‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ବିତର୍କ ପ୍ରତିଯୋଗିତା: ୟସ୍, ଋତୁପର୍ଣ୍ଣା ଓ ପ୍ରାଚୀ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ

ଭୁବନେଶ୍ବର: ଆଜି ‘ସମ୍ବାଦ ଭବନ’ ପରିସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଭୁବନେଶ୍ବର ଜୋନ୍‌ସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ‘ସାମାଜିକ ଗଣମାଧ୍ୟମ ଖବରର ବିଶ୍ବସନୀୟତାକୁ ହତ୍ୟା କରିଛି’ ଶୀର୍ଷକକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୧୯ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବର ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍‌ର ଦ୍ବିତୀୟ ବାର୍ଷିକ ବିଜ୍ଞାନ ଛାତ୍ର ୟସ୍‌ ମହାନ୍ତି ପ୍ରଥମ, ଅଡ଼ଶପୁର ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ସ୍ନାତକୋତ୍ତର ପ୍ରଥମ ବାର୍ଷିକ ଛାତ୍ରୀ ଋତୁପର୍ଣ୍ଣା ଜେନା ଦ୍ବିତୀୟ ଓ ଓୟୁଏଟି ବିଶ୍ବବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ପ୍ରାଚୀରାଣୀ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ୩ କୃତୀ ପ୍ରତିଯୋଗୀଙ୍କୁ ଆଜି ପୁରସ୍କୃତ କରାଯାଇଛି ଓ ଆସନ୍ତା ୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଏମାନେ ଅଂଶ ଗ୍ରହଣ କରିବେ।

ଶୀର୍ଷକ ସପକ୍ଷରେ ମତ ଦେଇ ପ୍ରତିଯୋଗୀମାନେ କହିଥିଲେ ଯେ ପ୍ରତିଷ୍ଠିତ ଗଣମାଧ୍ୟମ କୌଣସି ଖବର ପରିବେଷଣ କଲା ବେଳେ ସତ୍ୟାସତ୍ୟ ଯାଞ୍ଚ କରନ୍ତି। ଖବରର ବିଭିନ୍ନ ଦିଗକୁ ଗୁରୁତ୍ବ ଦେଇଥାନ୍ତି। ଏମିତିକି ପରିବେଷଣ ଶୈଳୀ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ମାତ୍ର ସାମାଜିକ ଗଣମାଧ୍ୟମ ବହୁ ସମୟରେ ଏସବୁକୁ ଗୁରୁତ୍ବ ଦେଉନାହାନ୍ତି। ଲାଇକ୍‌, ‌କମେଣ୍ଟ ଓ ସେୟାର୍‌ ପ୍ରତିଯୋଗିତାରେ ଆଗୁଆ ରହିବା ପାଇଁ ମିଥ୍ୟା ଓ ଭ୍ରମ ସୃଷ୍ଟି କରିବା ଭଳି ଖବର ପ୍ରଚାର କରୁଛନ୍ତି। ସେମାନଙ୍କ ନିକଟରେ କୌଣସି ଦାୟିତ୍ବବୋଧ ଓ ମୂଲ୍ୟବୋଧ ନାହିଁ। ସାଧାରଣ ଖବରକୁ ବି ଅତିରଞ୍ଜିତ କରି ପ୍ରସାରଣ କରୁଛନ୍ତି। ଫଳରେ ଏହାର କୁପ୍ରଭାବ ସମାଜ ଉପରେ ପଡ଼ୁଛି। ଲୋକେ ଭୁଲ କଥାକୁ ଗ୍ରହଣ କରି ପଥଭ୍ରଷ୍ଟ ହେଉଛନ୍ତି। ବିଶେଷକରି ଯୁବପିଢ଼ି ଉପରେ ସାମାଜିକ ଗଣମାଧ୍ୟମ ବହୁ କୁପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଶୀର୍ଷକର ବିପକ୍ଷରେ ଯୁକ୍ତି ବାଢ଼ି ପ୍ରତିଯୋଗୀମାନେ କହିଥିଲେ ଯେ ସାମାଜିକ ଗଣମାଧ୍ୟମ ପ୍ରଯୁକ୍ତି ବିଦ୍ୟାର ସୃଷ୍ଟି। ଏହାଦ୍ବାରା ବହୁ ଅନାଲୋଚିତ ହୋଇ ରହିଯାଉଥିବା ଖବର ପ୍ରସାରିତ ହୋଇପାରୁଛି। ବଡ଼ବଡ଼ ସମ୍ବାଦ ସରବରାହ ସଂସ୍ଥା ନଜରରୁ ହଟି ଯାଉଥିବା ଗୁରୁତ୍ବପୂର୍ଣ୍ଣ ଖବର ସାମାଜିକ ଗଣମାଧ୍ୟମ ଦ୍ବାରା ଲୋକଲୋଚନକୁ ଆସିପାରୁଛି। ଯଦି କେହି ଏହାର ଦୂରୁପଯୋଗ କରୁଛି ବା ଭୁଲ୍ ଖବର ଦେଇ ଲୋକଙ୍କୁ ଭ୍ରମିତ କରୁଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ତେଣୁ ପାଠକ ନିଜର ବିଚାର ଶକ୍ତିକୁ ଉପଯୋଗ କରି ଖବରର ସତ୍ୟତା ପରଖିବା ସହ ଭୁଲ୍ ଖବର ପରିବେଷଣକାରୀକୁ ସେଇ ସାମାଜିକ ଗଣମାଧ୍ୟମରେ ହିଁ ଖଣ୍ଡନ କରିବାର ବ୍ୟବସ୍ଥା ରହିଛି।
ଏହି ପ୍ରତିଯୋଗିତାର ବିଚାରକ ସ୍ତମ୍ଭକାର ଶ୍ୟାମସୁନ୍ଦର ଅଗ୍ରଵାଲ୍ କହିଥିଲେ ଯେ ସବୁ ବ୍ୟବସ୍ଥା ଭଳି ସାମାଜିକ ଗଣମାଧ୍ୟମର ମଧ୍ୟ ଉପକାରିତା ଓ ଅପକାରିତା ରହିଛି। ତେଣୁ ପାଠକ ଏହାକୁ ନେଇ ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ୍। ତେବେ କିଛି ଅସାଧୁ ବ୍ୟକ୍ତିଙ୍କ ଯୋଗୁଁ ବହୁ ସମୟରେ ଏହା ବିଶ୍ବସନୀୟତା ହରାଉଛି।

ଯୁବପିଢ଼ି ସଠିକ ଉପଯୋଗ କରି ଏହାର ବିଶ୍ବସନୀୟତା ଫେରାଇ ଆଣିବାକୁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅନ୍ୟତମ ବିଚାରକ ତଥା ଅବସରପ୍ରାପ୍ତ ନାବାର୍ଡ ଅଧିକାରୀ ସରଳ କୁମାର ଦାସ ଓ ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ ଚିନ୍ମୟ ହୋତା ପ୍ରତିଯୋଗୀମାନଙ୍କ ବଳିଷ୍ଠ ତର୍କ ଓ ଭାଷା ଜ୍ଞାନକୁ ନେଇ ଓଡ଼ିଆ ଭାଷାର ଭବିଷ୍ୟତ ସୁରକ୍ଷିତ ବୋ‌ଲି ମତ ଦେଇଥିଲେ। ଏହି ଅବସରରେ ସେମାନେ ପ୍ରତିଯୋଗୀମାନଙ୍କୁ ୩ଟି ଦିଗ ଉପରେ ପ୍ରାଧାନ୍ୟ ଦେବାକୁ କହିଥିଲେ। ପ୍ରଥମତଃ ମାର୍ଜିତ ଭାଷା ତଥା ଗୋଟିଏ ପ୍ରକାରର ଭାଷା ଉପରେ ଧ୍ୟାନ ଦେବାକୁ କହିଥିଲେ। ସେହିଭଳି ବିଷୟବସ୍ତୁକୁ ଭଲ ଭାବରେ ବୁଝିବା ଦରକାର ଓ ଶୀର୍ଷକର ପରିଧି ମଧ୍ୟରେ ରହି ତର୍କ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଉପସ୍ଥାପନା ଶୈଳୀ ଅନ୍ୟମାନଙ୍କଠାରୁ ଭିନ୍ନ ଓ ଅନନ୍ୟ ହେଲେ ହିଁ ଜଣେ ତର୍କ ପ୍ରତିଯୋଗୀ ସଫଳ ହୋଇପାରିବ ବୋଲି ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ଫିଚର୍ ସଂପାଦକ ଗୌରହରି ଦାସ, ସିଓଓ କମଳାକାନ୍ତ ମହାପାତ୍ର ଓ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ କିଭଳି ଭଲ ପ୍ରଦର୍ଶନ କରିବେ, ସେନେଇ ଦିଗ୍‌ଦର୍ଶନ ଦେଇଥିଲେ।

‘ସମ୍ବାଦ’ର ନିଆରା ପଦକ୍ଷେପ
‘ସମ୍ବାଦ’ ଗ୍ରୁପ୍‌ର ଏଭଳି ନିଆରା ପଦକ୍ଷେପ ଯୋଗୁଁ ଅନେକ ପ୍ରତିଭା ଚିହ୍ନଟ ହୋଇପାରୁଛି। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ମୋତେ ସୁଯୋଗ ମିଳିଥିବାରୁ ‘ସମ୍ବାଦ’କୁ ଧନ୍ୟବାଦ। ଆଜିର ବିତର୍କ ପ୍ରତିଯୋଗିତାରେ ମୁଁ ସପକ୍ଷରେ ଯୁକ୍ତି ବାଢ଼ିଥିଲି। କାରଣ ମୁଖ୍ୟସ୍ରୋତର ଗଣମାଧ୍ୟମ ସଂସ୍ଥା ଭଳି ଖବରକୁ ନପରଖି ସାମାଜିକ ଗରମାଧ୍ୟମ ପ୍ରସାରଣ କରୁଥିବାରୁ ସମାଜ ଉପରେ କୁପ୍ରଭାବ ପଡ଼ୁଛି। ତେଣୁ ସତ୍ୟତା ଅନୁସନ୍ଧାନ କରି ଖବର ପ୍ରସାରଣ କରିବା ଉଚିତ।
ୟସ୍‌ ମହାନ୍ତି(ପ୍ରଥମ)

ସାମାଜିକ ଗଣମାଧ୍ୟମ କେବେ ଖରାପ ନୁହେଁ
ସାମାଜିକ ଗଣମାଧ୍ୟମ ଖବରର ବିଶ୍ବସନୀୟତାକୁ କେବେ ଖରାପ କରିନଥିଲା, କରିନାହିଁ କିମ୍ବା ଭବିଷ୍ୟତରେ କେବେ କରିବ ନାହିଁ। କାରଣ ଯେ କୌଣସି ଖବରର ବିଶ୍ବସନୀୟତା ଆମ ଉପରେ ନିର୍ଭର କରେ। ସେଥି ନିମନ୍ତେ ଆମେ କୌଣସି ମାଧ୍ୟମକୁ ଦୋଷ ଦେଇପାରିବା ନାହିଁ। ବରଂ ସାମାଜିକ ଗଣମାଧ୍ୟମ ଯୁବପିଢ଼ିଠୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗରେ ଆସୁଛି।
ଋତୁପର୍ଣ୍ଣା ଜେନା(ଦ୍ବିତୀୟ)

ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଅଛି
ଏହି ପ୍ରତିଯୋଗିତାରୁ ବହୁତ କିଛି ଶିଖିବାକୁ ମିଳିଲା। ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଖୁସି ଲାଗୁଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ଅଛି। ଆଜି ବିଷୟବସ୍ତୁ ବିପକ୍ଷରେ ମୁଁ ତର୍କ ରଖିଛି। କାରଣ ସାମାଜିକ ଗଣମାଧ୍ୟମରେ ଭୁଲ୍ ଖବର ପ୍ରସାରଣ ହେଲେ, ଆମେ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଭାବେ ତା’କୁ ସେହି ମାଧ୍ୟମରେ ଖଣ୍ଡନ କରିବା ଆବଶ୍ୟକ।
ପ୍ରାଚୀରାଣୀ ପଣ୍ଡା(ତୃତୀୟ)

ସମ୍ବନ୍ଧିତ ଖବର