ବାଲିଅନ୍ତା : ଲକ୍ଡାଉନ୍ କାରଣରୁ ରୋଜଗାର ବନ୍ଦ ହୋଇଯିବା ଓ ଋଣ ବୋଝ ଅସହ୍ୟ ହେବା, ଜଣେ ଜଳଖିଆ ଦୋକାନୀଙ୍କ ପରିବାର ପାଇଁ କାଳ ପାଲଟିଛି। ଦୋକାନୀଜଣକ ଶୁକ୍ରବାର ଭୋର୍ ସମୟରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ବାଳକାଟି ଫାଣ୍ଡି ଅଧୀନ ଅଠରଘରିଆ ସାହିର ଗଙ୍ଗାଧର ସାହୁଙ୍କ ବଡ଼ପୁଅ ସହଦେବ ସାହୁ (୩୫)। ଘଟଣାଟି ଆଜି ସ୍ଥାନୀୟ ବାଳକାଟି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ସହଦେବ ଥିଲେ ଘରର ଏକମାତ୍ର ରୋଗାରକ୍ଷମ ବ୍ୟକ୍ତି। ସ୍ଥାନୀୟ ଭାର୍ଗବୀ ବ୍ରିଜ୍ ନିକଟରେ ତାଙ୍କର ଏକ ଜଳଖିଆ ଦୋକାନ ରହିଛି। ଉକ୍ତ ଦୋକାନଟି ଥିଲା ପରିବାରର ଭାତହାଣ୍ଡି। ସେଥିରୁ ଯାହା ରୋଜଗାର ହେଉଥିଲା, ସେଥିରେ ୬ ପ୍ରାଣୀ କୁଟୁମ୍ବ ଦୁଃଖକଷ୍ଟରେ ଚଳି ଯାଉଥିଲେ। ଗତବର୍ଷ କରୋନା ପାଇଁ ଲକଡାଉନ୍ ବେଳେ ଦୋକାନ ବନ୍ଦ ରହିବା ଯୋଗୁଁ ରୋଜଗାର ବନ୍ଦ ହୋଇଯାଇଥିଲା। ତେଣୁ କିଛି ଦିନ ସହଦେବ ଏକ ତେଜରାତି ଦୋକାନରେ କାମ କଲେ। ଲକ୍ଡାଉନ୍ କୋହଳ ହେଲା ପରେ ସେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ୫୦ହଜାର ଟଙ୍କା ଓ କିଛି ହାତଉଧାର କରି ପୁଣି ବ୍ୟବସାୟ ଆରମ୍ଭ କରିଥିଲେ। ଦୋକାନରେ ବ୍ୟବସାୟ ଚାଲି ଆସିବା ବେଳକୁ ପୁଣି କରୋନାର ଦ୍ବିତୀୟ ଲହର କାଳ ହେଲା। ପୁଣି ଲକ୍ଡାଉନ ହେବା ଯୋଗୁଁ ଦୋକାନ ବନ୍ଦ ହୋଇଗଲା। ଫଳରେ ଋଣ ବୋଝ ଓ ରୋଜଗାର ବନ୍ଦ ତାଙ୍କୁ ଆର୍ଥିକ ଅନାଟନ ଭିତରକୁ ଠେଲି ଦେଲା। ଏଥିପାଇଁ ଗତ କିଛି ଦିନ ହେଲା ସେ ଘୋର୍ ମାନସିକ ବିଷାଦ ଭିତରେ ଥିଲେ। ଆଜି ଭୋର୍ ସମୟରେ ନଈକୁ ଗାଧୋଇ ଯିବା କହି ବାଡ଼ି ପଟ ଘରେ ବେକରେ ଗାମୁଛା ବାନ୍ଧି ଏକ ଲୁହା ଆଙ୍ଗଲ୍ରେ ଝୁଲି ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/suicide.jpg)