ଦେବୀ ପାଦହରା ପୁଷ୍କରିଣୀ ଉପରେ ନୀଳ ଚାଦର

ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଦେବୀ ପାଦହରା ପୁଷ୍କରିଣୀ। ପୁଷ୍କରିଣୀରେ ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇପଡ଼ିଛି। ଦଳ ଭର୍ତି ଯୋଗୁଁ ଏଥିରେ ନୀଳ ଚାଦର ବିଛା ହେବା ପରି ଜଣାପଡ଼ୁଛି। ମିଳିଥିବା ସୂଚନା ଅନୁଯାୟୀ ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ଐତିହ୍ୟସ୍ଥଳରେ ରହିଛି ୧୦୮ଶିବ ମନ୍ଦିର। ପୁ‌ଷ୍କରିଣୀ ଚାରିପଟେ ଏହି ମନ୍ଦିର ଗୁଡ଼ିକ ରହିଛି। ତେବେ ପର୍ଯ୍ୟଟକ ଏହାକୁ ଦେଖି ନାକ ଟେକୁଛନ୍ତି। ମନ୍ଦିର ଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ ପାଣି ପରିଷ୍କାର ହେଉନଥିବାରୁ ଏବେ ଦଳ ଭର୍ତି ହୋଇ ରହିଛି। ଏହି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲେ ମଧ୍ୟ ୪ବର୍ଷ ହେଲା ଏହା ବନ୍ଦ ରହିଛି। ଏହାର ନିକଟରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ଜମି ଅଧିଗ୍ରହଣ କରି ଏହାର ସୌନ୍ଦର୍ଯ୍ୟକରଣ କରିବା ଲକ୍ଷ୍ୟ ରଖିଥିବା ପର୍ଯ୍ୟଟନ ବିଭାଗ ଏଥିରେ ଫେଲ ମାରିଥିଲା। ଏବେ ଏହି ମନ୍ଦିର ମାନଙ୍କରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ତୁରନ୍ତ ଏହାର ପୁନରୁଦ୍ଧାର କାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଗୋପାଳ ବଟୁ କୁହନ୍ତି, ଭାରତ ବର୍ଷରେ କେଉଁଠାରେ କେଉଁଠାରେ ଏପରି ପୁଷ୍କରିଣୀ ନାହିଁ। ଜଣେ ଶିବ ଭକ୍ତ ୧୦୮ ବେଲପତ୍ର ଆଣି ପ୍ରତି ଲିଙ୍ଗରେ ଗୋଟିଏ ଲେଖାଏଁ ଲାଗି କରିବା ବିଧି ରହିଛି। ତେବେ ବହୁ ମନ୍ଦିର ଭାଙ୍ଗି ପଡ଼ିଥିବା ବେଳେ ବହୁ ମନ୍ଦିରରେ ଶିବ ଲିଙ୍ଗ ନାହିଁ। ପାଣିରେ ଦଳ ଭର୍ତି ହୋଇ ରହିଛି। ଏଠାକୁ ମହାପ୍ରଭୁ ବର୍ଷକୁ ଦୁଇଥର ଆସିଥାନ୍ତି। ତେବେ ଏହାର ପୁନରୁଦ୍ଧାର ନହେବାରୁ ପର୍ଯ୍ୟଟକ ମଧ୍ୟ ଆସିବାକୁ ମନ କରୁନାହାନ୍ତି। ଭୁବନେଶ୍ବର ଏଏସଆଇ ସଂଗ୍ରାଧୀକ୍ଷକ କୁହନ୍ତି, ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଛି। ଅନୁଦାନ ଆସିଲେ ପୁଣି କାମ ହେବ।

ସମ୍ବନ୍ଧିତ ଖବର