ଭୁବନେଶ୍ବର: ସୀମାନ୍ତର କେଉଁ ଦୁର୍ଗମ ଅଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ବରକୁ ଲାଗିଥିବା ଅନେକ ଗାଁର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ବାସ କରି ହେବନି। ଦୟାନଦୀ ଆଖପାଖର ଅଞ୍ଚଳ ପୁରୀ ରାସ୍ତାରେ ଥିବାରୁ ଉପକଣ୍ଠର ଅନ୍ୟ ଇଲାକାଗୁଡ଼ିକ ଅପେକ୍ଷା ସାଧାରଣ ଭାବେ ଅଧିକ ବିକଶିତ ହେବା ଆଶା କରା ଯାଉଥିଲେ ହେଁ ଏହାର ସ୍ଥିତି ମଧ୍ୟ ଆଦୌ ଉତ୍ସାହଜନକ ନୁହେଁ। ରାଜଧାନୀକୁ ଲାଗି ଦୟାନଦୀ କୂଳରେ ଗୋଟିଏ ପଟେ ରହିଛି ଲିଙ୍ଗିପୁର, ଇଟିପୁର ଓ ଟିକରପଡ଼ା ଏବଂ ଅନ୍ୟପଟେ ରହିଛି ଧଉଳି ପଞ୍ଚାୟତ। ଭୁବନେଶ୍ବର-ପୁରୀ ହାଇୱେ ଦୟାସେତୁ ଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଏହି ସବୁ ପଞ୍ଚାୟତର ମୁଖ୍ୟରାସ୍ତା। ଅଣଓସାରିଆ ରାସ୍ତା ହୋଇଥିବାରୁ ପିଢ଼ିପିଢ଼ି ଧରି ଗମନାଗମନର ସମସ୍ୟା ଭୋଗୁଛନ୍ତି ଲୋକେ। ଏହି ଅଞ୍ଚଳ ଭୁବନେଶ୍ବର ବ୍ଲକ୍‌ ଅଧୀନରେ ଯାଉଥିଲେ ହେଁ ଏପର୍ଯ୍ୟନ୍ତ ‘ମୋ ବସ୍‌’ କିମ୍ବା ‘ଲକ୍ଷ୍ମୀ ବସ୍‌’ ଏ ଅଞ୍ଚଳକୁ ଗଡ଼ିନାହିଁ।

Advertisment

ଅତି ଖରାପ ରାସ୍ତା ହୋଇଥିବାରୁ ଚଢ଼ାଦରରେ ମଧ୍ୟ ଭଡ଼ାଗାଡ଼ି ବି ଆସିବାକୁ ସହଜ‌ରେ ରାଜି ହୁଅନ୍ତି ନାହିଁ। ସେହି କାରଣରୁ ଭୁବନେଶ୍ବରରେ ବସ୍‌ ବା ଟ୍ରେନ୍‌ରୁ ଓହ୍ଲାଇବାପରେ, ବିଶେଷକରି ରୋଗୀକୁ ଚିକିତ୍ସା ପାଇଁ ରାଜଧାନୀର କୌଣସି ଡାକ୍ତରଖାନାକୁ ନେବା ଆଣିବା କରିବା ସମୟରେ ଏହି ପଞ୍ଚାୟତଗୁଡ଼ିକର ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ନ୍ତି। ଗମନାଗମନ ସମସ୍ୟା ଯୋଗୁଁ ଏହି ଅଞ୍ଚଳରେ ବିକାଶ ବାଟବଣା ହୋଇଛି। ଧଉଳିକୁ ଟିକରପଡ଼ା ସହ ସଂଯୋଗ କରିବା ପାଇଁ ୨୦୧୬ ମସିହାରେ ଦୟାସେତୁର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ୮ ବର୍ଷ ପରେ ବି ଏହି ସେତୁ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ସେତୁ ହୋଇଥିଲେ ମାତ୍ର ୫୦୦ ମିଟର ବାଟ ଲାଗିଥା’ନ୍ତା ଧଉଳି, ହେଲେ ଏବେ ପ୍ରାୟ ୧୩ କିଲୋମିଟର ବୁଲି ବୁଲି ଯାଉଛନ୍ତି ଟିକରପଡ଼ା ଓ ଓଇଟିପୁର ପଞ୍ଚାୟତର ଲୋକ। ଧଉଳି ପଟର ଲୋକ ରାଜସ୍ବ କାର୍ଯ୍ୟାଳୟକୁ ମଧ୍ୟ ଆସିବାକୁ ସମସ୍ୟା ଭୋଗୁଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେତୁ ହୋଇଗଲେ ବଢ଼ି ସମୟରେ କିଛି ସମସ୍ୟା ହେଲେ ଧଉଳି ପାହାଡ଼ ଉପରକୁ ସହଜରେ ଯାଇହେବ। ଏ ଅଞ୍ଚଳ ଦେଇ ଭୁବନେଶ୍ବର ରିଂ-ରୋଡ ପ୍ରକଳ୍ପ ହେବା ପାଇଁ ଘୋଷଣା ହୋଇଥିଲେ ହେଁ କାମ ଆରମ୍ଭ ହେଉନାହିଁ। କେବେ ହେବ, କାହାରି ପାଖରେ ଉତ୍ତର ନାହିଁ।

ରାଜଧାନୀ ହିଡ଼ ଡେଇଁ ଉପକଣ୍ଠରେ ପହଞ୍ଚି
ପାରୁନି ବିକାଶ
ଅଭିଶପ୍ତ ଜୀବନ ଜିଉଁଛନ୍ତି ଉପକଣ୍ଠବାସୀ
ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରେ ପଛରେ
ଗଙ୍ଗୁଆର ବିଷାକ୍ତ ପାଣି କରୁଛି କଲବଲ

ଏ ଅଞ୍ଚଳର ୫୦% ଲୋକ ଏବେବି ଚାଷ ଉପରେ ନିର୍ଭରଶୀଳ। ପୂର୍ବରୁ ଗଙ୍ଗୁଆ ନଦୀର ପାଣି ଚାଷରେ ବ୍ୟବହାର ହେଉଥିଲା। କିନ୍ତୁ ଏବେ ଭୁବନେଶ୍ବରର ଡ୍ରେନ୍‌ପାଣି ମିଶି ଗଙ୍ଗୁଆ ପାଣି ଖରାପ ହୋଇଯିବାରୁ ଚାଷ ପାଇଁ ବ୍ୟବହାର ହୋଇପାରୁନି। ଓଲଟା ଚାଷୀଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଗଙ୍ଗୁଆ। ଗଙ୍ଗୁଆ ପାଣିକୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରାଯାଇ ବିଶୋଧନ କରାଯିବା ନେଇ କେଉଁ କାଳରୁ କୁହାଯାଉଛି। ହେଲେ ଏ ଯୋଜନା ଏବେ କେଉଁ ସ୍ତରରେ ଅଛି, ତାହା କହିବା ମୁସ୍କିଲ। ଗଙ୍ଗୁଆର ବିଷାକ୍ତ ପାଣିର ଦୁର୍ଗନ୍ଧରେ ଲୋକେ ଘରେ ରହି ପାରୁନାହାନ୍ତି। ଦିନରେ ମାଛି ଓ ସନ୍ଧ୍ୟ‌ାରେ ମଶାଙ୍କ ଉପଦ୍ରବରେ ଘର କବାଟ ଖୋଲି ପାରୁନାହାନ୍ତି ଶତାଧିକ ପରିବାର। ଗଙ୍ଗୁଆ ବନ୍ଧ ଉଚ୍ଚା ନଥିବାରୁ ବର୍ଷାଦିନେ ଗଙ୍ଗୁଆର ବିଶାକ୍ତ ପାଣି ଚାଷ ଜମିରେ ମାଡ଼ି ଏକର ଏକର ଫସଲ ନଷ୍ଟ କରୁଛି। ସ୍ଥାନୀୟ କୂଅ ଓ ପୋଖରୀର ପାଣିକୁ ମଧ୍ୟ ଏ ପାଣି ନଷ୍ଟ କରି ଚାଲିଛି। ୧୯୯୫ ମସିହାରେ ଦୟାନଦୀ କୂଳରେ ଏକ ଉଠା ଜଳସେଚନ ପ୍ରକଳ୍ପ କରାଯାଇଥିଲା। କିନ୍ତୁ ତାହା ପରେ ଅଚଳ ହୋଇଗଲା। ଚାଷ ପାଇଁ ପାଣିର ଆବଶ୍ୟକତାକୁ ପୂରଣ କରିବାକୁ ଏବେ ପୁଣି ଏକ ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ହେଲେ ନିମ୍ନମାନର କାମ ଯୋଗୁଁ ଏଯାଏ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ହେଲେ ଡାକ୍ତର ନାହାନ୍ତି। ନିକଟରେ କଲେଜ ନଥିବାରୁ ଏବଂ ଗମନାଗମନ ସୁବିଧା ନଥିବାରୁ ପିଲାମାନେ ପଢ଼ିବାକୁ ଭୁବନେଶ୍ବର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଖାଲଖମା ପୂର୍ଣ୍ଣ ସେ ରାସ୍ତାରେ ପ୍ରତିଦିନ ଆସିବା ସବୁ ପିଲାଙ୍କ ପକ୍ଷେ ସମ୍ଭବ ନୁହେଁ। ‌ତେଣୁ ଅନେକଙ୍କ, ବିଶେଷକରି ଝିଅମାନଙ୍କ ପଢ଼ା ହାଇସ୍କୁଲ ପରେ ବନ୍ଦ ହୋଇଯାଉଛି। ସେହିଭଳି ଅଘୋଷିତ ବିଜୁଳି କାଟ ଏ ଅଞ୍ଚଳର ନିୟମିତ ଘଟଣା ପାଲଟିଛି। ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଟିକରପଡ଼ା ପଞ୍ଚାୟତ ବସନ୍ତପୁରର ସଂଜୟ ଦାଶ ଓ ଇଟିପୁର ପଞ୍ଚାୟତର ସୁମନ୍ତ ସୁବୁଦ୍ଧି ପ୍ରମୁଖ ଅବହେଳିତ ଉପକଣ୍ଠର ବିକାଶ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।