ଶୀତଳ ଭଣ୍ଡାରରେ ସହାୟତା ନିଷ୍ପତ୍ତି, ହାତବାନ୍ଧି ବସିଛନ୍ତି ସେବାୟତ

ପୁରୁଣା ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାୟତମାନଙ୍କୁ ଆର୍ଥିକ ସହାୟତା ମିଳିବା ପାଇଁ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କୁ ଏହି ସୁବିଧା ମିଳିବା କଥା ଅସ୍ପଷ୍ଟ ରହିଛି। ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ତାଲା ବନ୍ଦ ଲାଗୁ ହେବା ପରଠାରୁ ଲିଙ୍ଗରାଜଙ୍କ ସେବାୟତମାନେ ରୋଜଗାର ହରାଇଛନ୍ତି ଓ ବହୁ ସେବାୟତ ଘୋର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ‌ତେଣୁ ସେମାନଙ୍କୁ ମଧ୍ୟ ସରକାରୀ ସହାୟତାର ଆବଶ୍ୟକତା ରହିଛି ବୋଲି ଦାବି କରାଯାଉଛି। କିନ୍ତୁ ସରକାର ଏହା ଉପରେ ନିଷ୍ପତ୍ତି ନେଉ ନ ଥିବାରୁ ସେବାୟତମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି।

କରୋନା କଟକଣା ଯୋଗୁଁ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଏମିତିକି ପ୍ରଭୁଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ମଧ୍ୟ ବନ୍ଦ କରାଯାଇଥିଲା। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ପୂରା ବିଗିଡ଼ି ଯାଇଛି। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରାୟ ୨୧୩୦ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ। କିନ୍ତୁ ସେଭଳି ସହାୟତା ଲିଙ୍ଗରାଜଙ୍କ ସେବାୟତମାନଙ୍କ ପାଇଁ ଜରୁରୀ ହୋଇଥିଲେ ହେଁ ସରକାର ନିଦାବିଷ୍ଣୁ ସାଜିଛନ୍ତି। ତେବେ ଏହି ସହାୟତା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଚିଠି କରାଯାଇଛି। ମାତ୍ର ଚିଠି ଶୀତଳଭଣ୍ଡାରରେ ପଡ଼ି ରହିଛି। ଏହା ମଧ୍ୟରେ ଗୋଟିଏ ମାସ ବିତି ଯାଇଥିଲେ ହେଁ ଆଇନ ବିଭାଗରୁ କିଛି ଉତ୍ତର ଆସିନାହିଁ। କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁ କିମ୍ବା ପର୍ଯ୍ୟଟକ ଆସୁନାହାନ୍ତି। ତେଣୁ ସେବାୟମତମାନଙ୍କ ରୋଜଗାର ବନ୍ଦ ହୋଇ ଯାଇଛି। ନିଜ ପୂଜା ପାଳି ଥିବା ପୂଜକଙ୍କ ବ୍ୟତୀତ ଅନ୍ୟ ସେବାୟତମାନେ ମନ୍ଦିର ଆସୁନାହାନ୍ତି। ରୋଜଗାର ନ ଥିବାରୁ ସେମାନଙ୍କ ପରିବାର ଏବେ ଧାରକରଜ କରି ଚଳୁଛି। ପାଖାପାଖି ୨ ହଜାରରୁ ଅଧିକ ସେବାୟତ ପରିବାର ବଡ଼ କଷ୍ଟରେ ଚଳୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଧୂଳିଆ ସେବାୟତମାନେ ଭୋର୍‌ରୁ ରାତି ପହୁଡ଼ ପର୍ଯ୍ୟନ୍ତ ମନ୍ଦିର ନିକଟରେ ବସି ରହୁଥିଲେ। ବାହାର ରାଜ୍ୟ ପର୍ଯ୍ୟଟକଙ୍କୁ ମନ୍ଦିର ଦର୍ଶନ କରାଇ ସେଥିରୁ କିଛି ରୋଜଗାର କରୁଥିଲେ। ଏବେ ସେମାନଙ୍କ ହାତ ବନ୍ଦ। ବିନା ରୋଜଗାରରେ ବଡ଼ କଷ୍ଟରେ ସେମାନେ ପରିବାର ସହ ସମୟ କାଟୁଛନ୍ତି। ଅନୁରୂପଭାବେ ସମସ୍ତ ନିଯୋଗର ସେବାୟତମାନେ ବେରୋଜଗାର ହୋଇ ପଡ଼ିଛନ୍ତି। ସେହିଭଳିଏକାମ୍ର କ୍ଷେତ୍ରରେ ଥିବା ବ୍ରହ୍ମେଶ୍ବର ମନ୍ଦିର ଶ୍ରୀଲିଙ୍ଗରାଜ ମନ୍ଦିର ସହ ଜଡ଼ିତ ଥିବା ବିଭିନ୍ନ ମନ୍ଦିର ଯଥା, ବାସୁଦେବ ମନ୍ଦିର, ଅଷ୍ଟଚଣ୍ଡୀ ମନ୍ଦିରର ସେବାୟତଙ୍କୁ ସହାୟତା ଦେବାକୁ ଏକାମ୍ର ମୁରବି ମଞ୍ଚ ଦାବି କରିଛି। ଏନେଇ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶଙ୍କ କହିବା କଥା ସେବାୟତଙ୍କୁ ସହାୟତା ପାଇଁ ବୈଠକ କରାଯାଇଛି ଓ ରାଜ୍ୟ ସରାକରଙ୍କ ଆଇନ ବିଭାଗକୁ ଏକ ଚିଠି ଯାଇଛି।

ସମ୍ବନ୍ଧିତ ଖବର