ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଆ ସିନେମାକୁ ମିଳିଲାନି

ଏଥର ଯାଇଥିଲା ୪ ଚଳଚ୍ଚିତ୍ର, ୧୧ ବର୍ଷରେ ୩ଟି ଚଳଚ୍ଚିତ୍ରକୁ ମିଳିଛି ଜାତୀୟ ପୁରସ୍କାର

ଭୁବନେଶ୍ବର, ଓଡ଼ିଆ ଚଳଚ୍ଚିତ୍ର ସିନେମା ହଲ୍‌ରେ ଚାଲୁ ଅବା ନଚାଲୁ। ଓଡ଼ିଆ ଚଳଚ୍ଚିତ୍ର ଦର୍ଶକଙ୍କୁ ଆକର୍ଷିତ କରୁ କି ନକରୁ। ମାତ୍ର ଗତ ୪ ବର୍ଷରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତିକୁ ଅନ୍ତତଃ କାଏମ ରଖିଥିଲା। ଦୁର୍ଭାଗ୍ୟ ଯେ ଏଥର ଏହି ଧାରାରେ ବ୍ରେକ୍‌ ଲାଗିଛି। ପୁରସ୍କାର ପାଇବା ଯେତିକି ବଡ଼କଥା ନୁହେଁ, ଓଡ଼ିଆ ସିନେମାର ଏ ସଙ୍କଟ କାଳରେ ଜାତୀୟ ସ୍ତରରେ ନିଜର ଅସ୍ତିତ୍ବକୁ ବଜାୟ ନ ରଖିପାରିବା ସିନେ ବ୍ୟକ୍ତିତ୍ବଙ୍କ ନିକଟରେ ଏକ ଆହ୍ବାନ ଛିଡ଼ା କରିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭେଟି ଦେଇଥିବା ମନମୋହନ ମହାପାତ୍ର ଦୀର୍ଘ ୧୭ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଫେରି ଭେଟି ଦେଇଥିବା ‘ଭିଜା ମାଟିର ସ୍ବର୍ଗ’ ମଧ୍ୟ ଏଥର ଜାତୀୟ ପୁରସ୍କାର ପାଇଁ ପଠା ଯାଇଥିଲା। ଗୁଣାତ୍ମକ ସିନେମା କରିବାରେ ମାହିର୍‌ ମନମୋହନ ମହାପାତ୍ରଙ୍କ ଭଳି ପ୍ରତିଭାଙ୍କ ଚଳଚ୍ଚିତ୍ର ହାତେଇ ନପାରିବା ଅନେକଙ୍କୁ ନିରାଶ କରିଛି। ସମ୍ଭବତଃ ‘କୋକଲି’ ଚଳଚ୍ଚିତ୍ର ବି ଏହି ପୁରସ୍କାର ପାଇଁ ପଠାଯାଇଥିଲା। ଏନେଇ ବର୍ଷୀୟାନ ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ର କହିଛନ୍ତି, ଯେଉଁଠି ଅନ୍ତର୍ଜାତୀୟ ସ୍ତରର ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତଙ୍କ ଭଳି ସିନେମା ଜାତୀୟ ପୁରସ୍କାରରୁ ବାଦ୍‌ ପଡ଼ିଛି ସେଠି ମୋ’ର କିଛି ପ୍ରଶ୍ନ ଉଠାଇବାର ନାହିଁ। ହୁଏତ ଏହା ସଂଯୋଗ ହୋଇପାରେ ବୋଲି କହିଛନ୍ତି। ଏନେଇ ୨୦୦୩ ବର୍ଷ ପାଇଁ ‘ଅ ଆକାରେ ଆ’ ଚଳଚ୍ଚିତ୍ର ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ସୁବାସ ଦାସ କୁହନ୍ତି, ଆମ ସିନେମା ଯଦି ଦର୍ଶକଙ୍କ ପାଖରେ ପହଞ୍ଚି ପାରୁନାହିଁ ତେବେ ପୁରସ୍କାର ପାଇବା ନପାଇବା ପ୍ରସଙ୍ଗ ଉଠାଇବା‌ର କୌଣସି ମାନେ ନାହିଁ। ଗୁଣାତ୍ମକ ସିନେମା ନିର୍ମାଣ କରୁଥିବା ମନମୋହନ ମହାପାତ୍ର ଯଦି ଏ ପୁରସ୍କାର ପାଇ ପାରୁନାହାନ୍ତି ତେବେ ଓଡ଼ିଆ ଚଳଚ୍ଚିତ୍ରର ମାନକୁ ନେଇ ପ୍ରଶ୍ନ ଉଠାଇବା ବି ଠିକ୍‌ ହେବ ନାହିଁ। ଆସାମ, ମଣିପୁର ଭଳି ରାଜ୍ୟରେ ବର୍ଷକୁ ୫ଟା ସମାନ୍ତରାଳ ସିନେମା ନିର୍ମିତ ହେଉଥିବା ବେଳେ ଓଡ଼ିଆରେ ଯଦି ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ହେବ ତେବେ ଏଇ ଭଳି ସମସ୍ୟା ସୃଷ୍ଟି ହେବ। ଆମର ଏଠି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଅନେକ ଯୋଜନା ଘୋଷଣାରେ ଅଟକିଥିବା ବେଳେ ଅନ୍ୟ ରାଜ୍ୟରେ ଚଳଚ୍ଚିତ୍ର ପାଇଁ ସରକାରୀ, ପ୍ରଯୋଜନା ସଂସ୍ଥା ପକ୍ଷରୁ ଯେଉଁ ପ୍ରୋତ୍ସାହନ ମିଳୁଛି ତାହା ବି ଏକ କାରଣ ହେଇପାରେ ବୋଲି ସେ କହିଛନ୍ତି।

ଏନେଇ ଚଳିତବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଚାରକ ଭାବେ ସାମିଲ୍‌ ଥିବା ବିଶିଷ୍ଟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ଏଥର ୪ଟି ଓଡ଼ିଆ ଚଳଚ୍ଚିତ୍ର ବିଚାରକୁ ଆସିଥିଲା। ମାତ୍ର ତାହା ଆଞ୍ଚଳିକ ପ୍ୟାନେଲ୍‌ରୁ ହିଁ କାଟ୍‌ ଖାଇଥିଲା। ମୁଁ ସେଣ୍ଟ୍ରାଲ୍‌ ପ୍ୟାନେଲରେ ଥିବାରୁ ମୋ ପର୍ଯ୍ୟନ୍ତ ଓଡ଼ିଆ ସିନେମା ଆସିପାରିଲା ନାହିଁ। ଏ ସମ୍ବନ୍ଧରେ ମୁଁ ‌ ଆଞ୍ଚଳିକ ପ୍ୟାନେଲ୍‌ର ଜୁରିମାନଙ୍କୁ ପଚାରିବାରୁ ସେମାନେ ଭଲ ଚଳଚ୍ଚିତ୍ର ନଥିବା ମୋତେ କହିଥିଲେ। ଜଣାଶୁଣା ଚଳଚ୍ଚିତ୍ର ସାମ୍ବାଦିକ ସୂର୍ଯ୍ୟ ଦେଓ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ନପାଇବା ଆମକୁ ବାଧିବା ଠିକ୍‌ ଅଛି। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ମାନ ଓ ବିଷୟବସ୍ତୁକୁ ନେଇ ଆତ୍ମ ସମୀକ୍ଷା କରିବାର ସମୟ ଉପନୀତ ବୋଲି ବିଚାର କରିବାକୁ ହେବ। ସୂଚନାଯୋଗ୍ୟ ୨୦୦୫ରେ ଇତି ସାମନ୍ତଙ୍କ ପ୍ରଯୋଜିତ ଓ ହିମାଂଶୁ ଖଟୁଆଙ୍କ ନିର୍ଦେଶିତ ସିନେମା ‘କଥାନ୍ତର’ ଏବଂ ୨୦୦୬ରେ ଗଦାଧର ପୁଟିଙ୍କ ନିର୍ଦେଶିତ ‘ପୂଜା ପାଇଁ ଫୁଲଟିଏ’ ଜାତୀୟ ପୁରସ୍କାର ଜିତିବା ପରେ ଆଉ ଗୋଟିଏ ଜାତୀୟ ପୁରସ୍କାର ପାଇଁ ଓଡ଼ିଆ ଚଳଚ୍ଚିତ୍ର ରାଇଜକୁ ୮ବର୍ଷ ‌ଲାଗି ଯାଇଥିଲା। ଏହାପରେ ସବ୍ୟସାଚୀ ମହାପାତ୍ରଙ୍କ ସିନେମା ‘ଆଦିମ ବିଚାର’ ଓ ‘ପାହାଡ଼ର ଲୁହ’ ୨୦୧୪ ଓ ୨୦୧୫ ଦୁଇ ବର୍ଷ ଲଗାତାର ଜାତୀୟ ପୁରସ୍କାର ହାତେଇଥିଲା। ଏହାପରେ ୨୦୧୭ ମସିହା ପାଇଁ ଅଜୟ ରାଉତରାୟଙ୍କ ପ୍ରଯୋଜିତ ଓ ସ୍ବର୍ଗତ ସମ୍ବିତ ମହାନ୍ତିଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ହେଲୋ ଆର୍‌ସି’ ଜାତୀୟ ପୁରସ୍କାର ହାତେଇ ପାରିଥିଲା। ମାତ୍ର ଏଥର ପୁଣି ଏହି ଧାରାରେ ରୋକ୍‌ ଲାଗିଛି।

ସମ୍ବନ୍ଧିତ ଖବର