ଆମ୍ବୁଲାନସ୍ ଆସିବା‌ରେ ବିଳମ୍ବ, ରାସ୍ତାରେ ଛଟପଟ ଗର୍ଭବତୀ

ଚନ୍ଦ୍ରଶେଖରପୁର : ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଲା। ଫଳରେ ଦୀର୍ଘ ଦୁଇଘଣ୍ଟା କାଳ ରାସ୍ତା କଡ଼ରେ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ ମହିଳା। ଏଭଳି ଘଟଣା ଆଜି ଇନ୍‌ଫୋସିଟି ଥାନା ଅଞ୍ଚଳ ଗଣେଶ ନଗର ରୋଡ୍‌ରେ ଘଟିଛି। ଚୁନୁକୋଳି ବସ୍ତିରେ ରହୁଥିବା ବିହାରର ଜଣେ ଅଣ ଓଡ଼ିଆ ମହିଳାଙ୍କର ଆଜି ପ୍ରସବ ବେଦନା ହୋଇଥିଲା। ତାଙ୍କ ସ୍ବାମୀ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ସେମାନଙ୍କ ଦେଖାଶୁଣା କରୁଥିବା ଆଶା ଦିଦି ସହାୟତା କରିବା ବଦଳରେ ଅଟୋ କରି କ୍ୟାପିଟାଲ୍ ହସ୍ପିଟାଲ୍ ଚାଲିଯିବା ପାଇଁ କହିଥିଲେ। ଫଳରେ ଗରିବ ମହିଳାଙ୍କ ପରିବାରଲୋକ ଅଟୋରେ ଗର୍ଭବତୀଙ୍କୁ ନେବା ପାଇଁ ଚେଷ୍ଟା କରୁଥିବା ‌ବେଳେ ଯନ୍ତ୍ରଣା ଅଧିକ ହୋଇଥିଲା। ସେ ରାସ୍ତାକଡ଼ରେ ବସି ରହି ଚିତ୍କାର କରିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ୧୦୮ ଆମ୍ବୁଲାନସ୍ ଡାକି ଗର୍ଭବତୀ ମହିଳାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର