ଭୁବନେଶ୍ବର: ପ୍ରାଣୀ ଅଦଳବଦଳ କ୍ରମରେ ନନ୍ଦନକାନନ‌ ଚିଡ଼ିଆଖାନାରୁ ଉତ୍ତରାଖଣ୍ଡସ୍ଥିତ ଡେରାଡୁନ୍‌ ଚିଡ଼ିଆଖାନାକୁ ଏକ ଧଳା ବାଘ ପଠାଯିବ। ଏନେଇ ଉଭୟ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଚିଡ଼ିଆଖାନାରେ ଧଳାବାଘକୁ ପ୍ରଦର୍ଶନ କରାଯିବା ଦ୍ବାରା ସେଠାରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ବୋଲି ଉଭୟ ରାଜ୍ୟ ଆଶା ପ୍ରକାଶ କରିଛନ୍ତି। ଧଳା ବାଘ ବଦଳରେ ଉତ୍ତରାଖଣ୍ଡରୁ ୪ଟି କଲରାପତରିଆ ବାଘ ନନ୍ଦନକାନନକୁ ଅଣାଯିବ। ଏହାଦ୍ବାରା ଗୋଟିଏ ପଟେ ଚିଡ଼ିଆଖାନାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ଡରେ ମଣିଷ-ବନ୍ୟଜନ୍ତୁଙ୍କ ମଧ୍ୟରେ ଦେଖାଯାଉଥିବା ବିବାଦ କିଛି ମାତ୍ରାରେ ପ୍ରଶମିତ ହେବ। ଉତ୍ତରାଖଣ୍ଡରୁ ଅଣାଯିବାକୁ ଥିବା ୪ଟି କଲରାପତରିଆ ନନ୍ଦନକାନନରେ ରଖାଯିବା ସହ ସେମାନଙ୍କ ବଂଶ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ। କାରଣ ରାଜ୍ୟର ଏହି ଚିଡ଼ିଆଖାନାରେ କଲରାପତରିଆଙ୍କ ସଂଖ୍ୟା ବହୁତ କମ୍‌ ରହିଛି ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

Advertisment

ବାଘ ଅଦଳବଦଳ ନେଇ ଓଡ଼ିଶାର ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ କୁମାର ନନ୍ଦ ଇତିମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟ ବନ୍ୟପ୍ରାଣୀ ୱାଡେନ୍‌ ସମୀର ସିହ୍ନାକୁ ଚିଠି ଲେଖି ସହମତି ପ୍ରକାଶ କରିଛନ୍ତି। ଧଳା ବାଘକୁ ଡେରାଡୁନ୍‌ ଚିଡ଼ିଆଖାନାରେ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ହୋଇଛି। ତେବେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଉପରେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଅଟକି ରହିଛି। ବାଘ ଅଦଳବଦଳ କରିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ନନ୍ଦନକାନନରୁ ଅନେକ ଧଳା ବାଘ ଦେଶ ଓ ବିଦେଶର ଅନ୍ୟାନ୍ୟ ଚିଡ଼ିଆଖାନାକୁ ପଠାଯିବା ସହ ସେଠାରେ ବଂଶ ବୃଦ୍ଧିରେ ବେଶ ସହାୟକ ହୋଇପାରିଛି। ଦେଶର ଅଳ୍ପ କିଛି ସ୍ଥାନରେ ଧଳା ବାଘ ଦେଖିବାକୁ ମିଳିଥାନ୍ତି। ମଧ୍ୟପ୍ରଦେଶର ମହାରାଜା ମାର୍ତଣ୍ଡ ସିଂହ ଧଳା ବାଘ ସଫାରି ଓ ଚିଡ଼ିଆଖାନା, ପଶ୍ଚିମବଙ୍ଗର ଆଲ୍ଲିପୁର ଜୁଓଲୋଜିକାଲ ଗାର୍ଡେନ, ନନ୍ଦନକାନନ ଚିଡ଼ିଆଖାନାରେ ଏହି ପ୍ରଜାତିର ବାଘ ରହିଛନ୍ତି। ଆମେରିକା, ଇଂଲଣ୍ଡ ଓ ସିଙ୍ଗାପୁରରେ ମଧ୍ୟ ଧଳା ବାଘ ଦେଖିବାକୁ ମିଳିଥାନ୍ତି। ରୟାଲ ବେଙ୍ଗଲ ଟାଇଗରଠାରୁ ଧଳା ବାଘ ଭିନ୍ନ ନୁହେଁ। ବରଂ ଏହା ଏକ ସ୍ବତନ୍ତ୍ର ଜେନେଟିକ୍‌ର ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଧଳାବାଘ ପ୍ରଜନନ ଓ ସଂଖ୍ୟା ବୃଦ୍ଧିରେ ନନ୍ଦନକାନନ ସମଗ୍ର ବିଶ୍ୱରେ ଗୌରବ ଆଣିଛି। ନନ୍ଦନକାନନରେ ୧୫୦ରୁ ଅଧିକ ଧଳାବାଘ ଜନ୍ମ ନେଇଥିବା ବେଳେ ବିଭିନ୍ନ ସମୟରେ ଶତାଧିକଙ୍କର ମୃତ୍ୟୁ ହୋଇଛି। ପ୍ରଥମେ ୧୯୭୭ ମସିହା ଡିସେମ୍ବର ୨୬ ତାରିଖରେ ‘ହରି’ ଓ ‘ଅସୀମା’ ନାମକ ଦୁଇଟି ଧଳାବାଘଙ୍କୁ ଦିଲ୍ଲୀରୁ ଅଣାଯାଇଥିଲା। ଉଭୟଙ୍କ ମିଳନରୁ ୧୯୭୯ରେ ଫେବ୍ରୁଆରି ୨୮ରେ ଡାଏନା ଓ ଶୁଭ୍ରା ଜନ୍ମ ନେଇଥିଲେ। ୧୯୮୮ ବେଳକୁ ନନ୍ଦନକାନନରେ ଧଳାବାଘଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଥିଲା। ପ୍ରଥମ କରି ୧୯୮୮ରେ ନନ୍ଦନକାନନର ଧଳା ବାଘୁଣୀ ‘ସ୍ୱପ୍ନା’କୁ ଜୟପୁର ଚିଡ଼ିଆଖାନାକୁ ପଠାଯାଇଥିଲା। ସେହିବର୍ଷ ଡିସେମ୍ବର ୨୯ରେ ଟେକ୍ସାସ୍‌କୁ ଧଳା ବାଘୁଣୀ ‘ସିପ୍ରା’ ଯାଇଥିଲା। ଏବେ ବି ନନ୍ଦନକାନନରେ ଧଳା ବାଘଙ୍କ ସଂଖ୍ୟା ବହୁତ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନନ୍ଦନକାନନ ଚିଡ଼ିଆଖାନାରେ ଏବେ ୪ ହଜାରରୁ ଊର୍ଦ୍ଧ୍ବ ପଶୁ, ପକ୍ଷୀ, ସରୀସୃପ ୨୧୨ଟି ଖୁଆଡ଼ରେ ରଖାଯାଇଛି। ଚିଡ଼ିଆଖାନାରେ ମୋଟ ୧୫୬ ପ୍ରଜାତି ପ୍ରାଣୀ ଅଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ସ୍ଥାନରୁ ପ୍ରାଣୀ ଅଣାଯିବା ପାଇଁ ପଦକ୍ଷେପ ନିଆଯାଇଛି।