ମୋଦି ବାପପୁଅଙ୍କ ଗୁମର ଖୋଲୁଛି

ଅଭିଯୋଗ ପରେ ଫୋନ୍‌ରେ ମିଳୁଛି ଧମକଚମକ

ଏଜେଣ୍ଟ ରଖି ଶତାଧିକ ପିଲାଙ୍କୁ ଠକିଛନ୍ତି
ଟାର୍ଗେଟରେ ଥିଲେ ଆଦିବାସୀ ଯୁବକ ଯୁବତୀ

ଭୁବନେଶ୍ବର : ନିଯୁକ୍ତିର ଜାଲ ବିଛାଇ ବେକାର ଯୁବକ/ଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଠକ ମୋଦି ବାପ-ପୁଅଙ୍କ ଗୁମର ଖୋଲିବାରେ ଲାଗିଛି। ଗତକାଲି ଠକେଇର ଶିକାର ଯୁବକମାନେ କ୍ୟାପିଟାଲ ଥାନାର ଅଭିଯୋଗ କରିବାର କେଇ ଘଣ୍ଟା ପରେ ବୁଲୁ ମୋଦି ଓରଫ୍ ଅମୂଲ୍ୟ ଏବଂ ତାଙ୍କ ପୁଅ ହ୍ରିତିକ୍‌ ଅଭିଯୋଗକାରୀଙ୍କୁ ଫୋନ୍‌ରେ ଧମକ ଦେବା ଆରମ୍ଭ କରି ଦେଇଥି‌ଲେ। କାହିଁକି ଥାନାରେ ଅଭିଯୋଗ କଲ ବୋଲି କହି ଧମକଚମକ ଦେଇଥି‌ଲେ। ଫଳରେ ଏହାକୁ ନେଇ ଅଭିଯୋଗକାରୀମାନେ ଭୟଭୀତ ରହିଛନ୍ତି। ବୁଲୁ ମୋଦି ଓ ହ୍ରିତିକ୍ ପୂରା ମୟୂରଭଞ୍ଜ ଜିଲ୍ଲାରେ ନିଯୁକ୍ତି ଜାଲ ବିଛାଇଥିଲେ। ବାରିପଦା, ଯଶିପୁର, କରଞ୍ଜିଆ, ବମ୍ବେ ଛକ, ଶ୍ୟାମାଖୁଣ୍ଟା, ବଡ଼ସାହି ସବୁ ଅଞ୍ଚଳରେ ଏଜେଣ୍ଟ ନିଯୁକ୍ତ କରି କୋଟି କୋଟି ଟଙ୍କା ଠକି ନେଇଛନ୍ତି।

ଜଣେ ଅଭିଯୋଗକାରୀଙ୍କ ସୂଚନା ଅନୁସାରେ, ବୁଲୁ ଓ ହ୍ରିତିକ ପ୍ରଥମେ ଗୋଟିଏ ଅଞ୍ଚଳରେ ଜଣେ କିମ୍ବା ଦୁଇଜଣ ବେକାର ଯୁବକଙ୍କୁ ଟାର୍ଗେଟ୍‌ କରନ୍ତି। ସେମାନଙ୍କୁ ସରକାରୀ ଚାକିରି ଲୋଭ ଦେଖାନ୍ତି। କିଛି ଟଙ୍କା ନେଇ ରେଲୱେ କିମ୍ବା ଲୋକସେବା ଭବନର ଏଏସ୍ଓ ନିଯୁକ୍ତିପତ୍ର ଦିଅନ୍ତି। ଯେତିକି ଟଙ୍କା ଲାଗିବ, ସେଥିରେ ରିହାତି ଦେଖାଇ ଆହୁରି ଯୁବକ/ଯୁବତୀଙ୍କୁ ଯୋଗାଡ଼ କରିବାକୁ କୁହନ୍ତି। ଏହିଭଳି ଭାବେ ବାପ ପୁଅ ସେମାନଙ୍କ ନେଟ୍‌ଵାର୍କ ବଢ଼ାଇ ପିଲାଙ୍କୁ ନିଜ ଜାଲରେ ଫସାନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଶତାଧିକ ଯୁବକ/ଯୁବତୀଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଜଣାପଡ଼ିଛି। ବଡ଼ କଥା ହେଲା, ବୁଲୁ ମୋଦିର ଘର ମୟୂରଭଞ୍ଜରେ। କିନ୍ତୁ ସେ ପିଲାଙ୍କୁ ନିଜ ଘର ଖୋର୍ଦ୍ଧାରେ ବୋଲି କୁହେ। ସଚିବାଳୟ ଓ ରେଲୱେରେ ବେଶ୍ ପତିଆରା ଥିବା କହି ପିଲାଙ୍କୁ ଠକେଇ କରେ। ରାଜଧାନୀର ବଡ଼ବଡ଼ ହୋଟେଲରେ ସାକ୍ଷାତକାର ନେଉଥିବା ବେଳେ ପୂର୍ବତଟ ରେଳବାଇ କାର୍ଯ୍ୟାଳୟକୁ ନେଇ ମଧ୍ୟ ପିଲାଙ୍କୁ ବୁଲାଉଥିବା ଅଭିଯୋଗ ହୋଇଛି। ଧୀରେଧୀରେ ଗୁମର ଖୋଲୁଥିବା ବେଳେ ବାପ-ପୁଅ ଫେରାର୍‌ ଥିବା ପୁଲିସ୍‌ କହିଛି। ସୂଚନାଯୋଗ୍ୟ, ଚାକିରି ନାଁରେ ବାପ ପୁଅଙ୍କ ଠକେଇ ନେଇ ଗତକାଲି ମୟୂରଭଞ୍ଜ ଅଞ୍ଚଳର ୧୦ରୁ ଅଧିକ ଯୁବକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିବା ଦମ୍ପତିଙ୍କ ପୁଅଙ୍କୁ ମିଳିଥିବା ଟଙ୍କା ବି ଠକିନେଲେ
ଠକେଇର ଶିକାର ହୋଇଥିବା ଯୁବକଙ୍କ ମଧ୍ୟରେ କିଏ ସରକାରୀ ଚାକିରି ଖଣ୍ଡେ ପାଇଁ କିଏ ଜମିବାଡ଼ି ବିକ୍ରି କରିଛି ତ ଆଉ କିଏ ଧାର ଉଧାର ଆଣି ଟଙ୍କା ଦେଇଛି। ଆହୁରି ଏକ ସାଂଘାତିକ ତଥ୍ୟ ମଧ୍ୟ ପଦାକୁ ଆସିଛି। ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିବା ଜଣେ ଦମ୍ପତିଙ୍କ ପୁଅ ହରି ସିଂଙ୍କୁ କ୍ଷତିପୂରଣ ବାବଦରେ ସରକାରଙ୍କ ପକ୍ଷରୁ ଅର୍ଥ ମିଳିଥିଲା। ଗଣମାଧ୍ୟମରୁ ଟଙ୍କା ମିଳିଥିବା ଖବର ଜାଣିବା ପରେ ବୁଲୁ ମୋଦି ତାଙ୍କୁ ବି ଜାଲରେ ଫସାଇଥିଲା। ଲୋକସେବା ଭବନରେ ଚାକିରି ଲୋଭ ଦେଖାଇ ପ୍ରାୟ ତିନିବର୍ଷ ତଳେ ତିନି ଲକ୍ଷ ଟଙ୍କା ନେଇ ଯାଇଥିଲା। ସେବେଠାରୁ ହରି ଏକ ହୋଟେଲରେ କାମ କରୁଛନ୍ତି। ଏ ନେଇ ଥାନା‌ରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର