ମନ୍ଦିର ଖୋଲିବା ପାଇଁ ସେବାୟତଙ୍କ ପ୍ରତିବାଦ ପରେ ପ୍ରତିକ୍ରିୟା ରଖିଲେ ବିଏମସି କମିସନର : ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ

ଭୁବନେଶ୍ବର: ରାଜଧାନୀର ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ । ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି । ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି । ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି , ତେଣୁ ଏବେ ରାଜଧାନୀରେ ମନ୍ଦିର ଖୋଲିବା ଆଶା କ୍ଷୀଣ ବୋଲି କହିଛନ୍ତି ବିଏମସି କମିଶନର । ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ସେପଟେ ଆଜି ସକାଳେ ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଂଟ ବାଡ଼େଇ ଶଙ୍ଖ ଫୁଙ୍କି ଆନ୍ଦୋଳନ କରାଯାଇଛି । ସାମାଜିକ ଦ୍ୱରତା ଓ ମାସ୍କ ପିନ୍ଧି ଆନ୍ଦୋଳନରେ ଯୋଗ ଦେଇଛନ୍ତି ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତ ଓ ପୂଜକ । ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବି ରଖିଛନ୍ତି । ପ୍ରଶାସନର ଅବହେଳାକୁ ନେଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ୫ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି । ଚଳିତ ଅନଲକ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ସ‌ଂକେତ ଦେଇଥିଲେ ହେଁ  ଚୂଡ଼ାନ୍ତ ନିଷ୍ପତ୍ତି ଦାୟିତ୍ବ ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ମନ୍ଦିର ନ ଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ।

ସମ୍ବନ୍ଧିତ ଖବର