କଥା କହୁଛି ମନଲୋଭା ଫଟୋ

ଦେବପ୍ରସାଦଙ୍କ ‘କାଲିବ୍ରେସନ୍‌’

ଭୁବନେଶ୍ୱର: ପେସା ତାଙ୍କର ଇଂଜିନିୟରିଂ। ନିଶା କିନ୍ତୁ ନିଆରା କଥାକୁ ଫଟୋରେ କଏଦ କରିବା। ପୋଟ୍ରେଟ୍‌ ହେଉ କି ସ୍ଥାପତ୍ୟ। ଫେସନ୍‌ ହେଉ କି ବିଶ୍ୱର ଭିନ୍ନଭିନ୍ନ ନୃତ୍ୟଶୈଳୀ। ପ୍ରତିଟି ଛବି ପଛରେ ଲୁଚି ରହିଥିବା ଇତିହାସ ଏବଂ କଥାକୁହା ଚରିତ୍ରମାନେ ଯେମିତି ହାତଠାରି ଆହ୍ଵାନ କରି କହୁଥିଲେ, ଆସ ଥରେ ମତେ ଦେଖିଯାଅ…। ଏମିତି ଏକ ଅବକାଶ ଭେଟି ଦେଇଛି ରାଷ୍ଟ୍ରୀୟ ଲଳିତ କଳା ଏକାଡେମି ପରିସରରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘କାଲିବ୍ରେସନ୍‌’। ଆଜି ଏଭଳିଏକ ପ୍ରଦର୍ଶନୀର ପ୍ରଚ୍ଛଦପଟ ନାୟକ ଥିଲେ ଇଂ ଦେବପ୍ରସାଦ ମହାପାତ୍ର। ୨୫ରୁ ଊର୍ଧ୍ୱ ଦେଶ ବୁଲିବା ବେଳେ ସେଠୁ ସୁନ୍ଦର ସ୍ମୃତିଗୁଡ଼ିକୁ ନିଜ କ୍ୟାମେରା ଲେନ୍‌ସରେ ନେଇ ଆସିଥିବା ଦେବପ୍ରସାଦ ଆଜି ଏସବୁକୁ ଏକାଠି ପ୍ରଦର୍ଶିତ କରିଥିଲେ। ତାଙ୍କର ୧୦୦ଟି ବଛାବଛା ଫଟୋ ପ୍ରଦର୍ଶନୀରେ ସ୍ଥାନ ପାଇଛି। ବିଭିନ୍ନ ଦେଶର ଝଲକ, ସତେଜ ଫୁଲର ମନଲୋଭା ଦୃଶ୍ୟ ଏବଂ ଅନେକ କୌତୁକିଆ ଫଟୋଚିତ୍ର ପ୍ରଦର୍ଶନୀରେ ଚମକ ଆଣିଛି। ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଭାରତ ବ୍ୟତୀତ ଅନ୍ୟ ଦେଶରେ ସୀତା ଭୂମିକାରେ ଅଭିନୟ କରୁଥିବା ନୃତ୍ୟଶିଳ୍ପୀଙ୍କର ତାଙ୍କ ଦେଶର ପାରମ୍ପରିକ ପରିଧାନ ସହ ଫଟୋ ଚିତ୍ର। କାମ୍ବୋଡ଼ିଆ, ବର୍ମା ଓ ଇଣ୍ଡୋନେସିଆରେ ସୀତା ଭୂମିକାରେ ଥିବା ସେହି ଦେଶର ନର୍ତକୀଙ୍କ ଫଟୋଚିତ୍ର ପ୍ରଦର୍ଶନୀର ଶୋଭାକୁ ଦ୍ୱିଗୁଣିତ କରିଛି।

ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି କହିଲେ, ଶ୍ରୀ ମହାପାତ୍ରଙ୍କର ଏହି ଉଦ୍ୟମ ଉଚ୍ଚାକାଂକ୍ଷାରେ ପୂର୍ଣ୍ଣତା ପାଇଁ ସହାୟକ ହୋଇଛି। ବିଦେଶରେ ରହି ମଧ୍ୟ ନିଜ ମାଟି ପ୍ରତି ଥିବା ଭଲ ପାଇବା ରହିବା ବଡ଼ କଥା। ସେ ଏକଥା ବି କହିଲେ, ପାଶ୍ଚାତ୍ୟର ଭଲ ଜିନିଷ ଗ୍ରହଣ କରିବା ସହ ଭାରତର ମହାନ ସିଦ୍ଧାନ୍ତ ତଥା ଆଧ୍ୟାତ୍ମିକ ଜ୍ଞାନ ଓ ସାଧନାକୁ ମଧ୍ୟ ଆମେ ଆମ ଜୀବନରେ ଆଣିବାକୁ ପଡ଼ିବ। ନଚେତ ଜୀବନରେ ପୂର୍ଣ୍ଣତା ଆସିବ ନାହିଁ ବୋଲି ଗଜପତି ମହାରାଜ କହିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଯାହା ୧୦ଟି ଶବ୍ଦରେ କହି ହୁଏନି ତାହା ଗୋଟିଏ ଫଟୋ ବୟାନ କରିଦିଏ। ତେବେ ଉତ୍କର୍ଷର ଉପାସକ ହେବାକୁ ହେଲେ ଆସନ୍ତାକାଲିକୁ ବି ଅତିକ୍ରମ କରିବାକୁ ପଡ଼ିବ। ତେଣୁ ପ୍ରତ୍ୟେକ ଚିତ୍ରକୁ ପରେ ପୁଣି ଅତିକ୍ରମ କରିବା ପାଇଁ ଅଭ୍ୟାସ କରିବା ଉଚିତ୍‌ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଇଂ ମହାପାତ୍ର ୧୯୫୯ ମସିହାରେ ଆମେରିକାକୁ ଚାଲିଯିବା ପରେ ୧୯୭୮ରେ ଆରମ୍ଭ ହୋଇଥିଲା ତାଙ୍କର ଫଟୋ ଉଠା ନିଶା। ୩୦ ଟଙ୍କାରେ ପ୍ରଥମ କ୍ୟାମେରା କିଣି ଫଟୋ ଉଠାଇବାର ଅନୁଭୂତିଠୁ ନେଇ ହେଜେଲ୍‌ବ୍ଲାଡ୍‌ରେ ଫଟୋ ଉତ୍ତୋଳନ କରିବାର ସ୍ମୃତି ବଖାଣିଥିଲେ। ପ୍ରତ୍ୟେକ ଚିତ୍ର ତାଙ୍କୁ ପରବର୍ତୀ ମୁହୂର୍ତରେ ପୁଣି ଭଲ ଚିତ୍ର ଉତ୍ତୋଳିତ କରିବାକୁ ଆହ୍ଵାନ ଦେଇଥିବାରୁ ସେ ଏହି ପ୍ରଦର୍ଶନୀର ଶୀର୍ଷକ ‘କାଲିବ୍ରେସନ୍‌’ ରଖିଥିବା କହିଛନ୍ତି। ପ୍ରଦର୍ଶନୀ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫଟୋଚିତ୍ର ପ୍ରେମୀ ଏହି ପ୍ରଦର୍ଶନୀକୁ ବୁଲି ଦେଖିପାରିବେ।

ସମ୍ବନ୍ଧିତ ଖବର