ବିତର୍କ: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ଯଥାର୍ଥ?
ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାରଙ୍କ ମତରେ, ଧାରା ୩୭୭କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି, ଯାହାକୁ ନେଇ ଏବେ ‘ବିତର୍କ’ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରମ୍ପରା ଓ ସଂସ୍କୃତି ନାଁରେ ମାନବାଧିକାର କ୍ଷୁଣ୍ଣ ହେବା ଉଚିତ ନୁହେଁ
ଶାରୀରିକ ସଂପର୍କ ବା ବଂଶବୃଦ୍ଧିର ସଂଜ୍ଞା ନୁହେଁ ବିବାହ; ଏହା ଏକ ସାମାଜିକ ବନ୍ଧନ। ପ୍ରତ୍ୟେକ ନାଗରିକକୁ ନିଜ ଜୀବନସାଥୀ ବାଛିବାର ଅଧିକାର ରହିଛି। ଧାରା-୩୭୭ ଅନୁଯାୟୀ ଯଦିଓ ସମଲିଙ୍ଗୀମାନଙ୍କୁ ଏକାଠି ରହିବାର ଅନୁମତି ମିଳିଛି, ତଥାପି ଆମକୁ ଲୋକ ଘୃଣ୍ୟ ନଜରରେ ଦେଖୁଛନ୍ତି। ସମାଜରେ ଯେପରି ବିପରୀତ ଦୁଇ ଲିଙ୍ଗର ଲୋକ ବିବାହ ବନ୍ଧନରେ ବାନ୍ଧି ହୋଇ ପରସ୍ପରର ସାଥୀ ବା ଆବଶ୍ୟକସ୍ଥଳେ ଅଭିଭାବକ ହୋଇପାରୁଛନ୍ତି, ସମଲିଙ୍ଗୀମାନଙ୍କ ପାଖରେ ବି ସେ ଅଧିକାର ରହିବା ଆବଶ୍ୟକ। ଯଦି ଆମ ସମାଜରେ ଲିଭ୍-ଇନ୍ ପାଇଁ ଅନୁମତି ଅଛି, ତେବେ ବିବାହ ପାଇଁ କାହିଁକି ନୁହେଁ? ବିବାହ ନ କଲେ, କାଲିକୁ କେହି ଜଣେ ଅସୁବିଧାରେ ପଡ଼ିଲେ, ଜଣେ ପାର୍ଟନର୍ ଅନ୍ୟଜଣଙ୍କ ଅଭିଭାବକ ଭାବେ ନିଜକୁ କିଭଳି ଉପସ୍ଥାପିତ କରିପାରିବ? ବିଦେଶରେ ସମଲିଙ୍ଗୀ ବିବାହ ପାଇଁ ସମ୍ମତି ଅଛି। ଆମ ଦେଶରେ ମଧ୍ୟ ଏହାକୁ ସ୍ୱୀକୃତି ମିଳିବା ଆବଶ୍ୟକ। ମାନବ ସ୍ୱାର୍ଥ ଓ ଅଧିକାର ପାଇଁ ବହୁ ପୁରାତନ ପ୍ରଥା ଓ ପରମ୍ପରା ବଦଳିଛି। ତେଣୁ ପରମ୍ପରା ଓ ସଂସ୍କୃତିର ଦ୍ବାହି ଦେଇ ମାନବାଧିକାର କ୍ଷୁଣ୍ଣ କରିବା ଉଚିତ ନୁହେଁ।
-ଦୂତି ଚାନ୍ଦ, ଅଲିମ୍ପିଆନ୍
ସମଲିଙ୍ଗୀ ବିବାହକୁ ବିରୋଧ ମାନବାଧିକାର ପ୍ରତି ପ୍ରହାର
ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାରଙ୍କ ଏ ସତ୍ୟପାଠ ମାନବାଧିକାର ବିରୋଧୀ। ନିଜ ପସନ୍ଦାନୁସାରେ ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି। ସମଲିଙ୍ଗୀମାନେ ସାଥୀ ହୋଇ ଏକାଠି ରହିପାରିବେ ଓ ଶାରୀରିକ ସମ୍ପର୍କ ସ୍ଥାପନ ଆଇନସମ୍ମତ। ସମ୍ବିଧାନର ଧାରା ୩୭୭ହଟି ସମଲିଙ୍ଗୀମାନଙ୍କୁ ଏହି ଅଧିକାର ଦିଆଯାଇଥିଲେ ବି ଏବେ ବି ସମଲିଙ୍ଗୀ ସମ୍ପର୍କକୁ ସମାଜ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରୁନାହିଁ। ଯଦିଓ କେନ୍ଦ୍ର ଓ ସୁପ୍ରିମକୋର୍ଟ ପୂରାପୂରି ଏହାର ବିରୋଧ କରୁନାହାନ୍ତି, କିନ୍ତୁ ତାଙ୍କ ମନ୍ତବ୍ୟରେ ଏବେ ମଧ୍ୟ ଏହି ସମ୍ପର୍କକୁ ନେଇ ଥିବା ବିରୋଧାଭାଷ ସ୍ପଷ୍ଟ ବାରି ହେଉଛି।
-ଆହାନ ମାନସାଇ, ଆସିଷ୍ଟାଣ୍ଟ ପ୍ରଫେସର୍, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ସମାଜ ଅସୁସ୍ଥ ଓ ବିଶୃଙ୍ଖଳିତ ହୋଇଯିବ
ସମଲିଙ୍ଗୀ ବିବାହକୁ ନ୍ୟାୟିକ ଅନୁମୋଦନ ନ ଦେବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାହା ଯଥାର୍ଥ ଓ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ସମଲିଙ୍ଗୀ ବିବାହ ଆମ ମହାନ ଭାରତୀୟ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧକୁ ନଷ୍ଟ କରିବ। ଏହାକୁ ଅନୁମୋଦନ ଦିଆଗଲେ ଏହା ଯୁବପିଢ଼ି ଓ ସମାଜରେ ଏକ ଅସୁସ୍ଥ, ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରିବ।
-ନିରୁପମା ରଥ, ସମାଜସେବୀ
ଭାରତୀୟ ସଂସ୍କୃତି କ୍ଷୁଣ୍ଣ ହେବ
କେନ୍ଦ୍ରର ନିଷ୍ପତ୍ତିକୁ ମୁଁ ସମ୍ମାନ ଦେଉଛି। ପ୍ରାଚୀନ କାଳରୁ ସମାଜ ‘ପୁରୁଷ ଓ ନାରୀ’ ଦୁଇ ବର୍ଗରେ ବିଭକ୍ତ କରି କାର୍ଯ୍ୟ କରିଆସୁଛି। ଏହି ଦୁଇ ବର୍ଗକୁ ନେଇ ଦେଶର ସବୁ ଆଇନକାନୁନ ସୃଷ୍ଟି ହୋଇଛି। ସମାଜ ଯେତେ ବିକଶିତ ହେଲେ ମଧ୍ୟ ଏବେ ବି ଆମେମାନେ ପରମ୍ପରା ଓ ସଂସ୍କୃତିକୁ ନେଇ ବଞ୍ଚିଛେ। ତେଣୁ ସମଲିଙ୍ଗୀ ବିବାହ ଭାରତରେ ଅନୁମୋଦନ ପାଇଲେ ସଂସ୍କୃତି କ୍ଷୁଣ୍ଣ ହେବା ସହ ଆଇନ ଓ କାନୁନର ମଧ୍ୟ ପରିଭାଷା ବଦଳିଯିବ। ତାହା ଗ୍ରହଣୀୟ ନୁହେଁ।
-ମିଲନ ଦିଗାଲ, ଛାତ୍ର
ଯାହା ଆଇନସିଦ୍ଧ ନୁହେଁ, ତାହା କେବେ ହେବା ଉଚିତ ନୁହେଁ
ସମଲିଙ୍ଗୀ ବିବାହ ଜମାରୁ ଆଇନସିଦ୍ଧ ନୁହେଁ। ସମଲିଙ୍ଗୀ ବିବାହକୁ ଅନୁମତି ମିଳିଲେ ସମାଜ ଉପରେ ଏହାର ଏକ ନକାରାତ୍ମକ ଓ କୁ-ପ୍ରଭାବ ପଡ଼ିବ। ସମାଜରେ ଅପରାଧ ବଢ଼ିବ। ତେଣୁ ସମାଜର ଭଲ ପାଇଁ ସରକାର ନିଶ୍ଚୟ ଏହା ସପକ୍ଷରେ ରାୟ ଦେବା ପାଇଁ କେବେ ବି ଉଚିତ ମନେ କରିବେ ନାହିଁ।
-ମଧୁମାଧବ ଜେନା, ବରିଷ୍ଠ ଆଇନଜୀବୀ
ସମଲିଙ୍ଗୀ ବିବାହ ପୂରା ଧର୍ମବିରୋଧୀ
ସମଲିଙ୍ଗୀ ବିହାର ପୂରା ଧର୍ମ ବିରୋଧୀ କାର୍ଯ୍ୟକଳାପ। ଏହାକୁ ଦୃଢ଼ତାର ସହ ବିରୋଧ କରିବାର ଆବଶ୍ୟକତା ରହିଛି। ଏମିତି ହେବ! ସେ ପୁଣି ଭାରତବର୍ଷ; କଳ୍ପନା କରିବାକୁ ବି ମନ ଯାଉନି। ଭାରତୀୟ ସଂସ୍କୃତି ଦୃଷ୍ଟିରୁ ବିଚାର କଲେ, ନ୍ୟାୟାଳୟ ଏହାକୁ ସମ୍ମାନର ସହ ନାକଚ କରିବା ଉଚିତ। ବିବାହମାନେ ପିଢ଼ିକୁ ଆଗକୁ ବଢ଼ାଇବା। ମାତ୍ର ସମଲିଙ୍ଗୀ ବିବାହରେ ଏପରି ଘଟି ନଥାଏ।
-ଆପ୍ତକାମ ମିଶ୍ର, ଶିକ୍ଷାବିତ୍
ସମାଜ କେବେ ସ୍ବୀକୃତି ଦେବ ନାହିଁ
ସମଲିଙ୍ଗୀ ବିବାହକୁ ସମାଜ କେବେ ବି ସ୍ବୀକୃତି ଦେବ ନାହିଁ। ଭାରତ ବର୍ଷ ପବିତ୍ର ମାଟିରେ ଏପରି କୁ-ସଂସ୍କାରକୁ କେବେ ବି ପ୍ରଶୟ ମିଳି ନାହିଁ କିମ୍ବା ମିଳି ପାରିବ ନାହିଁ। କିନ୍ତୁ କିଛି ଲୋକଙ୍କ ଚିନ୍ତାଧାରା ଅଲଗା। ସେମାନେ ଏପରି ରହିବାକୁ ପସନ୍ଦ କରୁଛନ୍ତି। ବାହାର ଦେଶରେ ଏପରି ଚଳୁଛି, ତେଣୁ ଏପରି ଇଚ୍ଛା ରଖୁଥିବା ବ୍ୟକ୍ତି ବିଦେଶକୁ ଚାଲିଯିବା ଭଲ।
-ଗୁଲସନ୍ ଦାଶ, ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶକ