ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମପଞ୍ଚାୟତ ମୁଖ୍ୟ ପୋଖରୀର ବେହେରାସାହି ପାର୍ଶ୍ବର ଗାର୍ଡୱାଲ୍ ଏବଂ କୈବର୍ତ୍ତସାହି ପାର୍ଶ୍ବର ରାସ୍ତା ଓ ଡ୍ରେନ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉଭୟ ରଣପୁର ଓ ସରକଣା ଉପରମୁଣ୍ଡବାସୀ ଏ ବିଷୟରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କଠୁ ଆରମ୍ଭ କରି ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି। ହେଲେ ପୋଖରୀ ସଂଲଗ୍ନ ଗାର୍ଡ଼ୱାଲ, ରାସ୍ତା ଓ ଡ୍ରେନ୍ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି। ଏବେଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ବର୍ଷା ଦିନ ବେଳକୁ ନାହିଁ ନଥିବା ସମସ୍ୟା ଦେଖାଦେବ ବୋଲି ଗ୍ରାମବାସୀ କହିଛନ୍ତି।
ବର୍ଷା ଦିନରେ ଗାଁ ଦାଣ୍ଡରୁ ବର୍ଷାପାଣି ସିଧାସଳଖ ପୋଖରୀ ଭିତରକୁ ନିଷ୍କାସିତ ହୋଇଥାଏ। ଏପରିକି ବର୍ଷାପାଣି ଲୋକଙ୍କ ଘର ଅଗଣା ଭିତରକୁ ସିଧାସଳଖ ପଶିଯିବା ଭଳି ପରିସ୍ଥିତି ଉପୁଜିଥାଏ। ଗାଁ କେନ୍ଦ୍ରସ୍ଥଳରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟ ରାସ୍ତା ଓ କୈବର୍ତ୍ତ ସାହି ପାର୍ଶ୍ବ ପୋଖରୀର ଗାର୍ଡୱାଲ ନିର୍ମାଣ ସରିଛି। ହେଲେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ହୋଇପାରି ନାହିଁ। ମହିଳାମାନେ ମାଛ ଚାଷ ପାଇଁ ନିଲାମ ନେଇଥିଲେ ହେଁ ବର୍ଷାପାଣି ଓ ଘର ନର୍ଦ୍ଦମା ପାଣି ପୋଖରୀକୁ ନିଷ୍କାସିତ ହେଉଥିବାରୁ ମାଛ ମରିଯାଉଥିବା ଅଭିଯୋଗ ହୋଇଛି। ପୋଖରୀରେ ପୁଣି ଦଳ ଭର୍ତ୍ତି ହୋଇ ପାଣି ପ୍ରଦୂଷିତ ହୋଇଯାଇଛି।
ଗତବର୍ଷ ଡ୍ରେନ, ଗାର୍ଡୱାଲ ଓ ରାସ୍ତା ନିର୍ମାଣ ନେଇ ପଞ୍ଚାୟତ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାମଧ୍ୟରେ ୧ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ସରପଞ୍ଚ ବିଷ୍ଣୁପ୍ରିୟା ସାହୁ କହିଛନ୍ତି, ବେହେରାସାହି ପାର୍ଶ୍ବ ଗାର୍ଡୱାଲ ନିର୍ମାଣ ନେଇ ୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ପୋଖରୀରୁ ଦଳ ସଫା କରାଯାଇ ପାଣି ଶୁଖାଯିବା ପରେ କାମ ଆରମ୍ଭ ହେବ। ତେବେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ନେଇ ବ୍ଲକ୍ରୁ ଅନୁଦାନ ଆସିବା ପରେ କାର୍ଯ୍ୟ ଆରମ୍ଭ କରାଯିବ।