ଦେହଜୀବୀଙ୍କ ଉତ୍ପାତ, ପିସିଆର ଭ୍ୟାନ୍‌କୁ ଢ଼େଲାମାଡ଼

ଭୁବନେଶ୍ବର : ଉତ୍ପାତ କରୁଛନ୍ତି ଦେହଜୀବୀ। ଗ୍ରାହକଙ୍କୁ ନେଇ ନିଜ ନିଜ ଭିତରେ ଟଣାଓଟରା ହେବା ବେଳେ ପୁଲିସ ବାଧା ଦେବାରୁ ପିସିଆର ଭ୍ୟାନ୍‌କୁ ଢେଲାମାଡ଼ କରିଛନ୍ତି। ଢେଲାମାଡ଼ରେ ଭ୍ୟାନ୍‌ର କାଚ ଭାଙ୍ଗିଥିବା ବେଳେ ସେଥିରେ ଥିବା ପୁଲିସ୍‌ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି। କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଅଶୋକନଗରରେ କେତେକ ଦେହଜୀବୀ ନିଜ ନିଜ ମଧ୍ୟରେ ପାଟିତୁଣ୍ଡ କରିବା ସହ ହାତାହାତି ହୋଇଥିଲେ। ସେଠାରେ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ୍‌ର କର୍ମଚାରୀ ସେମାନଙ୍କୁ ସେଠାରୁ ବିଦା କରି ଦେଇଥିଲେ। ସେଠାରୁ ଆସି ସେମାନେ ପୁଣି ଥରେ ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରେ ହାତାହାତି ହୋଇଥିଲେ। ସେଠାରେ ପ୍ରବଳ ପାଟିତୁଣ୍ଡ ହେବାରୁ ପୁଲିସ ପାଖରେ ଖବର ପହଞ୍ଚିଥିଲା। ପୁଲିସ୍‌ ପୁଣି ପିସିଆର୍‌ ଭ୍ୟାନ୍‌ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ସେମାନଙ୍କୁ ପୁଣିଥରେ ଘଉଡ଼ାଇବାକୁ ଉଦ୍ୟମ କରିବାରୁ ଦେହଜୀବୀମାନେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେମାନେ ପୁଲିସ୍‌କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ପୁଲିସ୍‌ ପଛଘୁଞ୍ଚା ଦେବାରୁ ସେମାନେ ଭ୍ୟାନ୍‌ ଉପରକୁ ଟେକା ମାଡ଼ କରିଥିଲେ। ଫଳରେ ଗାଡ଼ିର କାଚ ଭାଙ୍ଗି ଯାଇଥିଲା। ଦୀର୍ଘ ଅଧଘଣ୍ଟା କାଳ ଏଭଳି ଛକାପଞ୍ଝା ଜାରି ରହିଥିଲା।

ସମ୍ବନ୍ଧିତ ଖବର