ଭୁବନେଶ୍ବର : କରୋନା ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତି ସୁସ୍ଥ ହେବା ଲାଗି ଅଧିକ ସମୟ ଲାଗୁଛି। ଦୁଇ ଡୋଜ୍ ଟିକା ନେଇଥିବା ଅନେକ ବ୍ୟକ୍ତି ମଧ୍ୟ ଗୁରୁତର ହୋଇପଡ଼ୁଛନ୍ତି। ଭୂତାଣୁ ରୂପ ବଦଳାଉଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକ ଗୁରୁତର ହେଉଛନ୍ତି। ଏଭଳି ରୋଗୀ ପ୍ରାୟ ୧ରୁ ୫ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନଜରକୁ ଆସୁଛି। ଏହାକୁ ଲଙ୍ଗ କୋଭିଡ୍ ଭାବେ ବିବେଚନା କରାଯାଉଥିବା କହିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର(ସମ୍ମମ୍)ର କ୍ରିଟିକାଲ କେୟାର ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ବାନାମ୍ବର ରାୟ।
ପ୍ରଫେସର୍ ରାୟ କହିଛନ୍ତି, କୋଭିଡ୍ରେ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କ ମୃତ୍ୟୁ ହେଉଛି। ୩ ପ୍ରତିଶତ ରୋଗୀ ଦୀର୍ଘ ଦିନ ଧରି ଅସୁସ୍ଥ ରହୁଛନ୍ତି। ୫ପ୍ରତିଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ୁଥିବା ବେଳେ ୧୨-୧୫ ପ୍ରତିଶତ ମଧ୍ୟମ ଧରଣର ଅସୁସ୍ଥ ଅନୁଭବ କରୁଛନ୍ତି। ୮୦-୮୨ ପ୍ରତିଶତ ରୋଗୀ ସାମାନ୍ୟଧରଣର ସଂକ୍ରମିତ ହେଉଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ପଡ଼ୁ ନାହିଁ।
ସମ୍ମମ୍ରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଶାସକ ଗୌତମବୁଦ୍ଧ ମୁଖାର୍ଜୀ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ୧୬ଦିନ ଧରି ଆଇସିୟୁରେ ରହିଥିଲେ। ତାଙ୍କର ଏକାଧିକ ଜଟିଳ ରୋଗ ରହିଥିଲା। ଦୀର୍ଘ ୨ମାସ ଧରି ଚିକିତ୍ସିତ ହେବା ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ଅନ୍ୟଜଣେ ହେଉଛନ୍ତି, ୨୧ ବର୍ଷର ମହମ୍ମଦ ସଫାକ ଅଲ୍ଲୀ। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବା ପରେ ତାଙ୍କୁ ଭେଣ୍ଟିଲେଟର୍ରେ ରଖଯାଇ ଟ୍ରାକିଓଷ୍ଟୋମି କରାଯାଇଥିଲା। ଫୁସଫୁସ୍ରେ ମଧ୍ୟ ଜଟିଳତା ଦେଖାଦେଇଥିଲା। ମାତ୍ର ସମ୍ମମ୍ ଟିମ୍ ସଫଳତାର ସହ ତାଙ୍କର ଚିକିତ୍ସା କରିପାରିଥିଲା ବୋଲି ଡା. ରାୟ କହିଛନ୍ତି। ରୋଗୀଙ୍କ ଚିକିତ୍ସାରେ କାର୍ଡିଓଥେରାସିସ୍ ସର୍ଜନ ଡା. ବନବିହାରୀ ମିଶ୍ର, ଜେନେରାଲ ସର୍ଜରି ବିଭାଗର ଡା. ସତ୍ୟଜିତ ରଥ, ସିନିୟର କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗ ମୁଖ୍ୟ ଡା. ପି. ବାଲାକିଶୋର ଓ କ୍ରିଟିକାଲ କେୟାର ଟିମ୍ର ବ୍ରିଗେଡିୟର ଡା. ମିଶ୍ର ପ୍ରମୁଖ ସହାୟତା କରିଥିଲେ।