ଭୁବନେଶ୍ବର: ପଳାସପଲ୍ଲୀ ଲେନ୍ ୧୦ର ବିନୋଦ ସେଠୀଙ୍କ ପତ୍ନୀ ଦୀପ୍ତିମୟୀ ଷଡ଼ଙ୍ଗୀ ହତ୍ୟାକାଣ୍ଡକୁ ୭ ଦିନ ପୂରିଛି। ହେଲେ ଏଯାବତ୍ ହତ୍ୟାକାରୀ ମିଳୁନାହିଁ। ପୁଲିସ୍ କେବଳ ତଦନ୍ତ କରୁଛି। ୪ଘଣ୍ଟା ସ୍ବାମୀଙ୍କୁ ଜେରା କରି ଛାଡ଼ିବା ପରେ ଅନ୍ୟ କୌଣସି ସନ୍ଦିଗ୍ଧଙ୍କୁ ଜେରା କରି ପାରିନାହିଁ। ଅନ୍ୟପଟେ ମୃତକଙ୍କ ଘର ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଧୀନରେ ହୋଇଥିବା ବେଳେ ଘଟଣାସ୍ଥଳ ବେଗୁନିଆ ଥାନା ଅଧୀନରେ ରହିଛି। ମାମଲା ମଧ୍ୟ ବେଗୁନିଆ ଥାନା ହିଁ ରୁଜୁ କରିଛି। ଏଣୁ ଉଭୟ ଥାନାର ସମନ୍ବୟ ଅଭାବରୁ ତଦନ୍ତ ଧିମେଇ ଥିବା ନେଇ ଚର୍ଚ୍ଚା ହେଉଛି। ଦୀପ୍ତିମୟୀଙ୍କ ହତ୍ୟାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଦୀପ୍ତି ଏକ ବୀମା କମ୍ପାନିରେ ଏଜେଣ୍ଟ ଭାବେ କାମ କରୁଥିଲେ। ତାଙ୍କ ସ୍ୱାମୀ ବିନୋଦ ଛୋଟ ପରଦାରେ ଅଭିନୟ କରନ୍ତି। ପଳାସପଲ୍ଲୀ ଛକରେ ତାଙ୍କର ଏକ ଷ୍ଟୁଡିଓ ମଧ୍ୟ ରହିଛି। ସେ ଦୀପ୍ତିମୟୀଙ୍କୁ ପ୍ରେମବିବାହ କରିଥିଲେ। ତାଙ୍କର ୧୩ ବର୍ଷର ଓ ୬ ବର୍ଷ ବୟସର ଦୁଇଜଣ କନ୍ୟା ସନ୍ତାନ ରହିଛନ୍ତି। ପ୍ରେମ ବିବାହର ଦୀର୍ଘ ଦିନ ପରେ ପାରିବାରିକ କଳହକୁ ନେଇ ଘଟଣା ଘଟିବା ସନ୍ଦେହ ଦୂର ହୋଇଛି। କାରଣ ସ୍ବାମୀଙ୍କୁ ପଚରାଉଚରା କରିବା ପରେ ପୁଲିସ ଛାଡ଼ି ଦେଇଛି। ନୟାଗଡ଼ର ଜଣେ ଅଟୋ ଚାଳକ ତାଙ୍କଠାରୁ ୮୦ହଜାର ଟଙ୍କା ଧାର୍ ନେଇଥିଲେ। ହତ୍ୟା ପଛରେ ଏହି ଅର୍ଥ ଉଧାରି କାରବାର ଥିବା ନେଇ ମଧ୍ୟ ସନ୍ଦେହ ରହିଛି। ଅନ୍ୟପଟେ ଗଳା କାଟି ହତ୍ୟା କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ରକ୍ତଛିଟା ପଡ଼ି ନଥିବାରୁ ଅନ୍ୟତ୍ର ହତ୍ୟା କରାଯାଇ ଘଟଣାସ୍ଥଳରେ ଫିଙ୍ଗି ଦିଆଯାଇଥିବା ଏସ୍ପି କହିଛନ୍ତି। ତେବେ ଗୋଟିଏ ଜାଗାରେ ହତ୍ୟା କରାଯାଇ ଅନ୍ୟତ୍ର ନିଆଗଲା କାହିଁକି? ଯେଉଁ ଜାଗାରେ ହତ୍ୟା କରାଯାଇଥିଲା ସେ ଜାଗାରେ ମୃତଦେହ ପଡ଼ିଥିଲେ ହତ୍ୟାକାରୀ ଚିହ୍ନଟ ହେବା ସହଜ ହୋଇଥାନ୍ତା କି? ପୁଲିସ୍କୁ ଭୁଆଁ ବୁଲାଇବା ପାଇଁ ଏହା କଣ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା? ଦିପ୍ତୀମୟୀ ମୋବାଇଲ ନ ନେବା ପଛରେ କ’ଣ ରହସ୍ୟ ଥାଇପାରେ? ଆଗକୁ ଘଟିବାକୁ ଥିବା କିଛି ଅଘଟଣକୁ ନେଇ ଦୀପ୍ତିଙ୍କର ସନ୍ଦେହ ଥିଲା କି? ଏଭଳି ଅନେକ ପ୍ରଶ୍ନ ଏହି ହତ୍ୟାକାଣ୍ଡକୁ ରହସ୍ୟମୟ କରି ଦେଇଛି। ଅନ୍ୟପଟେ ଅଭିଯୁକ୍ତକୁ ଧରିବା ପାଇଁ ଶତାଧିକ ବାସିନ୍ଦାଙ୍କ ସମେତ କେତକ ନେତା ପଲାସପଲ୍ଲୀଠାରେ ରାସ୍ତାରୋକ କରିଥିଲେ। ଏବେ ସେମାନେ ପୁଣିଥରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏସବୁ ଏବେ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ଉଭୟ ଥାନାର ସମନ୍ବୟରେ ଖୁବ୍ଶୀଘ୍ର ହତ୍ୟାକାରୀ ପାଖରେ ପୁଲିସ୍ ପହଞ୍ଚିବ ବୋଲି ବେଗୁନିଆ ପୁଲିସ କହିଛି।
ଦୀପ୍ତିମୟୀ ହତ୍ୟା ମାମଲା, ୭ ଦିନ ପରେ ବି ମିଳୁନି ହତ୍ୟାକାରୀ
/sambad/media/post_attachments/wp-content/uploads/2018/10/palashpalli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)