ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣରେ ବିଳମ୍ବ: ଆସନ୍ନ ମୃତ୍ୟୁ ଭୟରେ ପଥଚାରୀ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ପାର୍‌ ହେଉଥିବା ବେଳେ ଘଟୁଛି ଦୁର୍ଘଟଣା। ନିରୀହ ଲୋକଙ୍କ ଜୀବନ ଯାଉଛି, ଉଜୁଡି ଯାଉଛି ପରିବାର। ସ୍ଥାନୀୟ ଲୋକ ବାରମ୍ବାର ଅନୁରୋଧ, ଅଭିଯୋଗ କରି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷଙ୍କୁ ଜଣାଉଛନ୍ତି। ହେଲେ ବିଭାଗ ଯେମିତି ସ୍ଥାଣୁ ପାଲଟି ଯାଉଛି। ଜଣେ ବ୍ୟକ୍ତିର ଜୀବନ ଗଲେ ଦୋଷ ଘୋଡ଼ାଇବା ପାଇଁ ଫୁଟ୍‌ ଓଭର୍‌ ବ୍ରିଜ୍‌ କରିବାକୁ ଘୋଷଣା କରାଯାଉଛି। ଏହା ପରେ ପୁଣି ଅହେତୁକ ନିରବତା। ସତେ ଯେମିତି ପୁଣି ଏକ ମୃତ୍ୟୁକୁ ଅପେକ୍ଷା କରି ବସି ରହୁଛି ବିଭାଗ।

ଏପଟେ ପଳାସୁଣି, ସତ୍‌ସଙ୍ଗ ବିହାର, ନୂଆପଲ୍ଲୀ କ୍ରାଉନ୍‌ ହୋଟେଲ ସମ୍ମୁଖରେ ପ୍ରତିଦିନ ଆସନ୍ନ ମୃତ୍ୟୁ ଭୟରେ ରାସ୍ତା ପାର୍‌ ହୋଉଛନ୍ତି ହଜାର ହଜାର ଲୋକ। ନେତା ରାଜନୈତିକ ଉଦେଶ୍ୟ ରଖି ସାମାଜିକ ଗଣମାଧ୍ୟମରେ ବିକାଶର ନାରା ଦେଉଛନ୍ତି। ଫୁଟ୍‌ ଓଭର୍‌ ବ୍ରିଜ୍‌ ହେବା ପାଇଁ ଘୋଷଣା କରି ବାଃ ବାଃ ନେଉଛନ୍ତି, ହେଲେ ଏହାକୁ ତ୍ବରାନ୍ବିତ କରିବାକୁ ଆଗ୍ରହ ନଥିବା ଲୋକ ଅଭିଯୋଗ କରୁଛନ୍ତି। ତୁରନ୍ତ ଫୁଟ୍‌ ଓଭର୍‌ ବ୍ରିଜ୍‌ କରାନଗଲେ ଜାତୀୟ ରାଜପଥ ଅବରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି ସ୍ଥାନୀୟ ଲୋକ।

ପୁଣି ଏକ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ!
ଦୁର୍ଘଟଣାକୁ ମାସେ ପୂରିବ, ଘୋଷଣା କରି ଚୁପ୍‌ ବସିଗ‌ଲା ଏନ୍‌ଏଚ୍‌ଏଆଇ

ଗତ ଏପ୍ରିଲ୍‌ ୪ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥକୁ (ପଳାସୁଣି ଛକ ନିକଟ) ଅତିକ୍ରମ କରୁଥିବା ବେଳେ ବୋହୂ ଆଗରେ ଶ୍ବଶୁରଙ୍କୁ ଚାପି ମାରିଦେଲା ଟ୍ରକ୍‌। ଘଟଣାସ୍ଥଳରେ ଜଗତସିଂହପୁରର ଅଲେଖ ଶତପଥୀ(୭୬) ପ୍ରାଣହରାଇଲେ। ବୋହୂ ରଞ୍ଜିତା ଶତପଥୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି। ଏହାର ଦିନକ ପରେ ଅର୍ଥାତ ୫ ତାରିଖ ଦିନ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ସୁମନ୍ତ ଦାସ(୩୬)ଙ୍କ କାର୍‌ ଉପରେ ହାଇୱା ମାଡ଼ି ଯିବାରୁ ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହେଲା। ଗତ ୯ ତାରିଖ ଦିନ ରାସ୍ତା ପାର୍‌ ହେଉଥିବା ବେଳେ ଜଣେ ଯୁବକଙ୍କୁ ସ୍କୁଟି ବାଡେଇ ଦେଇ ଚାଲିଗଲା। ଯୁବକଙ୍କ ଗୋଡ ଭାଙ୍ଗି ଦୁଇ ଖଣ୍ଡ ହୋଇଗଲା। ଏବେ ସେ ହସ୍ପିଟାଲ୍‌ରେ ଚିକିତ୍ସତ ହେଉଛନ୍ତି।

ଏହା ବ୍ୟତୀତ ନଜର ଆଢ଼ୁଆଳରେ ପ୍ରତିଦିନ ‌୧୦ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ୨୦୨୧ ମସିହା ଜାନୁଆରି ୧୮ ତାରିଖରେ ସତ୍‌ସଙ୍ଗ ବିହାର, ଅଗଷ୍ଟ ୨୫, ୨୦୨୧ରେ ପଳାସୁଣି ଛକ ଓ ନୂଆପଲ୍ଲୀ କ୍ରାଉନ୍‌ ହୋଟେଲ ସମ୍ମୁଖ, ଏହି ତିନିଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ୩ଟି ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଥିଲେ। ଖର୍ଚ୍ଚ ଆକଳନ ସରିବା ସହ ଡିଜାଇନ୍ ପ୍ରସ୍ତୁତ ଓ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ସମ୍ଭବ ହୋଇପାରିନାହିଁ। ଘୋଷଣା ପରେ ୩୦ରୁ ଅଧିକ ଜୀବନ ଗଲାଣି। କେବଳ ଗତ ତିନି ମାସରେ ୧୩ ଜଣ ପ୍ରାଣ ହରାଇଲେଣି। କିନ୍ତୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା।

ଗତ ୫ ତାରିଖ ଦିନ ସୁମନ୍ତ ଦାସଙ୍କ ମୃତ୍ୟୁ ହେବାର ୬ ଦିନ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଜାତୀୟ ରାଜପଥ ଅଧିକାରୀ ପଳାସୁଣି ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ୨ କୋଟି ଟଙ୍କାର ଫୁଟ୍‌ ଓଭର୍‌ବ୍ରିଜ୍‌ ହେବ ବୋଲି ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ। ୧୦ ଦିନପରେ ବି ବିଭାଗର କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ। ପଳାସୁଣିରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳକୁ ଯିବା ପାଇଁ ଅତ୍ୟନ୍ତଃ ବିପଦପୂର୍ଣ୍ଣ ଭାବେ ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ରାସ୍ତା ପାର୍‌ ହେଉଛନ୍ତି। ବୟସ୍କ ବ୍ୟକ୍ତି, ମହିଳା ଭଗବାନଙ୍କ ଭରସାରେ ରାସ୍ତା ପାର୍‌ ହେଉଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଇବା ପରିବର୍ତ୍ତେ ସ୍ଥା‌ଣୁ ପାଲଟି ଯାଉଛନ୍ତି। ଏହି ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ଅହେତୁକ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ଦାନା ବାନ୍ଧିଲାଣି।

ସମ୍ବନ୍ଧିତ ଖବର