ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଏକମାତ୍ର କୃଷି ବିଶ୍ବବିଦ୍ୟାଳୟ ଭାବେ ଦେଶରେ ସୁନାମ ଅର୍ଜନ କରିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)କୁ ବିକଳାଙ୍ଗ କରିବାକୁ ଉଦ୍ୟମ ହେଉଛି। ଗୋଟିଏ ପଟେ ନୂତନ କିସମ ବିହନ ଉତ୍ପାଦନ କରି ବିଶ୍ବବିଦ୍ୟାଳୟ ଜାତୀୟ ସ୍ତରରେ ନାଁ କମାଉଥିବା ବେଳେ ଅନ୍ୟପଟେ ଏକର ଏକର ଜମି ହରାଇ ଚାଲିଛି। ସଦ୍ୟ ପ୍ରକାଶିତ ଏନ୍ଆଇଆରଏଫ୍ର ରୢାଙ୍କିଙ୍ଗ୍ର କୃଷି ଓ ଆନୁଷଙ୍ଗିକ ବର୍ଗରେ ଓୟୁଏଟି ସାରା ଦେଶରେ ୧୫ତମ ସ୍ଥାନରେ ରହିଛି। ଏନ୍ଆଇଆରଏଫ୍ରେ ଏଭଳି ସଫଳତା ପାଇବାରେ ଓୟୁଏଟି ଓଡ଼ିଶାର ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ ପାଲଟିଛି। ଏଭଳି ସଫଳତା ହାସଲ କରିଥିବା ଓୟୁଏଟି ନାଁରେ ଏବେ ମାତ୍ର ୫୨.୭୨୯ ଏକର ଜମି ରହିଛି। ବାକି ଜମିଗୁଡ଼ିକ ରାଜ୍ୟ ସରକାର ଅନ୍ୟ ବିଭାଗ ଅଧୀନରେ ରହିଥିବାରୁ ୧୯୬୨ରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟର କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ର ବହୁ ପରିମାଣରେ ପ୍ରଭାବିତ ହେଉଛି। କେଉଁ ବିଭାଗ କେତେବେଳେ କାହା ହାତକୁ ଜମି ଟେକି ଦେଉଛନ୍ତି ସେସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷ ଜାଣିପାରୁ ନାହାନ୍ତି। ପରିଣାମ ସ୍ବରୂପ ଓୟୁଏଟି ରୁଗ୍ଣ ଅବସ୍ଥା ଦେଇ ଗତି କରୁଥିବା ପୁରାତନ ଛାତ୍ରଛାତ୍ରୀ ଓ ପ୍ରଫେସରମାନେ ଅଭିଯୋଗ କରିଛନ୍ତି।
ରେକର୍ଡରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁଯାୟୀ, ଓୟୁଏଟିକୁ ରାଜ୍ୟର ବିଭିନ୍ନ ସ୍ଥାନରେ ୪,୪୩୭ ଏକର ଜମି ଆବଣ୍ଟନ ହୋଇଛି। ସେଥିମଧ୍ୟରୁ ଓୟୁଏଟି ନାଁରେ ୨୭୫.୧୧୯ ଏକର ରହିଥିବା ବେଳେ ବାକି ଜମିଗୁଡ଼ିକ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ରାଜସ୍ବ ବିଭାଗ ଓ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ତେବେ ଭୂଲେଖ ତଥ୍ୟ ଅନୁଯାୟୀ ୫୯୯ ଏକର ଜମି ଭୁବନେଶ୍ବରସ୍ଥିତ ଓୟୁଏଟି ଦଖଲରେ ରହିଛି। ସେଥିମଧ୍ୟରୁ ସୂର୍ଯ୍ୟନଗର ମୌଜାରେ ଥିବା ୫୨.୭୨୯ ଏକର ଜମିରେ ଓୟୁଏଟି ମୁଖ୍ୟାଳୟ ରହିଛି। ବାକି ୫୪୬.୬୧୧ ଏକର ଜମି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ରାଜସ୍ବ ବିଭାଗ ଅଧୀନରେ ରହିଛି। ଯେହେତୁ ଜମିଗୁଡ଼ିକ ଓୟୁଏଟି ଅଧୀନରେ ନାହିଁ ତେଣୁ ବିଡିଏ, ବିଏମ୍ସି ପରି ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ଓୟୁଏଟି କେନ୍ଦ୍ରୀୟ ଗବେଷଣା ଫାର୍ମରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷକୁ ଅବଗତ କରାଉ ନାହାନ୍ତି। ଯେତେବେଳେ କି ଏହି ଜମିଗୁଡ଼ିକରେ ଗବେଷଣା, ଶସ୍ୟ ଉତ୍ପାଦନ, ଜୀବାଣୁ ସଂରକ୍ଷଣ ସହ ଓୟୁଏଟି ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପ୍ରଶିକ୍ଷଣ ହୋଇଥାଏ।
ପ୍ରଥମେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାକୁ ଓୟୁଏଟିରୁ ଜମି ହସ୍ତାନ୍ତର ହୋଇଥିଲା। ପର୍ଯ୍ୟାୟକ୍ରମେ ଓୟୁଏଟିର ଜମିଗୁଡ଼ିକ ଧୀରେ ଧୀରେ ବିମାନ ବନ୍ଦର ଭିତରେ ହଜି ଯାଉଛି। ୯୦.୫୪୫ ଏକର ଜମି, ଯାହା ଉପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ରହିଛି ସେଠାରେ ଦିନେ ବ୍ୟାପକ ଭାବରେ ଧାନ ଗବେଷଣା ହେଉଥିଲା। ଏକାବେଳକେ ଏତେ ପରିମାଣର ଜମି ବିମାନବନ୍ଦରକୁ ଦେବା ନିଷ୍ପତ୍ତିକୁ ସେତେବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିରୋଧ କରିଥିଲେ। କୌଣସି ସୁଫଳ ମିଳି ନ ଥିଲା। ପରବର୍ତ୍ତୀ ସମୟରେ ବରମୁଣ୍ଡା, ଜୋକଳନ୍ଦି ଓ ଘାଟିକିଆରେ ଥିବା ଓୟୁଏଟିର ୨୧୩.୮୧୦ ଏକର ଜମିକୁ କୃଷି ବିଭାଗ ୨୦୧୯ ନଭେମ୍ବର ୨୦ ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତରିତ କରିଥିଲା। ଏଭଳି ନିଷ୍ପତ୍ତି ଦ୍ବାରା ଓୟୁଏଟିର ଆଳୁ ସମେତ ଫଳ, ପନିପରିବା ଗବେଷଣା ସଙ୍କୁଚିତ ହୋଇଥିଲା। ସେହିପରି ଓୟୁଏଟିର ୩୧.୬ ଏକର ଜମିକୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)-କେନ୍ଦ୍ରୀୟ ମହିଳା କୃଷି ଗବେଷଣା କେନ୍ଦ୍ର ଏବଂ ୩୦ ଏକର ଜମିକୁ ଆଇସିଏଆର୍-ଆଇଭିଆରଆଇକୁ ଦିଆଯିବା ଦ୍ବାରା ଓୟୁଏଟିର ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟକଳାପ ବହୁ ପରିମାଣରେ ପ୍ରଭାବିତ ହୋଇଛି।
ଶିକ୍ଷାବିତ୍ଙ୍କ ମତରେ, ବର୍ତ୍ତମାନ ସମୟରେ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ କ୍ଲାସରୁମ୍, ଲାବରେଟୋରି, ଗବେଷଣା, ଶିକ୍ଷା, ଛାତ୍ରଛାତ୍ରୀଙ୍କୁ କ୍ଷେତ୍ର ତାଲିମ ଉପରେ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଆଇସିଏଆର ଡିନ୍ କମିଟି ରିପୋର୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଆବଶ୍ୟକ ଫାର୍ମ କ୍ୟାମ୍ପସଠାରୁ ୫ କିମି ଭିତରେ ରହିବାର ନିୟମ ରହିଛି। ଏଭଳି ଜମି କମିବା ଦ୍ବାରା ବିଶ୍ବବିଦ୍ୟାଳୟର ଦୈନଦିନ ଏକାଡେମିକ୍, ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟକଳାପ ବହୁ ପରିମାଣରେ ପ୍ରଭବିତ ହେଉଛି। କେବଳ ସେତିକି ନୁହେଁ, ଭୁବନେଶ୍ବରସ୍ଥିତ ଓୟୁଏଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ରର ଜମି ବିନା ଅନୁମତିରେ ସରକାରୀ ସଂସ୍ଥା ଦ୍ବାରା ବସ୍ଷ୍ଟାଣ୍ଡ ସମ୍ପ୍ରସାରଣ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ କରାଯାଉଛି। ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।