ଭୁବନେଶ୍ୱର: ଧାର୍ଯ୍ୟ ସମୟରେ ଘର ଯୋଗାଇ ନପାରିବାରୁ ଏକ ବିଲ୍ଡର ସଂସ୍ଥା ମୋଟା ଅଙ୍କର ତଣ୍ଡ ଗଣିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ବିପୁଲ୍ ଲିମିଟେଡ୍ ନାମକ ବିଲ୍ଡର ସଂସ୍ଥା ୧୫ ଜଣ ଘରକ୍ରେତାଙ୍କୁ ପ୍ରାୟ ୧୭ କୋଟି ଟଙ୍କା ଫେରାଇବାକୁ ସତ୍ୟପାଠ ଦାଖଲ କରିଛି। ଉଭୟ ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ରେରା) ଓ ରେରା ଟ୍ରିବ୍ୟୁନାଲ୍ଙ୍କ ଆଦେଶକୁ କାଏମ୍ ରଖି ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି।
୨୦୧୦ ମସିହାରେ ଏମ୍ସ୍ ନିକଟରେ ବିପୁଲ୍ ଲିମିଟେଡ୍ର ଏକ ପ୍ରକଳ୍ପ ‘ବିପୁଲ୍ ଗ୍ରିନ୍’ ନାମରେ ଆରମ୍ଭ ହୋଇଥିଲା। ୨୦୧୫ ମସିହାରେ ଘର ହସ୍ତାନ୍ତର କରିବାକୁ ଚୁକ୍ତି କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ପ୍ରକଳ୍ପ ହସ୍ତାନ୍ତର ନକରିବାରୁ କ୍ରେତା ବିମଳେନ୍ଦୁ ପ୍ରଧାନ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ରେରା)ଙ୍କ ଦ୍ବାରସ୍ଥ ହୋଇଥିଲେ। ରେରା ମାମଲାର ବିଚାର କରି ଶ୍ରୀ ପ୍ରଧାନଙ୍କୁ ୭୮ ଲକ୍ଷ କ୍ଷତିପୂରଣ ସହ ଫ୍ଲାଟ୍ ଦେବାକୁ ଆଦେଶ ଦେଇଥିଲେ। କିନ୍ତୁ ଏହି ରାୟକୁ ଚାଲେଞ୍ଜ କରି ବିପୁଲ ଲିମିଟେଡ୍ ରେରା ଟ୍ରିବ୍ୟୁନାଲ୍ (ଓରିଏଟ୍)ରେ ଅପିଲ କରିଥିଲା। ଏଭଳି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସୁପ୍ରିମ୍କୋର୍ଟରେ ମଧ୍ୟ ରେରାଙ୍କ ଆଦେଶ କାଏମ୍ ରହିବାରୁ ବିପୁଲ୍ ଲିମିଟେଡ୍ ଶ୍ରୀ ପ୍ରଧାନଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିଥିଲା। ତେବେ କେବଳ ଜଣେ ମାତ୍ର କ୍ରେତା ଏଭଳି ସମସ୍ୟା ଭୋଗି ନଥିଲେ। ଏଭଳି ସମସ୍ୟା ଭୋଗିଥିବା ୧୫ ଜଣ କ୍ରେତା କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ପ୍ରଧାନଙ୍କ ମାମଲାରେ ବିପୁଲ୍ର ସମସ୍ତ ସମ୍ପତ୍ତି ଆଟାଚ୍ କରିବାକୁ ଜିଲ୍ଲାପାଳଙ୍କୁ ଆଦେଶ ହୋଇଥିବାରୁ ସଂସ୍ଥା ୧୫ ଜଣଙ୍କୁ ୧୩କୋଟି ୪୩ ଲକ୍ଷ ୬୯ ହଜାର ୪୪୭ ଟଙ୍କା ଦେବା ପାଇଁ କୋର୍ଟରେ ସତ୍ୟପାଠ କରିଥିଲା। ସୁଧ ସହ ଏହାର ପରିମାଣ ୧୭ କୋଟି ଛୁଇଁବ ବୋଲି ଆକଳନ କରାଯାଇଛି।