ଚଉଶିଙ୍ଗା ହରିଣ ଓ ପେଲିକାନର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ତୃଣଭୋଜି ସଫାରିରେ ରହୁଥିବା ୧୨ବର୍ଷ ବୟସ୍କା ମାଈ ଚଉଶିଙ୍ଗା ହରିଣର ମୃତ୍ୟୁ ହୋଇଛି। ଚଉଶିଙ୍ଗାଟି ଗର୍ଭବତୀ ଥିଲା। ଗତ ସୋମବାର ଏକ ସାଥୀ ପୁରୁଷ ଚଉଶିଙ୍ଗା ତା’ ପେଟକୁ ଶିଙ୍ଗରେ ଭୁସି କଣା କରିଦେଇଥିଲା। ନନ୍ଦନକାନନର ଚିକିତ୍ସକ ତା’ ପେଟ ଭିତରୁ ମଲା ଛୁଆଟିକୁ କାଢ଼ିବା ପରେ ଚିକିତ୍ସା ଜାରି ରଖିଥିଲେ। କିନ୍ତୁ ଆଭ୍ୟନ୍ତରୀଣ କ୍ଷତ କାରଣରୁ ତା’ର ମୃତ୍ୟୁ ହୋଇଛି। ମରିଥିବା ଚଉଶିଙ୍ଗାଟି ସବୁଠାରୁ ବୟସ୍କା ଥିଲା। ସେ ସର୍ବମୋଟ ୮ଟି ଛୁଆ ଜନ୍ମ କରିଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୭ଟି ଚଉଶିଙ୍ଗା ହରିଣ ଅଛନ୍ତି। ସେହିଭଳି ଆଜି ନନ୍ଦନକାନନର ବିହଙ୍ଗ ବିହାର ମଧ୍ୟରେ ଏକ ୧୨ବର୍ଷ ବୟସ୍କ ଧଳା ରଙ୍ଗର ପୁରୁଷ ପେଲିକାନ୍‌ ପକ୍ଷୀର ମୃତ୍ୟୁ ହୋଇଛି। ପକ୍ଷୀଟି ଦୃଷ୍ଟିହୀନ ଥିଲା। ବାର୍ଧକ୍ୟ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ୭ ବର୍ଷ ହେଲା ନନ୍ଦନକାନନରେ ଏହି ପ୍ରଜାତିର ବଂଶବୃଦ୍ଧି ହୋଇ ୭ରୁ ୧୫ ହୋଇଥିଲା। ପୁରୁଷ ପେଲିକାନଟିର ମୃତ୍ୟୁ ଫଳରେ ସଂଖ୍ୟା ୧୪କୁ ହ୍ରାସ ପାଇଛି। ଏହି ବିରଳ ପ୍ରଜାତିର ପକ୍ଷୀ ଭାରତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ପାକିସ୍ତାନ ଓ ଇଣ୍ଡୋନେସିଆର ବୃହତ୍‌ ହ୍ରଦମାନଙ୍କ‌ରେ ଦେଖିବାକୁ ମିଳି ଥାଆନ୍ତି।

ସମ୍ବନ୍ଧିତ ଖବର