ବିଳମ୍ବ ହେଉଛି ଡ୍ରେନ୍‌ ଓ ରାସ୍ତା କାମ: ଜଗନ୍ନାଥନଗରବାସୀ କଲବଲ

ଭୁବନେଶ୍ବର: ୨୦୨୧ ଜୁଲାଇରୁ କାମ ଆରମ୍ଭ ହେଲାଣି। ୨୦୨୨ ଜାନୁଆରିରେ କାମ ସାରିବା ପାଇଁ ବୋଲି ଠିକାସଂସ୍ଥାକୁ ନିର୍ଦ୍ଦେଶ ଥିଲା। ମାତ୍ର ଠିକାସଂସ୍ଥା ଆରମ୍ଭରୁ କାମ ବିଳମ୍ବ କଲା। ରାସ୍ତା ଖୋଳି ପକାଇଦେଲା। ଅଧାପନ୍ତରିଆ କାମ କଲା। ଏବେ ସ୍ଥିତି ଏମିତି ହୋଇଛି ‌ଯେ ଲୋକେ ଘରୁ ବାହାରିବା କାଠିକର ପାଠ ହୋଇପଡ଼ୁଛି। ବାଇକ୍‌ ନେବା କଷ୍ଟକର ହୋଇପଡ଼ୁଛି। ଚାରିଚକିଆ ଯାନ ଚଳପ୍ରଚଳ ଏକପ୍ରକାର ଠପ୍‌ ହୋଇଯାଇଛି। ଆମ୍ବୁଲାନ୍‌ସ ଓ ଦମକଳ ଗାଡ଼ି ପଶିବା ମୁସ୍କିଲ ହୋଇପଡ଼ୁଛି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ପଙ୍କ କାଦୁଅ ତ ହେଉଛି, ଖାଲରେ ପାଣି ଜମି ରହିବାରୁ ମଶାଙ୍କ ଉତ୍ପାତ ବଢ଼ିଯାଇଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ କଲବଲ ହେଉଛନ୍ତି। ବିଏମ୍‌ସି ୧୯ ନମ୍ବର ୱାର୍ଡ ଜଗନ୍ନାଥନଗରର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଜଗନ୍ନାଥନଗର ଲେନ୍ ନମ୍ବର ୩, ୪, ୫, ୬, ୮, ୯, ୧୧ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ୪.୪ କିମିର ଡ୍ରେନ୍ ଏବଂ ୭.୩ କିମିର ରାସ୍ତା କାମ ହେଉଛି। ମେସର୍ସ ଗ୍ଲୋବାଲ‌୍ କମ୍ୟୁନିକେସନ୍‌ ଠିକା ସଂସ୍ଥା ଏହି କାମ କରୁଛି। ଜବରଦଖଲ ଉଚ୍ଛେଦ ଓ ଶ୍ରମିକ ନ ମିଳିବା ଆଦି ବିଭିନ୍ନ କାରଣ ଦର୍ଶାଇ ଠିକା ସଂସ୍ଥା ପ୍ରଥମରୁ କାମ ବିଳମ୍ବ କରିଚାଲିଛି। ୫ ମାସରେ କାମ ସାରିବ କହି ଏବେ ଚଳିତବର୍ଷ ଡିସେମ୍ବର ସୁଦ୍ଧା କାମ ସାରିବ ବୋଲି ଧାର୍ଯ୍ୟ କଲାଣି। ତେବେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୫ ପ୍ରତିଶତ କାମ ସରିଛି। ତେଣୁ ଆଉ ୫ ମାସ ଭିତରେ କାମ କେମିତି ସରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଡ଼ ସମସ୍ୟା ହେଉଛି, କିଛି ଡ୍ରେନ୍ ଗୋଟିଏ ରାସ୍ତାରୁ ଅନ୍ୟ ରାସ୍ତାକୁ ସଂଯୋଗୀକରଣ ସ୍ଥାନରେ ଛାଡ଼ି ଦିଆଯାଇଛି। ଫଳରେ ଚାରିଆଡ଼ୁ ପାଣି ଆସି ଗୋଟିଏ ସ୍ଥାନରେ ଜମା ହେଉଛି। ପାଣି ଜମି ରହିବାରୁ ପଚା ଗନ୍ଧରେ ନାକ ଫାଟି ପଡ଼ୁଛି ଓ ମଶା ଭଣଭଣ ହେଉଛନ୍ତି। ୧୧ନମ୍ବର ରୋଡ୍‌ର ବାସିନ୍ଦା ଛବିରାଣୀ ଜେନାଙ୍କ କହିଛନ୍ତି ଯେ ତାଙ୍କ ଘର ସମ୍ମୁଖରେ ପାଇଖାନା ପାଣି ଜମି ରହିବାରୁ ସେ ଘରୁ ବାହାରି ପାରୁ ନାହାନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ରଜ ପାଇଁ ଶ୍ରମିକମାନେ ଗାଁକୁ ଯାଇଥିଲେ, ତେଣୁ କାମ ବନ୍ଦ ହୋଇଥିଲା। ଏବେ ପୁଣି କାମ ଆରମ୍ଭ ହେଲାଣି। ଆମେ ଡିସେମ୍ବର ପୂର୍ବରୁ କାମ ଶେଷ କରିବା ପାଇଁ ଚେଷ୍ଟା କରୁଛୁ। ବର୍ଷାକୁ ଲକ୍ଷ୍ୟ କରି ତ୍ବରିତ୍‌ ବେଗରେ କାମ କରାଯାଉଛି।

ସମ୍ବନ୍ଧିତ ଖବର