ପୁରୁଣା ଭୁବନେଶ୍ବର: ଶୁକ୍ରବାର ମହାଶିବରାତ୍ରି ପାଇଁ ଆଜିଠୁ ଶ୍ରୀଲିଙ୍ଗରାଜ ମନ୍ଦିର ସଜେଇ ହେବାରେ ଲାଗିଛି। ସଫେଇଠାରୁ ଆରମ୍ଭ କରି ଫୁଲ ସଜ୍ଜା ଓ ରଙ୍ଗିନ ଆଲୋକ ସଜ୍ଜା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସବୁବର୍ଷ ପରି ଏଥର ମଧ୍ୟ ସିଂହଦ୍ବାରକୁ ଫୁଲରେ ସଜାଇ ଦିଆଯିବ। ସେହିଭଳି ମନ୍ଦିର ନିକଟସ୍ଥ ସମସ୍ତ ପୋଖରୀ ଓ ଗଛରେ ରଙ୍ଗିନ ଆଲୋକମାଳା ଶୋଭାପାଇବ। ମହାଶିବରାତ୍ରୀ ପାଇଁ ମନ୍ଦିର ଚାରିପଟକୁ ଭଲ ଭାବେ ସଫେଇ କରୁଛି ବିଏମ୍‌ସି। ବିଏମ୍‌ସିର ଠିକାଦାର ସଂସ୍ଥା ପିଏମ୍‌ଆର୍‌ର କର୍ମଚାରୀମାନେ ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସର ସଫା କରୁଛନ୍ତି। ସେହିଭଳି ଠିକାଦାର କାମ କରି ଗଦାଇଥିବା ବାଲି, ମାଟିକୁ ମଧ୍ୟ ସଫା କରାଯାଉଛି। ମନ୍ଦିର ସମ୍ମୁଖରେ ଭକ୍ତଙ୍କ ପାଇଁ ଛାମୁଣ୍ଡିଆ କାର୍ଯ୍ୟ ଶେଷ ହୋଇଛି। ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଓ ବାହରେ ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି। ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍‌ ଲଗାଯାଇଛି। ସେହିପରି ପୁଷ୍କରିଣୀ ଚାରିପଟକୁ ଆଲୋକମାଳାରେ ସଜେଇ ଦିଆଯିବ। ମନ୍ଦିର ନିକଟ ଗଛଗୁଡ଼ିକରେ ମଧ୍ୟ ଲାଇଟ୍‌ ଲାଗିବ। ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଉପରେ ରଙ୍ଗିନ ଆଲୋକମାଳା ଝଲମଲ କରିବ। ଏବେ ମନ୍ଦିରର ରଙ୍ଗ କାମ ସରିଛି। ସିଂହଦ୍ବାରକୁ ଫୁଲରେ ସଜାଇବାକୁ ରାଜ୍ୟ ବାହାରୁ ପ୍ରଚୁର ଫୁଲ ମଗାଯାଇଛି। ଭୁବନେଶ୍ବର ଫ୍ଲୋରିଷ୍ଟ୍‌ ଆସୋସିଏସନ୍ ପକ୍ଷରୁ ଏହା କରାଯିବ ବୋଲି ମିତେନ୍ଦ୍ର ସମର୍ଥା କହିଛନ୍ତି। ତେବେ ଚଳିତ ବର୍ଷ ବିଏମ୍‌ସି ପକ୍ଷରୁ ଏଥିପାଇଁ ୪୦ହଜାର ଟଙ୍କା ମଜୁରି ଓ ଗାଡ଼ି ଭଡ଼ା ଦିଆଯାଇଛି।

Advertisment

ମହାଶିବରାତ୍ରିରେ ଭଜନ ସମାରୋହ, ମୁଖ୍ୟ ଆକର୍ଷଣ ଅନୁରାଧା ପୌଡ଼ୱାଲ୍‌

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୫ତମ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ। ମୁମ୍ବାଇର ଖ୍ୟାତନାମା କଳାକାର ହେମନ୍ତ ବ୍ରିଜୱାସୀ, ହୋସିୟାର ସିଂ, ଚେତନ ବ୍ରିଜୱାସୀ, ପୁନମ୍ ଭାଟିଆ ସଙ୍ଗୀତ ପରିବେଷଣ କରିବେ। ଏଥିସହ ଅନୁରାଧା ପୌଡୱାଲ ଭଜନ ସମାରୋହର ମୁଖ୍ୟ ଆକର୍ଷଣ ପାଲଟିବେ। ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଭକ୍ତିସଙ୍ଗୀତରେ ଦର୍ଶକଙ୍କୁ ଭିଜାଇବେ। ଶ୍ରୀଲିଙ୍ଗରାଜ ଲାଇବ୍ରେରି ହଲ୍‌ଠାରେ ଅନୁଷ୍ଠିତ ସମ୍ମିଳନୀରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ମହାଶିବରାତ୍ରି ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପାରାୟଣ, ପ୍ରବଚନ ପରେ ସଂନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଭଜନ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ସଙ୍ଗୀତ ଜଗତର ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ରତିକାନ୍ତ ମହାସୁଆର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଶ୍ରୀବତ୍ସ ପତି, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ତପନ ମହାସୁଆର, ଲିଙ୍ଗରାଜ ସାହୁ, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।