ବିତର୍କ: ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିବା ଉଚିତ କି?

ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାରଙ୍କ ମତରେ, ଧାରା ୩୭୭କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି, ଯାହାକୁ ନେଇ ଏବେ ‘ବିତର୍କ’ ଆରମ୍ଭ ହୋଇଛି।

ବ୍ୟକ୍ତିଗତ ପସନ୍ଦ ଓ ସମ୍ପର୍କକୁ ଗୁରୁତ୍ବ ଦେବା ଆବଶ୍ୟକ

ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମ୍ବିଧାନ ଆଗରେ ସମସ୍ତେ ସମାନ। ସମ୍ବିଧାନ ସମସ୍ତଙ୍କୁ ସମାନ ମୌଳିକ ଅଧିକାର ଦେଇଛି। ତେଣୁ ନିଜ ଜୀବନ ସଂପର୍କରେ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ଅଛି। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯିବା କଥା। କେନ୍ଦ୍ର ସରକାର ଏହାର ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିବା ଉଚିତ।
-ମୀରା ପରିଡ଼ା, ସମାଜସେବୀ

ମୁକ୍ତ ଜୀବନ ଜିଇଁବାର ଅଧିକାର ସମସ୍ତଙ୍କର ଅଛି

ଏଇ ମଣିଷ ହିଁ ପ୍ରଥା ପରମ୍ପରା ତିଆରି କରିଛି। ତେଣୁ ଏହାକୁ ଆଳ କରି କାହାର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ କୁଠାରଘାତ କରାଯିବା ଉଚିତ ନୁହେଁ। ଭାରତୀୟ ପରିବାରରେ ବିବାହ ଏକ ସ୍ବତନ୍ତ୍ର ତଥା ନିବିଡ଼ ବନ୍ଧନ। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିବାହର ସଂଜ୍ଞା ବଦଳିବାରେ ଲାଗିଛି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ନ ଦେଲେ ମଧ୍ୟ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ଆରୋପ କରିବା ଅନୁଚିତ। ସମସ୍ତଙ୍କୁ ମୁକ୍ତ ଭାବେ ନିଜ ନିଜର ଜୀବନ ଜିଇଁବା ପାଇଁ ଛାଡ଼ିବା ସହ କାହା ନିଷ୍ପତ୍ତିକୁ ବିରୋଧ କରାନଯାଉ।
-ବିଭୁପ୍ରସାଦ ତ୍ରିପାଠୀ, ଆଇନଜୀବୀ

ବିବାହ କେବଳ ବଂଶବୃଦ୍ଧିରେ ସୀମିତ ରହିବା ଉଚିତ ନୁହଁ

ବିବାହ କେବଳ ବଂଶବୃଦ୍ଧିରେ ସୀମିତ ରହିବା ଉଚିତ ନୁହେଁ। କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଯେଉଁ ସତ୍ୟପାଠ କରିଛନ୍ତି, ତାହା ଦ୍ବାରା ଲୋକଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି।
-ମେଘନା ସାହୁ, ସମ୍ପାଦିକା, ଅଲ୍‌ ଓଡ଼ିଶା କିନ୍ନର ଆସୋସିଏସନ୍‌

ଗ୍ରହଣ କରିବାରେ ଅସୁବିଧା କୋଉଠି

ସମଲିଙ୍ଗୀ ବିବାହକୁ ଅନୁମତି ମିଳିବା‌ରେ କାହାର ଆପତ୍ତି ରହିବା କଥା ନୁହେଁ। ନିଜ ହିସାବରେ ବଞ୍ଚିବାର ଅଧିକାର ସମସ୍ତଙ୍କର ରହିଛି। ତେଣୁ ମୋ ମତରେ ଉଭୟ କେନ୍ଦ୍ର ସରକାର ଓ ସୁପ୍ରିମ୍‌କୋର୍ଟ ସମଲିଙ୍ଗୀ ବିବାହ ସପକ୍ଷ‌ରେ ଯିବା ଉଚିତ।
-ସିଲ୍‌କା ସଲୋନୀ, ଛାତ୍ରୀ

ପରମ୍ପରା ବିରୋଧୀ, ଅପସଂସ୍କୃତି

ସାଥୀ ଭାବରେ ଏକାଠି ରହିବା ଓ ସମଲିଙ୍ଗୀ ବ୍ୟକ୍ତିଙ୍କ ଦ୍ୱାରା ଯୌନ ସମ୍ପର୍କ ରଖିବା ‘ଭାରତୀୟ ପରିବାର ଏକକ ଧାରଣା’ ସହିତ ତୁଳନୀୟ ନୁହେଁ। ଜଣେ ପୁଅ ସହିତ ଝିଅର ବିବାହ ହେବା ହିଁ ଆମର ପରମ୍ପରା। ତେଣୁ ସମଲିଙ୍ଗୀ ବିବାହ ଭଳି ଅପସଂସ୍କୃତି ଆମ ଦେଶରେ ଆସିବା ଠିକ୍‌ ନୁହେଁ।
-ରା‌ଜେଶ କୁମାର ବେହେରା, ସମାଜସେବୀ

ସଂସ୍କୃତି ବିରୋଧୀ

ସମଲିଙ୍ଗୀ ବିବାହ ପ୍ରକୃତି ବିରୋଧୀ ଓ ଭାରତୀୟ ସଂସ୍କୃତି ବିରୋଧୀ। ସାରା ବିଶ୍ବରେ ଭାରତ ଏହାର ଇତିହାସ, ସଂସ୍କୃତି ଓ ପରମ୍ପରା ପାଇଁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଇତିହାସରେ ଭିନ୍ନ ଲିଙ୍ଗରେ ବିବାହକୁ ଆଦର୍ଶ ଭାବେ ଗ୍ରହଣ କରାଯାଇଛି। ସମଲିଙ୍ଗୀ ବିବାହକୁ କେବେ ବି କୌଣସି ସାମାଜିକ ସ୍ବୀକୃତି ମିଳି ନଥିଲା। ସମଲିଙ୍ଗୀ ବିବାହ ପ୍ରଥା ଭାରତୀୟ ପରମ୍ପରାରେ ନାହିଁ। ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯିବା ଅର୍ଥ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି କୁଠାରାଘାତ। ମଣିଷର ପଶୁ ପ୍ରବୃତ୍ତିକୁ ସ୍ବୀକୃତି ଦେବାସହିତ ସମାନ ହେବ ସମଲିଙ୍ଗୀ ବିବାହକୁ ଅନୁମତି। ଭାରତୀୟ ପରିବାର ବ୍ୟବସ୍ଥା ସମଗ୍ର ବିଶ୍ବରେ ‌ଜଣାଶୁଣା ଓ ଲୋକପ୍ରିୟ। ସାରା ବିଶ୍ବରେ ଭାରତର ପାରିବାରିକ ଜୀବନକୁ ଆଦର୍ଶ ଭାବେ ଗ୍ରହଣ କରାଯାଉଛି। ସମଲିଙ୍ଗୀ ବିବାହ ଭାରତୀୟ ପରିବାର ବ୍ୟବସ୍ଥା ଓ ମୂଲ୍ୟବୋଧ ଭିତ୍ତିକ ପାରିବାରିକ ଜୀବନକୁ ଧ୍ବଂସ କରିଦେବ। ତେଣୁ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ଉଚିତ ନୁହେଁ।
-ଚନ୍ଦ୍ରକାନ୍ତ ପ୍ରଧାନ, ଭାରତ ସରକାରଙ୍କ ପ୍ୟାନେଲ୍‌ ବରିଷ୍ଠ କାଉନସିଲ

ବ୍ୟକ୍ତିଗତ ସ୍ବାଧୀନତାର ପ୍ରସଙ୍ଗ

ସମଲିଙ୍ଗୀ ବିବାହକୁ ବିରୋଧ କରାଯିବା ଉଚିତ ନୁହେଁ। ଏହା ଜଣଙ୍କ ବ୍ୟକ୍ତିଗତ ସ୍ବାଧୀନତାରେ ହସ୍ତକ୍ଷେପ ବୋଲି କୁହାଯାଇ ପାରିବ। ସମ୍ବିଧାନ ପ୍ରଦତ୍ତ ଅଧିକାର ସବୁ ନାଗରିକଙ୍କ ପାଇଁ ରହିଛି। ଜଣେ ନାଗିରକ କେଉଁ ନିୟମ ଅନୁସାରେ ଜୀବନ ଅତିବାହିତ କରିବ ତାହା ସରକାର ନିର୍ଦ୍ଧାରଣ କରିବା ଅନାବଶ୍ୟକ। ଜଣଙ୍କ ଜୀବନଶୈଳୀ ଯଦି କୌଣସି ଅପରାଧ ପରିସରଭୁକ୍ତ ନୁହେଁ, ତେବେ ତାହାକୁ ନେଇ ଆପତ୍ତି ରହିବା ଅନୁଚିତ। ସାମାଜିକ ନୈତିକତା ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଚଷମାରେ ଦେଖିବା ଆବଶ୍ୟକ। ଜଣଙ୍କ ସମଲିଙ୍ଗୀ ବିବାହ ନିଷ୍ପତ୍ତିକୁ ସମ୍ବିଧାନରେ ଦିଆଯାଇଥିବା ଜୀବନଧାରଣ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଭାବେ ଦେଖିବା ଉଚିତ। ଜୀବନଧାରଣ ଅଧିକାରକୁ ଯେକୌଣସି ମୂଲ୍ୟ ଦେଇ ସୁରକ୍ଷା ଦେବାକୁ ହେବ। ସମଲିଙ୍ଗୀ ବିବାହ ପ୍ରସଙ୍ଗ ବେଆଇନ ହୋଇ ନଥିବାରୁ ଏହାକୁ ସ୍ବୀକୃତି ଦିଆଯିବାରେ କିଛି ବାଧା ନାହିଁ।
– କ୍ଷୀରୋଦ କୁମାର ରାଉତ,
ଉପସଭାପତି, ହାଇକୋର୍ଟ ବାର୍ ଆସୋସିଏସନ୍

ସମ୍ବନ୍ଧିତ ଖବର