ଡେଲାଙ୍ଗ ବନା ଜେନା ହତ୍ୟା ମାମଲା : ୨୩ ବର୍ଷ ପରେ ତମାଣ୍ଡୋରୁ ପଞ୍ଚୁ ଗିରଫ

ଖଣ୍ଡଗିରି : ୨୩ ବର୍ଷ ତଳର ବହୁଚର୍ଚ୍ଚିତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ତତ୍କାଳୀନ ଅଧ୍ୟକ୍ଷ ବନା ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଫେରାର୍ ଅଭିଯୁକ୍ତକୁ ତମାଣ୍ଡୋ ଥାନା ଅନ୍ତର୍ଗତ ନଁପୁଟରୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ, ଡେଲାଙ୍ଗ ଥାନା ଅନ୍ତର୍ଗତ ହୁମର ଗାଁର ଯୁଧିଷ୍ଠିର ପରିଡ଼ା ଓରଫ ପଞ୍ଚୁ(୫୫)। ନିଜ ନାଁକୁ ପଞ୍ଚୁ ପରିଡ଼ାରୁ ପ୍ରକାଶ ପ୍ରଧାନକୁ ବଦଳାଇ ସେ ଛଦ୍ମନାମରେ ନଁପୁଟରେ ରହି ଆସୁଥିଲା। ଶୁକ୍ରବାର ସକାଳୁ ଡେଲାଙ୍ଗ ଥାନା ପୁଲିସ ନଁପୁଟ ଛକରୁ ତାକୁ ଉଠାଇ ନେଇଛି। ସୂଚନାନୁସାରେ, ତତ୍କାଳୀନ ଜନତା ଦଳର ଟାଣୁଆ ଯୁବନେତା ତଥା ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷ ବନା ଜେନାଙ୍କୁ ଡେଲାଙ୍ଗ ବଜାର ଉପରେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ବୋମାମାଡ଼ କରିବା ସହ ଖଣ୍ଡାରେ ହାଣି ତାଙ୍କୁ ହତ୍ୟା କରିଥିଲେ। ସେହି ଦିନରୁ ଅଭିଯୁକ୍ତ ପଞ୍ଚୁ ଫେରାର୍ ହୋଇଯାଇଥିଲା। ତେବେ ପଞ୍ଚୁ ନଁପୁଟରେ ରହୁଥିବା ନେଇ ଖବର ପାଇବା ପରେ ପ୍ରାୟ ଦେଢ଼ ମାସ ହେଲା ଡେଲାଙ୍ଗ ଥାନା ପୁଲିସ ତାକୁ ପିଛା କରୁଥିଲା। ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ପଞ୍ଚୁ ନଁପୁଟ ଛକ‌ରେ ଚା’ ପିଉଥିବା ବେଳେ ପୁଲିସ ଟିମ୍‌ ତାକୁ ଅତର୍କିତ ଭାବେ କାବୁ କରି କାର୍ ଭିତରକୁ ଉଠାଇ ନେଇଥିଲେ। ସାଦା ପୋଷାକରେ ଥିବା ପୁଲିସକୁ ସ୍ଥାନୀୟ ଲୋକେ ଚିହ୍ନି ନପାରି ପ୍ରତିବାଦ କରିଥିଲେ ହେଁ ପୁଲିସ ପରିଚୟ ପାଇବା ପରେ ଓହରି ଯାଇଥିଲେ। ଡେଲାଙ୍ଗ ଥାନା ପୁଲିସ ସୂଚନାନୁସାରେ, ପଞ୍ଚୁ ନାଁରେ ଏହି ହତ୍ୟାକାଣ୍ଡ ଛଡ଼ା ବୋମାମାଡ଼ ଓ ଘରପୋଡ଼ି ଭଳି ଆହୁରି ୭ଟି ସଂଗିନ୍ ମାମଲା ରହିଛି। ନଁପୁଟ ଗ୍ରାମବାସୀଙ୍କ ସୂଚନାନୁସାରେ, ପୂର୍ବରୁ ପଞ୍ଚୁପଲ୍ଲୀ‌ ଅଞ୍ଚଳରେ ରହୁଥିବା ପଞ୍ଚୁ ୫ବର୍ଷ ହେଲା ପିଲାଛୁଆ ଧରି ଏହି ଗାଁରେ ଭଡ଼ାରେ ରହି ଆସୁଥିଲା। ଘରେ ତିଆରି କରୁଥିବା ବଡ଼ି ପାମ୍ପଡ଼ ବେପାର କରି ପରିବାର ଚଳାଉଥିଲା। ତାକୁ ସମସ୍ତେ ପ୍ରକାଶ ବୋଲି ଜାଣିଥିଲେ। ଏମିତିକି ସେ ନିଜ ପାଇଁ ପ୍ରକାଶ ପ୍ରଧାନ ନାଁରେ ଏକ ଆଧାର କାର୍ଡ ବି କରି ନେଇଥିଲା।

ସମ୍ବନ୍ଧିତ ଖବର