କମୁଛି ଜଳସ୍ତର, ଶୁଖିଲା କେନାଲ

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ଗ୍ରାମାଞ୍ଚଳର ଚାଷୀମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସମ୍ପୃକ୍ତ ଅଞ୍ଚଳରେ କୂଅ ପୋଖରୀ ପାଣି କମିଯିବା ସହ ଜଳସ୍ତର ହ୍ରାସ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଗତ ମାସରେ ଦୟାୱେଷ୍ଟ କେନାଲ ଓ ବୁଡ଼ୁ ନଈରେ ପାଣି ଛଡ଼ାଯାଇଥିଲା। ମାତ୍ର ମାସକ ପରେ ପୁଣି ଯେଉଁ ଅବସ୍ଥାକୁ ସେଇ ଅବସ୍ଥା। କେନାଲ ପାଣି ଫଳରେ ବାରଙ୍ଗ, ଦାଢ଼ା, କଳାଝରୀ, କଳାରାହାଙ୍ଗ, ପଟିଆ, ଭୋଟପଡ଼ା, ରଙ୍ଗମାଟିଆ, ମଞ୍ଚେଶ୍ବର, ଚକେଇସିଆଣି, ପଳାସୁଣି, ରସୁଲଗଡ଼ ଅଞ୍ଚଳର ନଳକୂପ ଓ କୂଅ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଜଳାଶୟରେ ପାଣିଝର ପଡ଼ିଥାଏ। ବର୍ତମାନ ହଠାତ୍ କେନାଲ୍‌ରେ ପାଣି ସୁଖିଯିବାରୁ ଏସବୁ ଅଞ୍ଚଳର ଜଳାଶୟରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ଗ୍ରୀ‌ଷ୍ମ ପ୍ରକୋପ ବଢ଼ୁଥିବା ବେଳେ ଜଳସେଚନ ବିଭାଗ ପକ୍ଷ‌ରୁ ଦୟାୱେଷ୍ଟ କେନାଲରେ ପାଣି ବନ୍ଦ କରିଦେବା ଫଳରେ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ି ଯାଇଛି।

ଏନେଇ ଭୋଟପଡ଼ା ବାସିନ୍ଦା ଦିଲ୍ଲୀପ ମହାନାୟକଙ୍କ ସୂଚନା ଅନୁଯାୟୀ, କେନାଲ୍ ପାଣି ଉପରେ ବର୍ଷସାରା ଲୋକମାନେ ନିର୍ଭର କରିଥାନ୍ତି। ମାତ୍ର କିଛି ବର୍ଷ ହେବ ବର୍ଷର ମାତ୍ର ଗୋଟିଏ ମାସ ପାଣି ଛଡ଼ା ଯାଉଥିବା ବେଳେ ବର୍ତମାନ ଉକ୍ତ ଅଞ୍ଚଳରେ ବ୍ୟବହାର ଉପଯୋଗୀ ଜଳ ସମସ୍ୟା ବଢ଼ିବାରେ ଲାଗିଛି। ସେହିଭଳି ଚକେଇସିଆଣିର ସଞ୍ଚୟ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଲୋକମାନଙ୍କ ଶୁଦ୍ଧିକ୍ରିୟା ପାଇଁ ଉକ୍ତ ଅଞ୍ଚଳରେ ଆଉ ଜଳାଶୟ ନାହିଁ। ଦୟାୱେ‌ଷ୍ଟ କେନାଲ ଲୋକମାନଙ୍କ ଶୁଦ୍ଧି କାର୍ଯ୍ୟରେ ସହାୟକ ହେଉଥିଲା। ମାତ୍ର ବର୍ତମାନ ପାଣି ନଥିବାରୁ ଲୋକମାନେ କୁଆଖାଇ କିମ୍ବା ବିଏମ୍‌ସି ପାଣି ଟାଙ୍କି ଉପରେ ନିର୍ଭର କରୁଛନ୍ତି। ଭୁବନେଶ୍ବର ଉପକଣ୍ଠର ଏହି ସବୁ ଗ୍ରାମାଞ୍ଚଳରେ ଅନେକ ଲୋକ ପଶୁପାଳନ ଉପରେ ନିର୍ଭର କରୁଥିବାରୁ ପଶୁମାନେ ଗାଧୋଇବା ନେଇ ଦୟାୱେଷ୍ଟ କେନାଲ୍ ଉପରେ ନିର୍ଭର କରିଥାନ୍ତି। କେନାଲରେ ପାଣି ନଥିବାରୁ ଉକ୍ତ ଅଞ୍ଚଳର ‌ପଶୁମାନେ ଗାଧୋଇବା ମଧ୍ୟ ଏକପ୍ରକାର ସମସ୍ୟା ପାଲଟିଛି ବୋଲି ରଙ୍ଗମାଟିଆ ଗ୍ରାମର ସୁଶାନ୍ତ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର