୧୧ କେଜି ହରିଣ ମାଂସ ଓ ଚମଡ଼ା ଜବତ, ୨ ଶିକାରୀ ଓ ୭ ଗ୍ରାହକ ଗିରଫ

ରାଜଧାନୀକୁ ଚାଲାଣ ହେଉଛି ବନ୍ୟଜନ୍ତୁଙ୍କ ମାଂସ

ବାରଙ୍ଗ/ମେଣ୍ଢାଶାଳ : ଗତରାତିରେ ଚନ୍ଦକା ଥାନା ପୁଲିସ ଓ ବନ ବିଭାଗ ମିଳିତ ଚଢ଼ଉ କରି ୨ ଶିକାରୀ ଓ ୭ଜଣ ହରିଣ ମାଂସ ଗ୍ରାହକଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ପାଖାପାଖି ୧୧କେଜି ହରିଣ ମାଂସ ସମେତ ଗୋଟିଏ ଚିତ୍ରା ହରିଣ ଚମଡ଼ା, ଗୋଟିଏ ଦେଶୀ ବନ୍ଧୁକ, ୧୦ଟି ଗୁଳି, କିଛି ବାରୁଦ ପାଉଡର, ଗୋଟିଏ ଭୁଜାଲି ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ, ସ୍ଥାନୀୟ ଶିମିଳିପାଟଣାର ନିର୍ମଳ ଶ୍ରୀଚନ୍ଦନ(୩୭), ଫିରିକିନାଳି ଆଦିବାସୀ ଗାଁର ଗଣ୍ଡା ହେମ୍ବ୍ରମ ଓରଫ୍ ଗେଡ଼ୁ(୨୪), ଶିମିଳିପାଟଣାର କହ୍ନେଇ ନାୟକ (୨୪), ଅନିଲ୍‌ ଚେମି (୨୨), ଚନ୍ଦକାର ବିକାଶ ପ୍ରଧାନ (୩୮), ଶ୍ରୀକାନ୍ତ ସାମନ୍ତରାୟ( ୩୧), ଜଗମୋହନ ମଙ୍ଗରାଜ (୩୩), ତରୁଣକାନ୍ତ ସାମନ୍ତରାୟ( ୩୨) ଓ ପ୍ରଦ୍ୟୁମ୍ନ ସାହୁ (୩୮)। ନିର୍ମଳ ଓ ଗେଡ଼ୁ ଶିକାରୀ ବୋଲି ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନେ ସେମାନଙ୍କଠାରୁ ହରିଣ ମାଂସ କିଣିଥିବା ଗ୍ରାହକ ବୋଲି ପୁଲିସ ସୂଚନା ଦେଇଛି। ଚଢ଼ଉ ବେଳେ ପୁଲିସ କିଛି ଗ୍ରାହକଙ୍କ ଘରୁ ଫ୍ରିଜ୍‌ରେ ସାଇତା ହୋଇଥିବା ହରିଣ ମାଂସ ଜବତ କରିଥିବା ବେଳେ କିଛି ଗ୍ରାହକଙ୍କ ଘରୁ ରନ୍ଧା ମାଂସ ଜବତ କରିଥିବା ଜଣାପଡ଼ିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଆଳୁ ଖୋଳ ଖୋଳୁ ମହାଦେବ ବ‌ାହାରିବା ଭଳି ଏହି ଚଢ଼ଉ ପଛରେ ଥିବା ଏକ ରୋଚକ କଥାକୁ ନେଇ ସରଗରମ ଚର୍ଚ୍ଚା ହେଉଛି। ସୂଚନାନୁସାରେ, ଗତକାଲି ଚନ୍ଦକା ଥାନା ପୁଲିସ ସ୍ଥାନୀୟ ଜଣେ ଯୁବକଙ୍କୁ ଏକ ମାମଲା‌ରେ ପଚରାଉଚରା ପାଇଁ ଥାନାକୁ ନେଇଥିଲା। ସେତିକିବେଳେ ଉକ୍ତ ଯୁବକଙ୍କ ପାଖକୁ ବାରମ୍ବାର ଏକ ଫୋନ୍‌ ଆସୁଥିଲା। ତେଣୁ ପଚରାଉଚରାରେ ବାଧା ଉପୁଜିବାରୁ ତଦନ୍ତ ଅଧିକାରୀ ରାଗରେ ଯୁବକଙ୍କ ଫୋନ୍‌କୁ ଛଡ଼ାଇ ନେଇଥିଲେ। ଫୋନ୍‌ଟି ପୁଲିସ ଅଧିକାରୀଙ୍କ ପାଖରେ ‌ଥିବା ବେଳେ ଆଉ ଥରେ କଲ୍‌ ଆସିଥିଲା ଓ ‌କଲ୍‌ କରିଥିବା ବ୍ୟକ୍ତି ‘ଶୀଘ୍ର ଆସ ମାଂସ ନେଇଯିବ’ ବୋଲି କହିଥିଲା। ଏହା ପରେ ପୁଲିସ ଅଧିକାରୀ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ଓ ଦୁଇ ବିଭାଗର ମିଳିତ ଟିମ୍‌ ଫୋନ୍‌ କରିଥିବା ବ୍ୟକ୍ତିଙ୍କ ଘରେ ଚଢ଼ଉ କରିଥିଲେ। ସେଠାରୁ ବନ୍ଧୁକ, ଗୁଳି, ଭୁଜାଲି ଓ ୨ କେଜି ମାଂସ ଜବତ କରାଯାଇଥିଲା। ଏହା ପରେ ଗୋଟି ଗୋଟି କରି ସବୁ ଗ୍ରାହକ ପୁଲିସ କବ୍‌ଜାକୁ ଆସି ଯାଇଥିଲେ। ଅନ୍ୟ ଜଣେ ଶିକାରୀଙ୍କ ଘରୁ ଚିତ୍ରା ହରିଣର ଚମଡ଼ା ଜବତ କରାଯାଇଥିଲା। ବିଳମ୍ବିତ ରାତି ହୋଇଯାଇଥିବା ବେଳେ ଘଟଣା ପ୍ରଚାର ହୋଇଯିବାରୁ ଆଉ କିଛି ଗ୍ରାହକଙ୍କ ଘରେ ଚଢ଼ଉ କରିବା ସମ୍ଭବ ହୋଇନଥିଲା। କିନ୍ତୁ ସେମାନେ ଚଢ଼ଉ ଭୟରେ ରନ୍ଧା ଓ ସାଇତା ମାଂସକୁ ଫୋପାଡ଼ି ଦେଇଥିଲେ। ଜବତ ଚମଡ଼ାରୁ ଅନୁମାନ କରାଯାଉଛି ଯେ ଗତକାଲି ସନ୍ଧ୍ୟାରେ ହିଁ ହରିଣଟିକୁ ଶିକାର କରାଯାଇଥିଲା। ଭରତପୁର ସଂରକ୍ଷିତ ଜଙ୍ଗଲରୁ ଶିକାର ହୋଇଥିବା ଏହି ହରିଣର ଓଜନ ପ୍ରାୟ ୨୦/୨୫ କେଜି ହେବ ବୋଲି ଆକଳନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଚନ୍ଦକା ଅଭୟାରଣ୍ୟରେ ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର ବଢ଼ି ଚାଲିଛି। ଗତ ମାସ ୩ ତାରିଖରେ ହଳଦିଆ ରେଞ୍ଜ୍‌ ତାଡିକି ମୁଣ୍ଡିଆ ନିକଟସ୍ଥ ତାଳବସ୍ତରୁ ରେଞ୍ଜର ଜୟକୃଷ୍ଣ ପଣ୍ଡା ଜଣେ ଶିକାରୀଠାରୁ ହରିଣ ଚମଡ଼ା ଜବତ କରିବା ସହ ତାକୁ ଗିରଫ କରିଥିଲେ। ଜୁଲାଇ ମାସରେ ଡମପଡା ରେଞ୍ଜ୍‌ ଅଧୀନ ଉପରପାଟପୁର ଗ୍ରାମର ପ୍ରମୋଦ ଗୋଛୟତ (୬୫) ନାମକ ଜଣେ ଶିକାରୀକୁ ରେଞ୍ଜର ନିରଞ୍ଜନ ମହାପାତ୍ର ଗିରଫ କରିବା ସହ ତା’ଠାରୁ ବନ୍ଧୁକ ଓ ବାରୁଦ ୧୦୦ ଗ୍ରାମ ଜବତ କରିଥିଲେ। ଗତକାଲିର ଚଢ଼ଉରେ ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ବିଶ୍ବାଳଙ୍କ ସହ ବନ ବିଭାଗରୁ ଫରେଷ୍ଟର ରାଜକୁମାର ସେଠୀ ଓ ପରୀକ୍ଷିତ ଭୂ୍ୟାଁ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ୍‌ ଥିଲେ। ସୂଚନାଯୋଗ୍ୟ ଯେ ନନ୍ଦନକା‌ନନ ଓ ରାଜଭବନରୁ କିଛି ହରିଣଙ୍କୁ ଆଣି ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଏ। ଏହି ହରିଣମାନେ ବନ୍ୟଜନ୍ତୁଙ୍କ ସହ ମିଶି ନପାରି ସାଧାରଣତଃ ଜନବସତି ଆଡ଼କୁ ପଳାଇ ଆସନ୍ତି। ଫଳରେ ସେମାନେ ସହଜରେ ଶିକାରୀ ଗୁଳିରେ ପ୍ରାଣ ହରାଉଛନ୍ତି।

ରାଜଧାନୀକୁ ଚାଲାଣ ହେଉଛି ବନ୍ୟଜନ୍ତୁଙ୍କ ମାଂସ
ରାଜଧାନୀରେ ହରିଣ, ବାର୍‌ହା, କୁଟୁରା ଓ ସମ୍ବର ଭଳି ବନ୍ୟପ୍ରାଣୀଙ୍କ ମାଂସର ବେଶ୍ ଭଲ ଚାହିଦା ରହିଛି। କିଛି ହୋଟେଲ ଓ ଢ଼ାବାକୁ ବାଦ୍‌ ଦେଲେ ବହୁ ସାଧାରଣ ଗ୍ରାହକ ମଧ୍ୟ ଚନ୍ଦକା ଅଞ୍ଚଳର ମାଂସ ଚାଲାଣକାରୀଙ୍କ ଯୋଗାଯୋଗରେ ଅଛନ୍ତି। ତେଣୁ ନିୟମିତ ବ୍ୟବଧାନରେ ଶିକାରୀମାନେ ଭରତପୁର ଓ ଚନ୍ଦକା ଜଙ୍ଗଲରେ ଶିକାର କରି ରାଜଧାନୀକୁ ମାଂସ ଚାଲାଣ କରୁଛନ୍ତି। କିଛି ଶିକାରୀ ଗୁଳିରେ ଶିକାର କରୁଥିବାବେଳେ କିଛି ଶିକାରୀ ଫାଶରେ ଏହି କାମ କରୁଛନ୍ତି। ଫାଶରେ ଶିକାର ହୋଇଥିବା ବନ୍ୟଜନ୍ତୁଙ୍କ ମାଂସର ଚାହିଦା ଅଧିକ ଓ ସେଥିପାଇଁ ତାହାକୁ ଅଧିକ ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି। ଗତକାଲି କିଛି ଗ୍ରାହକଙ୍କ ଘରୁ ଫ୍ରିଜ୍‌ରୁ ଜବତ ହୋଇଥିବା ମାଂସ ରାଜଧାନୀକୁ ଚାଲାଣ ହେବାର ଥିଲା ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର