ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ନିଯୁକ୍ତିରେ ବିଳମ୍ବ

ତିନି ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇବେ ନିର୍ଦ୍ଦେଶକ

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅଧିକ ଗବେଷଣା, ପ୍ରଚାର ଓ ପ୍ରସାର ପାଇଁ ଗଠନ କରାଯାଇଥିଲା ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’। ତେବେ ଏହି କେନ୍ଦ୍ରର ସୁପରିଚାଳନା ଓ ଏଠାରେ ସ୍ଥାୟୀ ମୁଖ୍ୟ ନିର୍ବାହୀ ନିଯୁକ୍ତି ଦେବାରେ ବାରମ୍ବାର ବିଫଳ ହୋଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଚଳିତ ବର୍ଷ ଜାନୁଆରି ମାସରୁ ଏଠାରେ ମୁଖ୍ୟ ନିର୍ବାହୀ ପଦବି ଖାଲି ପଡ଼ିଛି। ମୁଖ୍ୟ ନିର୍ବାହୀ ନିଯୁକ୍ତି ପାଇଁ ଗତ ମାର୍ଚ୍ଚ ମାସରୁ ସଂସ୍କୃତି ବିଭାଗ କସ୍‌ରତ ଆରମ୍ଭ କରିଛି। ଏଥି ପାଇଁ ୪ ମାସ ତଳୁ ସର୍ଚ୍ଚ କମିଟି ଗଠନ ହୋଇସାରିଲାଣି। ୪ ମାସ ଭିତରେ କମିଟି ନୂଆ ମୁଖ୍ୟ ନିର୍ବାହୀ ଚୟନ ହେବା ତ ଦୂରର କଥା। କମିଟିର ବୈଠକ ବି ବସିପାରିଲାନି। ଶେଷରେ ଗତ ୫ ତାରିଖରେ କମିଟିର ପ୍ରଥମ ବୈଠକ ବସି ପ୍ରାରମ୍ଭିକ ଆଲୋଚନା ହୋଇଛି।

ସର୍ଚ୍ଚ କମିଟି ଗଠନର ଚାରି ମାସ ପରେ ବସିଲା ପ୍ରଥମ ବୈଠକ
ତୃତୀୟ ସପ୍ତାହରୁ ବ୍ୟକ୍ତିଗତ ସାକ୍ଷାତକାର
ଖୁବ୍ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଶେଷ ହେବ: ସଂସ୍କୃତି ନିର୍ଦ୍ଦେଶକ

ସୂଚନା ମୁତାବକ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ପଦବି ପାଇଁ ୯ ଜଣ ଆବେଦନକାରୀ ଆବେଦନ କରିଛନ୍ତି। ମୁଖ୍ୟ ନିର୍ବାହୀ ଚୟନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭା‌ଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ସର୍ଚ୍ଚ କମିଟି ଗଠନ କରାଯାଇଛି। ଏଥିରେ ଗୁରୁ ଅରୁଣା ମହାନ୍ତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଶ୍ୟାମାମଣି ଦେବୀ ଓ କୀର୍ତ୍ତନ ପାଢ଼ୀ ସଦସ୍ୟ ଅଛନ୍ତି। ଏହି କମିଟିର ସଦସ୍ୟ ଆବାହକ ରହିଛିନ୍ତି ସଂସ୍କୃତି ନିର୍ଦ୍ଦେଶକ। ଗତ ୫ ତାରିଖ ଦିନ ଲୋକସେବା ଭବନରେ ସର୍ଚ୍ଚ କମିଟିର ଏକ ବୈଠକ ବସିଥିଲା। ଏଥିରେ ଦୁଇ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ। ବିଦେଶ ଗସ୍ତରେ ଥିବାରୁ ଅରୁଣା ମହାନ୍ତି ଆସି ପାରି ନଥିଲା ବେଳେ ସ୍ବାସ୍ଥ୍ୟଗତ କାରଣରୁ ପ୍ରିୟମ୍ବଦା ମହାନ୍ତି ହେଜମାଦି ଆସି ନଥିଲେ। ତେବେ କମିଟିର କୋରମ୍‌ ହୋଇଥିବାରୁ ୯ଟି ଆବେଦନକୁ ତର୍ଜମା କରାଯାଇଥିଲା।
ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ କହିଛନ୍ତି, ଜୁଲାଇ ତୃତୀୟ ସପ୍ତାହରେ ସଂସ୍କୃତି ବିଭାଗ ପକ୍ଷରୁ ଏହି ୯ ଆବେଦନକାରୀଙ୍କ ବ୍ୟକ୍ତିଗତ ସାକ୍ଷାତକାର ନିଆଯିବ। ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ନୂଆ ମୁଖ୍ୟ ନିର୍ବାହୀ ନିଯୁକ୍ତି ଦିଆଯିବ।

କେବଳ ମୁଖ୍ୟ ନିର୍ବାହୀ ନୁହନ୍ତି, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ତଥା ଗବେଷଣା ଓ ପ୍ରକାଶନ ପାଇଁ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୩ ଗୁରୁଙ୍କୁ ନିଯୁକ୍ତି ଦିଆଯିବ। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଧାରାକୁ ବଜାୟ ରଖିବା, ଏହାର ଶାସ୍ତ୍ରୀୟତାକୁ ପ୍ରଚାର ପ୍ରସାର କରିବା, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଗବେଷଣା, ପ୍ରକାଶନ ଓ ଅନ୍ୟାନ୍ୟ ଆକଶ୍ୟକତାକୁ ଦେଖି କାର୍ଯ୍ୟ ତ୍ବରାନ୍ବିତ କରିବା, ଭବିଷ୍ୟତରେ ଓଡ଼ିଶୀ ପରମ୍ପରାକୁ ଆଗକୁ ବଢ଼ାଇବା, ବିଶେଷଜ୍ଞମାନଙ୍କୁ ଡାକି ସମୟ ସମୟରେ ବିଭିନ୍ନ କର୍ମଶାଳା କରିବା, ପ୍ରତି ଜିଲ୍ଲାରୁ ଅନ୍ତତଃ ପକ୍ଷେ ଗୋଟିଏ ଗୋଟିଏ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମାହିର ‘ଉତ୍କର୍ଷ’ ଖୋଜିବା ଆଦି ଦାୟିତ୍ବ ଗୁରୁମାନଙ୍କ ଉପରେ ନ୍ୟସ୍ତ ରହିବ।
ସୂଚନାଯୋଗ୍ୟ, କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍‌ରେ ଶେଷ ହୋଇଥିବା ବେଳେ ଆଉ ୬ ମାସ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳକୁ ବଢ଼ା ଯାଇଥିଲା। ଏହା ମଧ୍ୟରେ ମୁଖ୍ୟ ନିର୍ବାହୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଓ ନୂଆ ମୁଖ୍ୟ ନିର୍ବାହୀ ନିଯୁକ୍ତ ହୋଇ ନଥିବା କାରଣରୁ ୨୦୨୨ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା।

ଅର୍ଥ ବିଭାଗ ଦେଲା ଅନୁମୋଦନ

ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଅଧୀନରେ ତିନିଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏଗୁଡ଼ିକ ହେଲା ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ, ପ‌ାଠାଗାର ନିର୍ଦ୍ଦେଶାଳୟ ଓ ସଂଗ୍ରହାଳୟ ନିର୍ଦ୍ଦେଶାଳୟ। କିନ୍ତୁ ଏହି ନିର୍ଦ୍ଦେଶାଳୟଗୁଡ଼ିକ ନାଁକୁ ମାତ୍ର ରହିଛି। ଅର୍ଥ ବିଭାଗ ଆବଶ୍ୟକ ଅନୁମୋଦନ ଦେଇ ନଥିବାରୁ ଏହାର ବିଧିବଦ୍ଧ ଗଠନ ଏ ଯାଏ ହୋଇ ନାହିଁ। ସଂସ୍କୃତି ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶାଳୟଗୁଡ଼ିକର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବହୁ ବିଳମ୍ବରେ ଏବେ ଅର୍ଥ ବିଭାଗ ନୂଆ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଁ ଆବଶ୍ୟକ ମଞ୍ଜୁରୀ ପ୍ରଦାନ କରିଛି। ପ୍ରତି ନିର୍ଦ୍ଦେଶାଳୟରେ ଜଣେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀ ନିର୍ଦ୍ଦେଶକ ରହିବେ। ଏଥିସହ ସଂପୃକ୍ତ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ରଖିଥିବା ଅଧିକାରୀମାନେ ଏହି ନିର୍ଦ୍ଦେଶାଳୟଗୁଡ଼ିକର ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଆଦି ଅନ୍ୟ ପଦବିରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର