ଭୁବନେଶ୍ବର: ରାଜନୀତି ମହିଳାଙ୍କୁ ସଶକ୍ତ କରୁଛି। ରାଜନୀତିରେ ଜଣେ ମହିଳା ପ୍ରବେଶ କରି କ୍ଷମତାସୀନ ହୋଇଗଲେ, ସେ ସଶକ୍ତ ହୋଇଗଲା ବୋଲି ଆମ ଭିତରେ ଗୋଟିଏ ଧାରଣା ଅଛି। କିନ୍ତୁ ଆମ ଦେଶ‌ରେ ମାତ୍ର ୧୦ ପ୍ରତିଶତ ମହିଳା ରାଜନୀତିରେ ଅଛନ୍ତି। ସେଥିମଧ୍ୟରୁ ହରିୟାଣା, ଛତିଶଗଡ଼ ଭଳି ରାଜ୍ୟରେ ସର୍ବାଧିକ ୧୪ ପ୍ରତିଶତ ମହିଳା କ୍ଷମତାରେ ଥିବା ବେଳେ ତା’ ତଳକୁ ୧୩% ସହ ରହିଛି ପଶ୍ଚିମବଙ୍ଗ। ବିଡ଼ମ୍ବନାର କଥା ହେଲା, ଏମାନଙ୍କ ମଧ୍ୟରୁ କେତେକଙ୍କ ହାତରେ ପ୍ରତ୍ୟକ୍ଷ କ୍ଷମତା ନାହିଁ। ତାଙ୍କ ସାମ୍ବିଧାନିକ କ୍ଷମତାକୁ ଭାଇ, ସ୍ବାମୀ, ବାପା ଉପଭୋଗ କରୁଛନ୍ତି। ଯେତେବେଳେ ୯୦ରୁ ୯୫ ପ୍ରତିଶତ ମହିଳାଙ୍କୁ ଆମେ ମୁଖ୍ୟସ୍ରୋତକୁ ଆଣିବା ସେତେବେଳେ କହିପାରିବା ମହିଳା ସଶକ୍ତୀକରଣ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୬୯ତମ ଜୟନ୍ତୀରେ ଦିଲ୍ଲୀପ ରାୟ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ‘ମହିଳା ସଶକ୍ତୀକରଣ ଓ ଗଣମାଧ୍ୟମ’ ଆଲୋଚନାରେ ଆଜି ‘ଏନ୍‌ଡିଟିଭି’ର ପରିଚାଳନା ସଂପାଦିକା ନିଧି କୁଳପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

Advertisment

ମେ’ ଫେୟାର୍‌ କନ୍‌ଭେନସନ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ସମୟ‌ରେ ମଧ୍ୟ ସାମାଜିକସ୍ତରରେ ମହିଳାମାନଙ୍କୁ ସମ୍ମାନ, ସୁରକ୍ଷା ସଂପୂ୍ର୍ଣ୍ଣ ରୂପେ ମିଳିପାରିନି। ମହିଳାଙ୍କ ପାଇଁ ସୁରକ୍ଷିତ ଦେଶ ସୂଚକାଙ୍କରେ ୧୬୭ ଦେଶ ମଧ୍ୟରେ ଭାରତ ୧୩୩ ନମ୍ବରରେ ରହିଛି। ସେହିଭଳି ଦେଶରେ ପ୍ରତିବର୍ଷ ନାରୀ ଦୁଷ୍କର୍ମ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ମାତ୍ର ୨୬ ପ୍ରତିଶତ ଦୁଷ୍କର୍ମକାରୀଙ୍କୁ ଦଣ୍ଡବିଧାନ ହୋଇପାରୁଛି। ଫଳରେ ଆମ ଝିଅ, ବୋହୂମାନେ ବିନା ଭୟରେ ରାତିରେ ରାଜରାସ୍ତାରେ ବିଚରଣ କରିପାରୁନାହାନ୍ତି। ତେଣୁ ବର୍ତ୍ତମାନ ସମୟରେ ମା’ ପୁଅକୁ, ଭଉଣୀ ଭାଇକୁ ଓ ବାପା ପୁଅକୁ ବୁଝାଇବା ଦରକାର ମହିଳାଙ୍କ ପ୍ରତି ଆମର କର୍ତ୍ତବ୍ୟ କ’ଣ?

କାର୍ଯ୍ୟକ୍ରମକୁ ଉଦ୍‌ଘା‌ଟନ କରି ମୟୂରଭଞ୍ଜ ରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ କହିଲେ, ସ୍ବାଧୀନତାର ୭୫ ବର୍ଷ ଭିତରେ ମହିଳାଙ୍କ ପାଇଁ ଅନେକ ଯୋଜନା କରାଯାଇଥିଲେ ମଧ୍ୟ ତୃଣମୂଳସ୍ତରରେ ତାହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନି। ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ହେଲେ ପ୍ରଥମେ ଶିକ୍ଷାକ୍ଷେତ୍ରରେ ସେମାନଙ୍କୁ ମଜଭୁତ କରିବାକୁ ପଡ଼ିବ।
ମୁଖ୍ୟବକ୍ତା ବିଏମ୍‌ସି ମେୟର ସୁଲୋଚନା ଦାସ କହିଲେ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ଆମ ରାଜ୍ୟ ଏକ ଉଦାହରଣ ସୃଷ୍ଟି କରିଛି। ପୂର୍ବରୁ ମହିଳାମା‌ନେ ଘରକୋଣରେ ରହୁଥିଲେ। ଏବେ କିନ୍ତୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟୋଗୀ ହୋଇପାରୁଛନ୍ତି।

କଣ୍ଠଶିଳ୍ପୀ ନାଜିଆ ଆଲମ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦିଲ୍ଲୀପ ରାୟ ଜୟନ୍ତୀ କମିଟିର ସଭାପତି ସୁଶାନ୍ତ ରାୟ ସ୍ବାଗତ ଭାଷଣ ଦେଇଥିଲେ। ଦିଲ୍ଲୀପ ରାୟଙ୍କ ରାଜନୈତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ଦିଲ୍ଲୀପ ରାୟଙ୍କ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିଭଳି ବରିଷ୍ଠ ରାଜନେତା ଦାମୋଦର ରାଉତ ମଧ୍ୟ ଦିଲ୍ଲୀପ ରାୟଙ୍କ ରାଜନୈତିକ ଜୀବନ ଓ ମହିଳା ସଶକ୍ତୀକରଣରେ ବିଜୁ ପଟ୍ଟନାୟକଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ସମରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।