ନିଜ ଜମିରୁ ଜବରଦଖଲ ହଟାଇ ପାରୁନି କମିସନରେଟ୍‌ ପୁଲିସ : ଦ୍ୱିତୀୟ ଟ୍ରାଫିକ୍ ଥାନା କୋଠା ନିର୍ମାଣରେ ବିଳମ୍ବ

ଭୁବନେଶ୍ୱର : ଆଉ ମାସକ ପରେ ରାଜଧାନୀର ଦ୍ବିତୀୟ ଟ୍ରାଫିକ୍‌ ଥାନାକୁ ବର୍ଷେ ପୂରିବ। ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ଏହି ଥାନା କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ଏବେ ବି ଏହି ଥାନା ଚନ୍ଦ୍ରଶେଖରପୁର ଥାନା ପରିସରରେ ଚାଲୁଛି। ନିଜର ସ୍ବତନ୍ତ୍ର ବିଲ୍ଡିଂ ପାଇଁ ଜାଗା ଚିହ୍ନଟ ହେବା ସହ ଗୃହ ନିର୍ମାଣ ପାଇଁ ଗତ ଜୁଲାଇରୁ କାର୍ଯ୍ୟାଦେଶ ଦିଆ ସରିଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇ ପାରିନାହିଁ। ଚିହ୍ନଟ ଜମିରୁ ଜବରଦଖଲ ଉଚ୍ଛେଦ ହୋଇପାରୁ ନଥିବାରୁ ନିର୍ମାଣ କାମ ଲଟିକିଛି। ରାଜଧାନୀରେ ବିଏମ୍‌ସି ପକ୍ଷରୁ ବହୁ ଜବରଦଖଲ ଉଚ୍ଛେଦ କାମ ଜାରି ରହିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଜଣାପଡ଼ିଛି। ଏମିତିକି ଜବରଦଖଲ ହଟାଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଚିଠି କରାଯାଇଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡ଼ିଛି। ଖୋଦ୍‌ କମିସନରେଟ୍‌ ପୁଲିସ ନିଜ ଜମିରୁ ଜବରଦଖଲ ହଟାଇ ପାରୁନଥିବାରୁ ଏହାକୁ ନେଇ ସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି।

ଭୁବନେଶ୍ବର ଦ୍ବିତୀୟ ଟ୍ରାଫିକ୍‌ ଥାନାରେ ଜଣେ ଇନ୍‌ସ୍ପେକ୍ଟରଙ୍କ ସହ ୬ ଏସ୍‌ଆଇ, ୧୦ ଏଏସ୍‌ଆଇ, ୧୪୦ କନେଷ୍ଟବଳ ପଦ ରହିଛି। ଏବେ ଇନ୍‌ସ୍‌ପେକ୍ଟରଙ୍କ ସହ ୨ ଏସ୍‌ଆଇ, ୨ ଏଏସ୍‌ଆଇ ଓ ୧୦୩ କନେଷ୍ଟବଳ ଅଛନ୍ତି। ନିକଟରେ ସରକାର ମଞ୍ଜୁର କରିଥିବା ୫୫୯ପଦରୁ ଏଠାକୁ କେତେକ କର୍ମଚାରୀ ଆସିବା ପ୍ରସ୍ତାବ ରହିଛି। ଏହି ଥାନାର ପରିସର ଓୟୁଏଟିରୁ ପିତାପଲ୍ଲୀ, ଜଟଣୀରୁ ଚନ୍ଦକା, ଜୟଦେବ ବିହାରରୁ କଳାରାହାଙ୍ଗ, ୟୁନିଟ୍‌-୮ ଡିଏଭି ସ୍କୁଲ ପାଖରୁ ଷ୍ଟୁଆର୍ଟ ସ୍କୁଲ ଛକ ପର୍ଯ୍ୟନ୍ତ ରହିଛି। ଏହି ନୂଆ ଥାନା ପାଇଁ ଗତ ୨୦୧୯ ଅଗଷ୍ଟ ୨୭ତାରିଖରେ ପାତ୍ରପଡ଼ା ଖାତା ନମ୍ବର ୭୮୦ ପ୍ଲଟ ନମ୍ବର ୩୨୧ରେ ଥିବା ୧ ଏକର ଜମି ଚିହ୍ନଟ ହୋଇଛି। ଗତ ଜୁଲାଇ ୨୭ ତାରିଖରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଏଥିରେ ୧କୋଟି ୬୪ ଲକ୍ଷ ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି। କିନ୍ତୁ ଜମିରେ ୭ଟି ପରିବାର ଜବରଦଖଲ କରି ଅଛନ୍ତି। ଏହି ଜବରଦଖଲ ହଟାଇବା ପାଇଁ ଗତ ଅଗଷ୍ଟ ମାସ ୬ ତାରିଖରେ ବିମ୍‌ସିକୁ ଚିଠି ଲେଖା ହୋଇଛି। କିନ୍ତୁ ବିଏମ୍‌ସି ଚୁପ୍ ବସିଛି। ଏଣୁ ପ୍ରକଳ୍ପ ଆଗେଇ ପାରୁନାହିଁ।

ଏବେ ତିନି ଦିନ ତଳେ ନୂଆ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଣୁ ଏହି ନିର୍ମାଣ କାର୍ଯ୍ୟ ବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଏବେ ଏହି ଥାନା ଚନ୍ଦ୍ରଶେଖରପୁର ଥାନା ପରିସରରେ ଚାଲିଛି। ଗୋଟିଏ ଥାନା ପରିସରରେ ଦୁଇ ଦୁଇଟି ଥାନା ଚାଲିଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର