁର ଜଗନ୍ନାଥ ମନ୍ଦିର, ଆର୍‌ସିଏମ୍ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ପବିତ୍ର ସ୍ନାନଯାତ୍ରା ସମ୍ପନ୍ନ ହୋଇଯାଇଛି। ସେବାୟତମାନେ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି କରିଥିଲେ। ପରେ ଅବକାଶ ମଇଲମ ଲାଗି କରାଯାଇଥିଲା। ଏହା ପରେ ସେବାୟତମାନେ ପହଣ୍ଡି କରି ରତ୍ନବେଦିରୁ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନବେଦିରେ ପହଞ୍ଚାଇଥିଲେ। ମନ୍ଦିର ପରିସରସ୍ଥ ସୁନାକୂଅରୁ ୧୦୮ଗରା ପାଣି ଅଣାଯାଇ ଚାରି ଠାକୁରଙ୍କୁ ସ୍ନାନ କରାଯାଇଥିଲା। ପରେ ନୂତନ ବସ୍ତ୍ର ପରିଧାନ କରାଇବା ସହ ହାତୀବେଶରେ ପ୍ରଭୁଙ୍କୁ ସଜାଇ ଦିଆଯାଇଥିଲା। ଏହି ଅବସରରେ ଯଥାରୀତି ଛେରାପହଁରା ନୀତି ସମେତ ଦଇତାପତି ଭୋଗପଣା ଓ ବିଭିନ୍ନ ପ୍ରକାର ପ୍ରସାଦ ଲାଗି କରାଯାଇଥିଲା। ଗୋଟି ଭୋଗ ଓ ମହାପ୍ରସାଦ ଲାଗି ମଧ୍ୟ କରାଯାଇଥିଲା। ହାତୀବେଶ ଅବସରରେ ଫୁଲ ଲାଗି ଓ ତୁଳସୀ ଚନ୍ଦନ ଲାଗି ଓ ଟାହିଆ ପିନ୍ଧାଇ ଠାକୁରଙ୍କ ଦିବ୍ୟରୂପକୁ ଅଧିକ ମନ‌ଲୋଭା କରାଯାଇଥିଲା।

ଗତବର୍ଷ ଭଳି ଚଳିତ ବର୍ଷ କରୋନା କଟକଣା ପାଇଁ ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଦର୍ଶନ କରି ନପାରି ଶ୍ରଦ୍ଧାଳୁମାନେ ମନଉଣା କରିଥିଲେ। ତେବେ ବହୁ ଭକ୍ତ ଓ ଶଦ୍ଧାଳୁ ସମ୍ଭାଳି ହୋଇନଥିଲେ। ପ୍ରଭୁଙ୍କ ଲୀଳା ସେମାନଙ୍କୁ ଚୁପ୍ ବସିବାକୁ ଦେଇନଥିଲା। ତେଣୁ କିଏ ମନ୍ଦିର ପାଚେରି‌ରେ ଚଢ଼ି ତ କିଏ ସିଂହଦ୍ବାର ଜଳାରେ ଠାକୁରଙ୍କୁ ଦର୍ଶନ କରିଥିଲେ।

ପୁରୁଣା ଭୁବନେଶ୍ୱର
ବଡ଼ଦାଣ୍ଡ ସାହିଠାରେ ଘୋଷଯାତ୍ରା କମିଟି ପକ୍ଷରୁ କୋଭିଡ୍‌ କଟକଣାରେ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥିଲା। ସ୍ଥାନୀୟ ବଡ଼ଦାଣ୍ଡ ସାହି ଛକଠାରେ ବିନ୍ଦୁସାଗରରୁ ତୀର୍ଥଜଳ ଆଣି ସେଥିରେ ଅଗୁରୁ, ଚନ୍ଦନ, ଭାଷ୍କର, ମଲ୍ଲୀ ଫୁଲ ଆଦି ପକାଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ସ୍ନାନ କରାଯାଇଥିଲା। ପରେ ତିନି ଠାକୁରଙ୍କ ଗଜାନନ ବେଶ କରାଯାଇଥିଲା। ଏହାକୁ କିମିଟିର ସଭାପତି ଶକ୍ତି ପ୍ରସାଦ ସାହୁ, ସୁଶୀଲ ପ୍ରହରାଜ, ଅମିତ ଶତପଥୀ ଓ ସଭ୍ୟମାନେ ପରିଚାଳନା କରିଥିଲେ। ସେହିପରି ପରକରଣ ସାହି ନାରାୟଣ ମନ୍ଦିର ନିକଟରେ ପୁରୁଣା ଭୁବନେଶ୍ବର ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥିଲା। ସେଠାରେ ଠାକୁରଙ୍କୁ ବିଧି ମୁତାବକ ତୀର୍ଥ ଜଳରେ ସ୍ନାନ କରାଯାଇଥିଲା। ସୁନ୍ଦରପଦାର ଶ୍ରୀପତିତପାବନ ଦେବଙ୍କ ସ୍ନାନଯାତ୍ରା ମଧ୍ୟ କୋଭିଡ୍‌ କଟକଣା ମଧ୍ୟରେ ପାଳିତ ହୋଇଥିଲା। ସ୍ଥାନୀୟ ବ୍ରାହ୍ମଣ ନିଯୋଗ, ଗ୍ରାମବାସୀ ଓ ବରିଷ୍ଠ ଉପଦେଷ୍ଟାଙ୍କ ଦ୍ବାରା ପାଳିତ ହୋଇଥିଲା ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟି ମୁରଲୀ ମନୋହର ପାତ୍ର ସୂଚନା ଦେଇଛନ୍ତି।

ବାଲିପାଟଣା
ବାଲିପାଟଣା ବ୍ଲକରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ କୋଭିଡ୍‌ କଟକଣା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନପୂର୍ଣ୍ଣିମା ପାଳିତ ହୋଇଥିଲା। ଶିଶୁମଠ ସାହିସ୍ଥିତ ଶ୍ରୀମୂର୍ତିଦେବ ବା ମଦନ ମୋହନଙ୍କ ମନ୍ଦିର, ବାଲିପାଟଣା ବଜାର ଜଗନ୍ନାଥ ମନ୍ଦିର, ଭୈରୀପୁର ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁସାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା। ସୁବାସିତ ଜଳରେ ସ୍ନାନ କରାଯିବା ପରେ ବିଧି ମୁତାବକ ପୂଜାର୍ଚ୍ଚନା ଓ ହାତୀ ବେଶ ସମ୍ପନ୍ନ ହୋଇଥିଲା।

ଗଡ଼କଣ୍ଟୁଣିଆ ସୁଦର୍ଶନ ଦେବ

ବାଲିଅନ୍ତା ବ୍ଲକ ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ପୀଠରେ ସ୍ନାନପୂର୍ଣ୍ଣିମା ପୂଜାନୀତି ଯଥାବିଧି ଅନୁଷ୍ଠିତ ହୋଇଥିଲା। ସକାଳ ୬ଟାରେ ଘଣ୍ଟଘଣ୍ଟି ବଜାଇ ଚତୁର୍ଧା ମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ତଡ଼ପଲାଗି, ମଇଲମ ନୀତି ପରେ ଦିଅଁମାନଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ପରେ ଶ୍ରୀଜୀଉମାନଙ୍କ ନିକଟରେ ଶଙ୍ଖୁଡ଼ି ଭୋଗ ଲାଗି ହୋଇଥିଲା। ମହାସ୍ନାନ ନୀତି ସଂପାଦନ ପରେ ଦିଅଁମାନେ ଗୋଟି ପହଣ୍ଡିରେ ଅଣସର ମଣ୍ଡପକୁ ବିଜେ କରିଥିଲେ। ଆସନ୍ତାକାଲିଠାରୁ ରଥଯାତ୍ରା ପର୍ଯ୍ୟନ୍ତ ସେଠାରେ ଅଣସର ନୀତି ପାଳିତ ହେବ ବୋଲି ସୂଚନା ମିଳିଛି। ଟ୍ରଷ୍ଟର ପ୍ରମୁଖ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ। ଅନୁରୂପ ଭାବେ କାକରୁଦ୍ରପୁରସ୍ଥିତ ପତିତପାବନ ଦେବଙ୍କ ପୀଠରେ ଶ୍ରୀଜୀଉଙ୍କ ସ୍ନାନପୂର୍ଣ୍ଣିମା ଯଥାବିଧି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର